ଜଗନ୍ନାଥସାଗର ପୁନଃରୁଦ୍ଧାର ପ୍ରସଙ୍ଗ: ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶର ୬ମାସ ପରେ ବି କାର୍ଯ୍ୟକାରୀ ହେଲାନି

ପୁଣି ରୁଜୁ ହେଲା ଅବମାନନା ମାମଲା : ‘ହାଲ୍’ ସହଯୋଗର ହାତ ବଢ଼ାଉନି

ଜୟପୁର: ଦିନକୁ ଦିନ ରାଜରାଜୁଡ଼ା ଅମଳର ଜଗନ୍ନାଥସାଗର ପଙ୍କ, ମଇଳା ଓ ଲତାବୁଦାରେ ପୋତି ହୋଇ ଗଲାଣି। ଅନ୍ୟ ପକ୍ଷରେ ଏହାକୁ ବଂଚାଇବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଜିଲ୍ଲା ପ୍ରଶାସନକୁ ଦେଇଥିବା ନିର୍ଦ୍ଦେଶ ୬ମାସ ପରେ ବି କାର୍ଯ୍ୟକାରୀ ହୋଇପାରିନି। ପୁଣି ଥରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇ କୋର୍ଟ ନିର୍ଦ୍ଦେଶର ଅବମାନନା ମାମଲା ପୁଣି ଦାୟର କରିଛନ୍ତି ସମାଜସେବୀ ବସନ୍ତ ପାତ୍ର। ଏଥିରେ ସେ ଜିଲ୍ଲାପାଳ ଏବଂ ରାଜ୍ୟ ଜଳସେଚନ ବିଭାଗକୁ ପକ୍ଷ ରଖିଛନ୍ତି। ଏହାରି ମଧ୍ୟରେ ଏବେ କରୋନାର ଦ୍ବିତୀୟ ପର୍ଯ୍ୟାୟର ସଂକ୍ରମଣ ଜୋର ଧରିଛି। ଏହି ସ୍ଥିତିରେ ଜଗନ୍ନାଥ ସାଗର ‘ମୋତେ ବଂଚାଅ ମୋତେ ବଂଚାଅ ’ ବୋଲି ଦେଉଥିବା ଆକୁଳ ଚିତ୍କାର ଏବେ ଆଉ କାହାରିକୁ ଶୁଭୁନାହିଁ। ଦିନକୁ ଦିନ ଜଗନ୍ନାଥ ସାଗର ସଂକୁଚିତ ହୋଇ ପଡ଼ିବାରେ ଲାଗିଛି। ସାଗର ପାଇଁ ସବୁ ନେତା ମତ ମନ୍ତବ୍ୟ ଦେଉଥିଲେ ହେଁ ଏହା କିଭଳି ବଂଚିବ, ଏହାର କିଭଳି ପୁନଃରୁଦ୍ଧାର ହେବ। ପୁନଃରୁଦ୍ଧାର ପାଇଁ ଆବଶ୍ୟକ ଅନୁଦାନ କିଭଳି ଆସିବ ତାହାକୁ ପ୍ରୟାସ ନ କରି ମତମନ୍ତବ୍ୟ ଦେଇ ଟଣାଓଟରା ଲାଗି ରହିଛି।

ଏହାର ପୁନଃରୁଦ୍ଧାର ପାଇଁ ପ୍ରଶାସନିକ ସ୍ତରରେ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମକାନ୍ତ ସୟ। ଏହାରି ମଧ୍ୟରେ ‘ଆଇସିରିଷ୍ଟ’ ନାମକ ଏକ ସଂସ୍ଥାର ବୈଜ୍ଞାନିକମାନେ ପରିଦର୍ଶନରେ ଆସି ଜଗନ୍ନାଥସାଗରର ତଦାରଖ କରି ଫେରିଥିଲେ। ସେମାନେ ନୈନିତାଲର ହ୍ରଦକୁ ବୈଜ୍ଞାନିକ ଉପାୟରେ ସବୁ ଦଳ ନଷ୍ଟ କରିଥିବାରୁ ସେହି ପ୍ରକ୍ରିୟାରେ କରାଯିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଉପଜିଲ୍ଲାପାଳ। ତେବେ ଏଥିପାଇଁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି। ଏସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଏହାକୁ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସଂପ୍ରତି ଜଗନ୍ନାଥ ସାଗର ମଧ୍ୟକୁ ସହରର ମଇଳା ନ ପଶିବା ପାଇଁ ପୌରପାଳିକା ପକ୍ଷରୁ ନାଳ ଗୁଡ଼ିକରେ ଜାଲି ଲଗାଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ। ସେଭଳି ପ୍ରାରମ୍ଭିକ ଭାବେ ସାଗରର ଉନ୍ନୟନ ପାଇଁ ପ୍ରାୟ ୮କୋଟି ଖର୍ଚ୍ଚର ଏକ ଡିପିଆର ପ୍ରସ୍ତୁତ କରାଯାଇଛି। ଏହାକୁ ହାଲକୁ ଦିଆଯାଇଥିଲା। ତେବେ ହାଲ୍ ପକ୍ଷରୁ କିଛି ପ୍ରତିଉତ୍ତର ଏନେଇ ଆସିନି ବୋଲି କହିଛନ୍ତି ଉପଜିଲ୍ଲାପାଳ। ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ମୁତାବକ ଜଗନ୍ନାଥସାଗର ହୁଡ଼ାରେ ଜବରଦଖଲ କରି ରହୁଥିବା ବସ୍ତି ଅଂଚଳ ବାସିନ୍ଦାଙ୍କୁ ହଟାଯିବ। ତେବେ ଏମାନଙ୍କୁ ଥଇଥାନ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି।

ତହସିଲଦାରଙ୍କୁ ଜୟପୁର ସହରର ପାରିପାର୍ଶ୍ବିକ ଅଂଚଳରେ ସରକାରୀ ଜମି ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ। ଏହି ଜମି ଚୟନ ହେଲେ ସେଠାରେ ସାଗର ହୁଡ଼ା ଜବରଦଖଲକାରୀ ବସ୍ତି ବାସିନ୍ଦାଙ୍କୁ ସ୍ଥାପିତ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ। ଜଗନ୍ନାଥସାଗରର ପୁନଃରୁଦ୍ଧାର କରାଯିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବି ପ୍ରୟାସରତ ବୋଲି କହିଛନ୍ତି ଉପଜିଲ୍ଲାପାଳ। ସାଗରର ପୁନଃରୁଦ୍ଧାର ପାଇଁ ଦୀର୍ଘ ମିଆଦି ଯୋଜନାର ଆବଶ୍ୟକତା ରହିଛି। ସେଭଳି ଏତେ ବଡ଼ ସାଗରର ସଂପୁର୍ଣ୍ଣ ରୁପରେଖରେ ପରିବର୍ତ୍ତନ କରିବା ପାଇଁ ଆବଶ୍ୟକ ପଡ଼ିବାକୁ ଥିବା ଅନୁଦାନ ବି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଇଲେ ହୋଇପାରିବ ବୋଲି କହିଛନ୍ତି ପରିବେଶବିତ୍ ରାଜେଶ ପାଣିଗ୍ରାହୀ। କାଗଜଚାଷ ଓ କୋର୍ଟ କଚେରୀ ମଧ୍ୟରେ ବର୍ଷ ପରେ ବର୍ଷ ପଶି ରହିଲେ ଜଗନ୍ନାଥସାଗର ମରି ମରି ଯାଉଥିବା ବେଳେ ସଂପୁର୍ଣ୍ଣ ମରିଯିବ।

ସମ୍ବନ୍ଧିତ ଖବର