କଟକ/ ଜଗତପୁର: ୫୧ ବର୍ଷ ତଳେ ଅର୍ଥାତ ୧୯୭୦ ମସିହାରେ କଟକ ଜିଲ୍ଲା ନିମପୁର ମୌଜାରେ ଗଢି ଉଠିଥିଲା ଜଗତପୁର ପୁରୁଣା ଶିଳ୍ପାଞ୍ଚଳ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୫ ଜଣ ଶିଳ୍ପଦ୍ୟୋଗୀଙ୍କୁ ଶିଳ୍ପସଂସ୍ଥା ପାଇଁ ପ୍ଲଟ୍ ଆବଣ୍ଟନ କରାଯାଇଥିଲା। କେତେକଙ୍କୁ ଶିଳ୍ପସଂସ୍ଥା ପାଇଁ ଗୃହ ବି ଯୋଗାଇ ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ଶିଳ୍ପାଞ୍ଚଳକୁ ସଂଯୋଗ ରାସ୍ତା ନିର୍ମାଣ, ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା, ଷ୍ଟ୍ରିଟଲାଇଟ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବି କରାଯାଇଥିଲା। କିନ୍ତୁ ଯେଉଁ ମହତ ଉଦ୍ଦେଶ୍ୟ ନେଇ ସେତେବେଳେ ଏହି ପରିକଳ୍ପନା କରାଯାଇଥିଲା, ତାହା ସେତିକି ସଫଳ ହୋଇପାରି ନାହିଁ।
ଦାୟିତ୍ବରେ ଥିବା ଇଡକୋର ନିଷ୍କ୍ରିୟତା ଯୋଗୁଁ ଶିଳ୍ପାଞ୍ଚଳର ବିକାଶ ତ ଦୂରର କଥା ମୂଳ ମୌଳିକ ଭିତ୍ତିଭୂମି ବି ବିପର୍ଯ୍ୟସ୍ତ ହୋଇ ପଡିଛି। ଏଭଳି ସ୍ଥିତିରେ ଶିଳ୍ପଦ୍ୟୋଗୀମାନେ ଆଗକୁ ବଢିବା ପାଇଁ ବି ସଂଘର୍ଷ କରୁଛନ୍ତି। ପୁରୁଣା ଶିଳ୍ପାଞ୍ଚଳ ପ୍ରତିଷ୍ଠାର ୧୦ ବର୍ଷ ପରେ ଅର୍ଥାତ ୧୯୮୦ ମସିହାରେ ଜଗତପୁର ନୂତନ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରାଯିବା ସହିତ ଏହାର ପରିଚାଳନା ଓ ବିକାଶ ପାଇଁ ରାଜ୍ୟ ସରକାର ଇଡକୋ ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ। ପୁରୁଣା ଶିଳ୍ପାଞ୍ଚଳର ପରିଚାଳନା ଦାୟିତ୍ୱ ପୂର୍ବରୁ ସରକାରଙ୍କ ଶିଳ୍ପ ନିର୍ଦ୍ଦେଶାଳୟ ହାତରେ ଥିବା ବେଳେ ତାହା ବି ଇଡକୋ ହାତକୁ ଆସିଥିଲା।
ମୋଟାମୋଟି ଭାବେ ଜଗତପୁର ଶିଳ୍ପାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ, ଫେବ୍ରିକେସନ, ପ୍ଲାଷ୍ଟିକ ପାଇପ, ଅଗ୍ନିଶମ ଯାନ ଓ ଯନ୍ତ୍ରପାତି ପ୍ରସ୍ତୁତି, ବିଭିନ୍ନ ରଙ୍ଗ ପ୍ରସ୍ତୁତି , କେମିକାଲ ପାଉଡର, ବସ ବଡି ବିଲ୍ଡିଂ, ପଶୁ ଖାଦ୍ୟ, ଆଲୁମିନିୟମ, ଧୂପକାଠି, ଫ୍ଲେକ୍ସ ବ୍ୟାନର ହୋର୍ଡିଂ, ମେଡିକାଲ ସରଞ୍ଜାମ, କାର୍ଡବୋର୍ଡ, ମେକାନିକାଲ ୱାର୍ଡସପ ଭଳି ୪୦ରୁ ଅଧିକ ବିବିଧ ଶିଳ୍ପସଂସ୍ଥା ଗଢି ଉଠିଛି। ଏହା ଦ୍ବାରା ସରକାରଙ୍କ ରାଜସ୍ବ ବୃଦ୍ଧି ଘଟିଛି। ରୋଜଗାର ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ଶିଳ୍ପାଞ୍ଚଳର ସାମଗ୍ରିକ ଉନ୍ନତି କ୍ଷେତ୍ରରେ ଇଡକୋର ଉଦାସୀନତା ଏବେ ଶିଳ୍ପଦ୍ୟୋଗୀଙ୍କ ଅସନ୍ତୋଷର କାରଣ ହୋଇଛି। ଶିଳ୍ପାଞ୍ଚଳର ଶିଳ୍ପଦ୍ୟୋଗୀ ମାନେ ରକ୍ଷଣାବେକ୍ଷଣ ନିମନ୍ତେ ବାର୍ଷିକ ଅର୍ଥରାଶି ଇଡକୋକୁ ଦେଇଥାନ୍ତି l ସହରାଞ୍ଚଳ ବାସିନ୍ଦା ମାନେ ମହାନଗର ନିଗମରେ ଟିକସ ଜମାକରୁଥିବା ବେଳେ ଶିଳ୍ପାଞ୍ଚଳର ଶିଳ୍ପସଂସ୍ଥାର ମାଲିକ ମାନେ ବି ବାର୍ଷିକ ଦେୟ ଦେଇଥାନ୍ତି l କିନ୍ତୁ ପୁରୁଣା ଶିଳ୍ପାଞ୍ଚଳରେ ୩୦ ବର୍ଷ ପୂର୍ବରୁ ହୋଇଥିବା ରାସ୍ତାର ମଝି କିଛି ଅଂଶକୁ ଇଡ଼କୋ ପକ୍ଷରୁ କଂକ୍ରିଟ କରାଯାଇଥିବା ବେଳେ ବାକି ସବୁ ରାସ୍ତା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି।
/sambad/media/post_attachments/wp-content/uploads/2021/04/3-3-230x300.jpg)
ଡେଡ୍ କେନାଲ ଠାରୁ କାଡବୋର୍ଡ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଏବଂ ଆମାଜନ କମ୍ପାନି ଠାରୁ ପୁରୁଣା ଗ୍ଲୋବ ଆଲୁମିନିୟମ ସଂସ୍ଥା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ରାସ୍ତା ସାରା ଗାଢ଼ ସୃଷ୍ଟି ହୋଇ ପାଣି ଜମି ରହୁଛି। ଶିଳ୍ପାଞ୍ଚଳରେ ୫ ଲେନ ବିଶିଷ୍ଟ ରାସ୍ତା ମଧ୍ୟରୁ ୨ଟି ଲେନର ଅର୍ଦ୍ଧାଧିକ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି l ଜଳ ନିଷ୍କାସନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ଡ୍ରେନ ନିର୍ମାଣରେ ଖଞ୍ଜା ଯାଇଥିବା ପଥର ମଧ୍ୟରୁ ସିମେଣ୍ଟ ବାଲି ବାହାରି ଯାଇ ଖାଲି ପଥର ରହିଛି l ରକ୍ଷଣାବେକ୍ଷେଣ ଅଭାବରୁ ଡ୍ରେନ ପୋତି ହୋଇ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଡ୍ରେନ ପୋତି ହୋଇ ବଣବୁଦା ସୃଷ୍ଟି ହୋଇ ଅସ୍ୱାସ୍ଥ୍ୟ କର ପରିବେଶ ସୃଷ୍ଟି ହୋଇଛି। ସବୁ ଶିଳ୍ପ ସଂସ୍ଥାଙ୍କୁ ଏଯାଏ ପାନୀୟ ଜଳ ଯୋଗାଣ ହୋଇ ପାରି ନଥିବାରୁ ଶିଳ୍ପ ସଂସ୍ଥା ଗୁଡିକ ନିଜସ୍ୱ ଉଦ୍ୟମରେ ଜଳ ବ୍ୟବସ୍ଥା କରିଛନ୍ତି।
ଇଡ଼କୋ ପକ୍ଷରୁ ଜଳ ଯୋଗାଣ ପାଇଁ ନିର୍ମିତ ପାଣି ଟାଙ୍କି କାର୍ଯ୍ୟକ୍ଷମ ନହୋଇ ବିପଦ ସଂକୁଳ ଅବସ୍ଥାରେ ପଡ଼ି ରହିଛି। ବିଦ୍ୟୁତ ଖୁଣ୍ଟି ମାନଙ୍କରେ ଲାଇଟ ବ୍ୟବସ୍ଥା ନଥିବାରୁ ଶିଳ୍ପାଞ୍ଚଳ ଅନ୍ଧର ରହୁଛି। ଅସାମାଜିକଙ୍କ ଆଡା ଜମୁଛି। ଏ ସମ୍ପର୍କରେ ଜଗତପୁର ସ୍ଥିତ ଇଡ଼କୋ କର୍ତ୍ତୃପକ୍ଷଙ୍କୁ ଶିଳ୍ପଦ୍ୟୋଗୀ ମାନେ ବାରମ୍ବାର ଅଭିଯୋଗ କରିବା ପରେ ଡିଭିଜନ ମୁଖ୍ୟଯନ୍ତ୍ରୀ ଇଂ ଆର. କେ. ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିଥିଲେ। କିନ୍ତୁ ତାଙ୍କ ପରିଦର୍ଶନକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ସ୍ଥିତି ସୁଧାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।
ଆମାଜନ୍ ଇଣ୍ଡଷ୍ଟ୍ରିର ଶୁଭ୍ରକାନ୍ତ ପଣ୍ଡା କହିବା ଅନୁଯାୟୀ ସେ ଇଡକୋକୁ ୨୦ ହଜାର ଟଙ୍କା ବର୍ଷକୁ ଫି’ ଆକାରରେ ଦେଉଛନ୍ତି। ସିଏମ୍ସି ବି ଟ୍ରେଡିଂ ଲାଇସେନ୍ସ ତଥା ଅନ୍ୟାନ୍ୟ ଦେୟ ଶିଳ୍ପ ସଂସ୍ଥାଙ୍କ ଠାରୁ ଆଦାୟ କରୁଛି। କିନ୍ତୁ କେହି ବି ଭିତ୍ତିଭୂମି ସଜାଡିବା ଦିଗରେ ପଦକ୍ଷେପ ନେଉ ନାହାନ୍ତି। ଶିଳ୍ପ ସଂଘ ସଭାପତି ଅବନୀ କାନୁନଗୋ କହିବା ଅନୁଯାୟୀ ଇଡକୋ ବର୍ଷକୁ ହାରାହାରି ଭାବେ ଜଗତପୁର ଶିଳ୍ପାଞ୍ଚଳରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଦେୟ ଆକାରରେ ନେଉଛି। ସିଏମସି ବି ବିଭିନ୍ନ ଫି’ ଆଦାୟ କରୁଛି। ଏବେ ପ୍ରାୟ ୨୦ଟି ଶିଳ୍ପ ସଂସ୍ଥା ଠିକ ଢଙ୍ଗରେ ଚାଲୁଥିବା ବେଳେ ୧୦/୧୨ଟି ସଂସ୍ଥା ଚାଲିବା ସ୍ଥିତିରେ ଅଛନ୍ତି। ଅନ୍ୟ ସଂସ୍ଥା କିନ୍ତୁ ବିଭିନ୍ନ କାରଣରୁ ଅଚଳ ଅବସ୍ଥାରେ ଅଛନ୍ତି। କର୍ତ୍ତୃପକ୍ଷ ସହଯୋଗ ରହିଲେ ଶିଳ୍ପାଞ୍ଚଳର ବିକାଶ ସହିତ ଶିଳ୍ପ ସଂସ୍ଥା ଆଗକୁ ବଢି ପାରନ୍ତେ ବୋଲି ଶ୍ରୀ କାନୁନଗୋ କହିଛନ୍ତି।