ଆରଡିରେ ଜାଗର ଯାତ୍ରା କଟକଣାକୁ ନେଇ ତେଜୁଛି ଅସନ୍ତୋଷ 

ଆରଡ଼ି: ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା କଟକଣାକୁ ନେଇ ଏବେ  ଅସନ୍ତୋଷ ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଜାଗରରେ କୋଭିଡ ପାଇଁ ଜାଗର ଓ ଜାଗର ପୂର୍ବଦିନ ମନ୍ଦିର ତଥା ଆରଡ଼ି ଅଞ୍ଚଳରେ ୧୪୪ଧାରା ଲାଗୁ କରିଛନ୍ତି।

ମନ୍ଦିର ଭିତରକୁ ସେବାୟତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଛନ୍ତି। ତେବେ ଏ ନେଇ ସେବାୟତମାନଙ୍କ ଯୁକ୍ତି ଯେ ପ୍ରଶାସନ ମନମୁଖୀ ଭାବେ ଏକତରଫା ଭାବେ ଏହି କଟକଣା କରିଛନ୍ତି। ଗତ ଫେବୃଆରି ମାସରେ ଜାଗର ପ୍ରସ୍ତୁତି ବୈଠକରେ ଖୋଦ ଜିଲ୍ଲାପାଳ ଜାଗର ପ୍ରସ୍ତୁତି ପାଇଁ ସମସ୍ତ ପ୍ରକାର ଆଲୋଚନା କରିଥିଲେ ଏବଂ ମାର୍ଚ୍ଚ ପ୍ରଥମ ସପ୍ତାହରେ ସରକାରଙ୍କ ମାର୍ଚ୍ଚ ମାସ ପାଇଁ ଗାଇଡ଼ ଲାଇନ ଆସିଲେ ସେ ସେବାୟତମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବା କଥା କହିଥିଲେ ବୋଲି ସେବାୟତ ମାନେ ପ୍ରକାଶ କରିଛନ୍ତି।

ତେବେ ହଠାତ  ମାର୍ଚ୍ଚ୪ ରେ ଜିଲ୍ଲାପାଳଙ୍କ ଅଫିସ ପକ୍ଷରୁ ଏକ ନିର୍ଦେଶ ନାମା ଆସିଥିଲା ଆରଡିରେ ଜାଗର ଓ ତା ପୂର୍ବ ଦିନ ୧୪୪ଧାରା ଲଗାଯିବା ପାଇଁ । ଏ ନେଇ ସେବାୟତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅପରପକ୍ଷେ ସେବାୟତମାନଙ୍କ କହିବା କଥା ଯଦି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ  ଢେଙ୍କାନାଳର କପିଳାଶ ମନ୍ଦିରରେ ଭକ୍ତମାନେ ଦର୍ଶନ କରିପାରିବେ ତେବେ ଆରଡ଼ିରେ କାହିଁକି ଏ ବ୍ୟବସ୍ଥା?  ଏଣୁ ଏ ବାବଦରେ ପ୍ରଶାସନ ଦର୍ଶନ ବ୍ୟବସ୍ଥାର ପୂନର୍ବିଚାର କରିବା ପାଇଁ ସେବାୟତ ତଥା ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର