ଜୟପୁର: ସହରବାସୀଙ୍କ ସ୍ବାଭିମାନର ପ୍ରତୀକ ଜଗନ୍ନାଥ ସାଗର ୩୦୦ ଏକରର ପରିଧିର ସାଗର ଧିରେ ଧିରେ ସଂକୁଚିତ ହେବା ସହ ପଙ୍କ, ସହରର ନାଳନର୍ଦ୍ଦମା ମାଟିରେ ପୋତି ହୋଇଯାଇଛି। ପୁନଃରୁଦ୍ଧାର ପାଇଁ ପୌରପାଳିକା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ହାଲ ଅନୁଦାନର ୬କୋଟିର ଟେଣ୍ଡର ସରିଥିବା ବେଳେ ୨୦କୋଟିର ଡିପିଆର୍ ଗୃହ ଓ ନଗର ଉନ୍ନୟନବିଭାଗ ନିକଟରେ ଦାଖଲ ବି ସରିଲାଣି। ସାଗର ପୁନଃରୁଦ୍ଧାର ପାଇଁ ବ୍ରହ୍ମପୁର ବିଏମସିର ଅକ୍ବାଟିକ୍ ୱିଡ୍ ହାର୍ଭେଷ୍ଟିଙ୍ଗ ମେସିନ୍ ଓ ପ୍ରୋକଲିନ୍ ସହଯୋଗରେ ଦଳ ବାହାର କରାଯାଇଥିଲା। ଧାନକଟା ପାଇଁ ପ୍ରଥମ ପର୍ଯ୍ୟାୟ ଜଳନିଷ୍କାସନ ବନ୍ଦ ହୋଇଥିଲା। ଏବେ ଦ୍ବିତୀୟ ପର୍ଯ୍ୟାୟରେ ଜୟନଗର ଆଡକୁ ଥିବା ସ୍ପିଲ୍ ୱେ ଓ ପାର୍କ ଆଡର ହେଡ ରେଗୁଲେଟରେ ରେ ପାଣି ଛାଡ଼ିବା ଆରମ୍ଭ ହୋଇଛି।

Advertisment

ଏହାରି ମଧ୍ୟରେ ମାତ୍ର ଗୋଟିଏ ମିଟର ପାଣି ହିଁ କମିଛି। ସାଗରର ସବୁ ପାଣି କିଭଳି ନିଷ୍କାସନ କରି ଶୁଷ୍କ କରାଯିବ ସେ ନେଇ ଅନୁଧ୍ୟାନ କରିବା ପାଇଁ ଯୁଗ୍ମ କମିଟି ଗଠନ କରାଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ପୌରପାଳିକା, କ୍ଷୁଦ୍ର ଜଳସେଚନ ଓ କୋଠାବାଡ଼ି ଓଗୃହ ନିର୍ମାଣ ବିଭାଗର ଯୁଗ୍ମ କମିଟି ଯାଂଚ କରିବା ପରେ ଅଧିକା ପାଣି ଛଡ଼ାଯିବା ଯୋଜନା କରାଯିବ। ପ୍ରାରମ୍ଭିକ ଭାବେ ପଂଚାନନ ମନ୍ଦିର ନିକଟରେ ଥିବା ମୁଖ୍ୟନାଳରେ ପାଣି ଛଡ଼ାଯାଇ ତାହାକୁ ସତୀନଦୀ ପର୍ଯ୍ୟନ୍ତ ନେବାକୁ ଯୋଜନା ରହିଛି। ଲେକ୍ ମ୍ୟାନ୍ ଆନନ୍ଦ ମାଲୀ ଗାଭଡ଼ଙ୍କ ପରାମର୍ଶରେ ଆମ ପୋଖରୀ ଯୋଜନାରେ ୨୦କୋଟିର ଡିପିଆର ପ୍ରସ୍ତୁତ କରାଯାଇଛି। ଏହାକୁ ଅନୁମୋଦନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଯାଇଥିବା କହିଛନ୍ତି ପୌରକାର୍ଯ୍ୟନର୍ବାହୀ ଅଧିକାରୀ।

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବି ଏ ନେଇ ୫ଟି ଅଧ୍ୟକ୍ଷ ଓ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଚିଠି ବି କରିଥିଲେ। ଅପରପକ୍ଷରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ବି ୨୦କୋଟିର ଅନୁଦାନ ରାଜ୍ୟସରକାର ଦେବେ ବୋଲି ବି ତାଙ୍କ ଗସ୍ତ ବେଳେ ଘୋଷଣା କରିଥିଲେ। ଅନୁମୋଦନ ହୋଇ ଆସିଲେ ସାଗରର ପୁନଃରୁଦ୍ଧାର କାମ ପାଇଁ ଏହି ଅନୁଦାନର ଟେଣ୍ଡର ଆଦି ଆହ୍ବାନ କରାଯିବ। ସେଭଳି ହାଲ୍ ପକ୍ଷରୁ ପୂର୍ବରୁ କୋଟିଏ ଟଙ୍କା ଦେଇଥିବା ବେଳେ ଏହି ଟଙ୍କାରେ ପଂଚାନନ ମନ୍ଦିର ଛକରୁ ଦ୍ବିତୀୟ ଦୈନିକ ବଜାର ଛକ ପର୍ଯ୍ୟନ୍ତ ସାଗର କୂଳର ଉନ୍ନୟନ କାମ ଜାରୀ ରହିଛି। ଅପରପକ୍ଷରେ ହାଲ୍ ଆଉ ଦେଇଥିବା ୬କୋଟି ଅନୁଦାନ ପାଇଁ ଏହାରି ମଧ୍ୟରେ ଟେଣ୍ଡର ସରିଛି। ଠିକା ସଂସ୍ଥା କାମ ପାଇ ସାରିଥିବା ବେଳେ ଚୁକ୍ତିନାମା କରି କାର୍ଯ୍ୟାଦେଶ ଦେବା ବାକି ରହିଛି ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ। ଜୟନଗର ଛକରୁ ଲେକପ୍ଲେସିଡ୍ ପୂର୍ବ ପର୍ଯ୍ୟନ୍ତ ଛତୁପାର୍ଶ୍ବର ସୌ୍ନ୍ଦର୍ଯ୍ୟକରଣ କାମ ହେବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ।