ପୁନଃରୁଦ୍ଧାର ହେବ ଜଗନ୍ନାଥ ସାଗର: ତିନିବର୍ଷରେ ହାଲ ଖର୍ଚ୍ଚ କରିବ ୫ କୋଟି  

ଡ୍ରେନେଜ ମାଧ୍ୟମରେ ହେବ ଦଳ ସଫା ସହ ଉନ୍ନତିକରଣ କାର୍ଯ୍ୟ

ଜୟପୁର: ରାଜାରାଜୁଡା ଅମଳର ଜଗନ୍ନାଥ ସାଗରକୁ ପୁନଃରୁଦ୍ଧାର ପାଇଁ ପୁଣି ଥରେ ଅଣ୍ଟା ଭିଡିଛି ଜୟପୁର ଉପଖଣ୍ଡ ପ୍ରଶାସନ ଓ ଜୟପୁର ପୌରପାଳିକା। ତିନିବର୍ଷରେ ୱାପକୋସ କମ୍ପାନି ପକ୍ଷରୁ ଏହି ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ (ହାଲ୍‌) ଆସନ୍ତା ତିନିବର୍ଷରେ ଖର୍ଚ୍ଚ କରିବ ୫ କୋଟି ଟଙ୍କା।

୨୦୧୯-୨୦ ଆର୍ଥିକ ବର୍ଷରେ ହାଲ କୋଟିଏ ଟଙ୍କା ପ୍ରଦାନ କରିସାରିଥିବାବେଳେ ଜଗନ୍ନାଥ ସାଗରକୁ ନେଇ ଆଇନଗତ ପକ୍ରିୟା ଜାରି ରହିଥିବାରୁ ଏହା କାର୍ଯ୍ୟ ନ ହୋଇ ପଡି ରହିଛି। ତେବେ ଏହି କମ୍ପାନି ପ୍ରଥମେ ସହର ମଧ୍ୟରୁ ପ୍ରବେଶ କରୁଥିବା ଡ୍ରେନ ପାଣିକୁ ବନ୍ଦ କରିବ। ଏହାପରେ ଦଳକୁ ପାଣି ସହ ବାହାରକୁ ବାହାର କରାଯିବ। ତେବେ ରାଜାବେଢାରେ ଏବେ ଧାନ ଚାଷ କରାଯାଉଥିବାବେଳେ ଅମଳ ହେବା ପରେ ଏହି କାମ ଆରମ୍ଭ ବୋଲି ଜଣାପଡିଛି।

ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲପାଳ ହେମକାନ୍ତ ସୟଙ୍କର ସହ ହାଲର ବରିଷ୍ଠ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉପଜିଲ୍ଲାପାଳଙ୍କ ସହ ହାଲର ମାନବ ସମ୍ଭଳ ବିଭାଗ ଡିଜିଏମ ‌କେ.ଅଶୋକନ୍‌, ମୁଖ୍ୟ ପରିଚାଳକ ସୂର୍ଯ୍ୟକାନ୍ତ ରାଉତ, ଜୟପୁର କ୍ଷୁଦ୍ର ଜଳସେଚନ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ସୁନୀଲ କୁମାର ତ୍ରିପାଠୀ, ହାଲର ବରିଷ୍ଠ ଅଧିକାରୀ ଏ.କେ ପାତ୍ର, ଜନସ୍ବାସ୍ଥ୍ୟ ବିଭାଗର ସର୍ବେଶ୍ବର ଜେନା ଓ ପୌରପାଳିକାର ଯନ୍ତ୍ରୀ ପ୍ରଭାକର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ପୌରପାଳିକା ପକ୍ଷରୁ ଏହିଠାରେ ଆବର୍ଜନା ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ନେତାଜୀ ସୁବାସ ବୋଷ ପର୍କକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦେବ। ସେହିପରି କ୍ଷୁଦ୍ରଜଳସେଚନ ବିଭାଗ ସାଗରରୁ ଉଦବୃଦ୍ଧ ଜଳକୁ ଅପଚୟ ନ କରି ଜଳସେଚନା ପ୍ରକଳ୍ପ କରିବା ସହ ତହସିଲପକ୍ଷରୁ ଏହିଠାରେ ବହୁପ୍ରତିକ୍ଷିତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦେବା ଆଶା କରାଯାଉଛି।

୨୦୧୮ ମସିହା ନଭ‌େମ୍ବେରରୁ ଡିସେମ୍ବର ଯାଏ ଦୁଇ ମାସ ଧରି ପ୍ରାୟ ୧୨ ଲକ୍ଷ ବିନିମୟରେ ଦଳସଫେଇ କରାଯାଇଥିଲା। ବିଭିନ୍ନ କାରଣରୁ ପଙ୍କ‌ୋଉଦ୍ଧାର ଓ ଦଳ ସଫେଇ କାର୍ଯ୍ୟ ଅଧାରୁ ଅଟକିଥିଲା। ଜଗନ୍ନାଥ ସାଗରକୁ ପାନୀୟଜଳ ଓ ଜଳସେଚନ ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏବେ ବାଟ ହୁଡିଥିଲା ୧୭୯୧ରେ ଜଗନ୍ନାଥ ପାତ୍ର ନାମକ ଜଣେ ଖ୍ୟାତନାମା ଇଞ୍ଜିନିୟର ଜୟପୁର ରାଜାଙ୍କ ପାଇଁ ଏହାକୁ ଖୋଳାଇଥିଲେ। ସେହି ସମୟରେ ଏହାର ପ୍ରାୟ ୩୦୦ଏକରରୁ ଅଧିକ ଥିଲା। ଏହା ଏବେ ଥିବା ଖ୍ରୀଷ୍ଟିଆନ ପେଟାରୁ ଝରୁଥିବା ଏକ ପାହାଡୀ ଝରରୁ ଅଟାକାଯାଇ ବନ୍ଧ ବାନ୍ଧାଯାଇ ଜଗନ୍ନାଥ ସାଗର ସୃଷ୍ଟି କରାଯାଇଥିଲା।

ଏନେଇ ଉପଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ ଆଜି ହାଲର ବିରିଷ୍ଠ ଅଧଇକାରୀଙ୍କ ସହ ଆଲୋଚନା ହୋଇଥିଲା। ବହୁ ବିଷୟରେ ଆଲୋଚନା ହୋଇଥିବା ଗୁଡଗାଓଁର ଏକ କମ୍ପାନି ଏହାର କାର୍ଯ୍ୟ କରିବାକୁ ରହିଥିବାବେଳେ ଏହା ଫାଇନାଲ କରାଯିବାକୁ ପାଇଁ ଅପେକ୍ଷା କରାଯାଇଛି। ତେବେ ଉନ୍ନତିକରଣ ପାଇଁ ହାଲ ଅର୍ଥ ଦେବାକୁ ରାଜି ରହିଛି ବୋଲି ସେ କହିଛନ୍ତି।

 

 

 

ସମ୍ବନ୍ଧିତ ଖବର