ଜଗନ୍ନାଥସାଗର ପୁନଃରୁଦ୍ଧାର ପ୍ରସଙ୍ଗ: ଜଳ ନିଷ୍କାସନ ଆରମ୍ଭ

ଜୟପୁର: ସହରବାସୀଙ୍କ ସ୍ବାଭିମାନର ପ୍ରତୀକ ଜଗନ୍ନାଥ ସାଗର ୩୦୦ ଏକରର ପରିଧିର ସାଗର ଧିରେ ଧିରେ ସଂକୁଚିତ ହେବା ସହ ପଙ୍କ, ସହରର ନାଳନର୍ଦ୍ଦମା ମାଟିରେ ପୋତି ହୋଇଯାଇଛି। ଏହାକୁ ପୁର୍ନଜୀବିତ କରିବା ପାଇଁ ଆଉ କେତେ ବର୍ଷ ଲାଗିବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ଏହାରି ମଧ୍ୟରେ ପୌରପାଳିକା ପକ୍ଷରୁ ବ୍ରହ୍ମପୁର ବିଏମସିର ଅକ୍ବାଟିକ୍ ୱିଡ୍ ହାର୍ଭେଷ୍ଟିଙ୍ଗ ମେସିନ୍ ଓ ପ୍ରୋକଲିନ୍ ସହଯୋଗରେ ଦଳ ବାହାର କରାଯାଇଥିଲା। ଏହା ବାହାର କରିବା ପରେ ବି ସାଗରର ପାଣି ସଫା ହେବା ବଦଳରେ ସବୁଜ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଗତ ଦୁଇ ଦିନ ତଳେ ଜିଲ୍ଲାପାଳ ସାଗରର ନିରୀକ୍ଷଣ କରିବାକୁ ଆସି ଜଳ ନିଷ୍କାସନ କରି ପଙ୍କ ଉଦ୍ଧାର କାମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ପୌରପାଳିକା ପକ୍ଷରୁ ଜୟନଗର ଆଡକୁ ଥିବା ଆଡ଼ିବନ୍ଧ, ସ୍ପିଲ୍ ୱେରେ ପାଣି ଛାଡ଼ିବା ଆରମ୍ଭ ହୋଇଛି। ସହରବାସୀଙ୍କ ସ୍ବାଭିମାନ ସହ ଜଡ଼ିତ ୧୯ଟି ସାହି, ୧୦ରୁ ଉର୍ଦ୍ଧ୍ବ ବସ୍ତିବାସିନ୍ଦା ନିର୍ଭର ଥିବା ଏହି ଜଳାଶୟର ପୁନଃରୁଦ୍ଧାର ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରି ସାଗରକୁ ପୁର୍ନଜୀବିତ କରାଯାଉ ବୋଲି ଉପରୋକ୍ତ ସାହି ବାସିନ୍ଦା ଓ ମୋ ଜଗନ୍ନାଥ ସାଗର ବଂଚାଓ ଟ୍ରଷ୍ଟ ପକ୍ଷରୁ ଦାବି ହୋଇ ଆସୁଥିଲା। ଅକ୍ବାଟିକ୍ ୱିଡ୍ ହାର୍ଭେଷ୍ଟିଙ୍ଗ ମେସିନ୍ ଦଳ ବାହାର କରିବା ପରେ ବି ସାଗରର ପାଣି ସଫା ହୋଇପାରିନି। ସେଭଳି ସବୁଜ ଆକାରରେ ହିଁ ରହିଛି।

ଲେକ୍ ମ୍ୟାନ୍ ଅଫ ଇଣ୍ଡିଆ ଆନନ୍ଦ ମାଲ୍ଲୀ ଗାଭଡ୍ ଗତ ଜୁଲାଇରେ ଏହି ସାଗରର ତନ୍ନତନ୍ନ ନିରୀକ୍ଷଣ କରିବା ସହ ସେ ବି ସଂପୁର୍ଣ୍ଣ ପଙ୍କ ଉଦ୍ଧାର କରିବାକୁ ପରାମର୍ଶ ଦେଇଥିଲେ। ତେବେ ସେ ଦେଇଥିବା ମାର୍ଗଦର୍ଶନରେ ଡିପିଆର ଆଦି ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ସରକାର ଏହାର ପ୍ରଶାସନିକ ଅନୁମୋଦନ କରି ଦେବା ପରେ ଦୀର୍ଘ ମିଆଦି ପାଇଁ ଯୋଜନାକୁ କାର୍ଯ୍ୟନ୍ବୟନ କରାଯିବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ। ଏହାରି ମଧ୍ୟରେ ସହରାଂଚଳ ଓ ଗୃହ ନିର୍ମାଣ ବିଭାଗର ଉପଦେଷ୍ଟା ବି ସାଗରର ନିରୀକ୍ଷଣ କରିଥିଲେ। ସାଗରକୁ ‘‘ଆମ ପୋଖରୀ’’ଯୋଜନାରେ ସାମିଲ କରାଯିବା ପାଇଁ ସେ ପ୍ରୟାସ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ଏହା ପରେ ଗତ ଦୁଇ ଦିନ ତଳେ ଜିଲ୍ଲାପାଳ ଏହାର ନିରୀକ୍ଷଣ କରି ଜଳନିଷ୍କାସନ ଆରମ୍ଭ କରି ଏହାର ପୁନଃରୁଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଆଜି ଜଳନିଷ୍କାସନ ଆରମ୍ଭ ହୋଇଛି। ଆଜି ଦିନକରେ ୩ଫୁଟର ପାଣି ଚାଲୁଥିବା ବେଳେ ସମ୍ପୂର୍ଣ୍ଣ ଜଳ ନିଷ୍କାସନ କରାଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି। ସାଧାରଣରେ ଏହାକୁ ସ୍ବାଗତ କରାଯାଇଛି। ପୁନଃରୁଦ୍ଧାର କାମ ଦୀର୍ଘ ମିଆଦି କରାଯିବା ସହ ସଂପୁର୍ଣ୍ଣ ସାଗରର ପୁରୁଣା ପରିଧି ଜମି ଅନ୍ୟାନ୍ୟ ବିଭାଗ ନିକଟରୁ ଅଣାଯାଇ ଗୋଟିଏ ବିଭାଗ ଅଧିନରେ ଏହାର ମାଲିକାନାସତ୍ତ୍ବ ରହୁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର