‘ଦେଢ଼ ବର୍ଷ ଶିଶୁ ପାଇଁ ବଡ଼ ଲୋକଙ୍କ ଔଷଧ ଲେଖିଲେ ଡାକ୍ତର! ଭଗବାନ ସାହା ହେଲେ ବୋଲି ଜୀବନ ରହିଲା’

ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତରଙ୍କ ଦାୟିତ୍ୱହୀନତା ପାଇଁ ଦେଢ଼ ବର୍ଷ ଶିଶୁର ଜୀବନ ଯାଉ ଯାଉ ରହି ଯାଇଛି। ଦେଢ଼ ବର୍ଷ ଛୁଆ ପାଇଁ ଔଷଧ ଲେଖିବା ପରିବର୍ତ୍ତେ ଡାକ୍ତର ବାକୁ ଛୁଆର ମା’ ପାଇଁ ଔଷଧ ଲେଖିଥିଲେ । ହେଲେ ଅରକ୍ଷିତକୁ ଦଇବ ସାହା ହେଲା ଭଳି ନିରାମୟରେ ଔଷଧ ଦେଉଥିବା ପିଲା ପାଇଁ ଶିଶୁଟି ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲା। ଏ ଘଟଣାକୁ ନେଇ ଜିଲ୍ଲା ମୁଖ୍ୟଚିକତ୍ସାଳୟରେ ଭୀଷଣ ଉତ୍ତେଜନା ପ୍ରକାଶ ପାଇଥିଲା ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ଘଟଣାକୁ ଚାପି ଦେବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ।

ଗତକାଲି ପାଣିଶାଳିଆର ସନ୍ଧ୍ୟାରାଣୀ ସାହୁ ଦେଢ଼ ବର୍ଷର ଝିଅକୁ ଜ୍ୱର, କାଶ, ଥଣ୍ଡା ହୋଇଥିବାରୁ ତାକୁ ଆଣି ଡାକ୍ତରଖାନା ଆସିଥିଲେ। ଡାକ୍ତରଖାନାରେ ଡାକ୍ତର ସନ୍ତୋଷ କୁମାର ପରିଡ଼ାଙ୍କୁ ଦେଖାଇଥିଲେ। ହେଲେ ଡାକ୍ତରବାବୁ ଭଲ ଭାବରେ ଦେଖି ନ ଥଲେ। ତରତର ହୋଇ ପ୍ରେସ୍କ୍ରିପ୍ସନ ଲେଖି ଧରାଇ ଦେଇଥିଲେ। ଆଜ୍ଞା ଛୁଆ ଦେହରେ ଟିକେ ହାତ ମାରି ଦେଖନ୍ତୁ କହିବା ବେଳକୁ ଡାକ୍ତରବାବୁ ହାତରେ ପ୍ରେସ୍କ୍ରିପ୍ସନ ଧରାଇ ଦେଇଥିଲେ। ମହିଳା ଜଣଙ୍କ ନିରାମୟରୁ ଔଷଧ ଆଣିବା ବେଳେ ସେଠାରେ ଔଷଧ ଦେଉଥିବା ବ୍ୟକ୍ତି ଜଣଙ୍କ ଏ କାହା ପାଇଁ ନେଉଛ ପଚାରିଥିଲେ। ଦେଢ଼ ବର୍ଷର ଛୁଆ ପାଇଁ କହିବାରୁ ଜାଣି ପାରି ଏ ଔଷଧ ଭୁଲ୍‌ ଅଛି କହି ଫେରାଇ ଦେଇଥିଲେ। ଏହାପରେ ମହିଳା ଜଣକ ପୁଣି ଡାକ୍ତରଙ୍କୁ ଆସି କହିବାରୁ ସିରପ୍ ଲେଖି ଦେଇଥିଲେ। ଯାହାକୁ ନେଇ ମହିଳା ଜଣଙ୍କ କାନ୍ଦିବା ସହ କୋହଭରା କଣ୍ଠରେ ପାଟି କରିଥିଲେ। କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଆମେ ଆଜ୍ଞା ଗରିବ ଲୋକ ବୋଲି ଆମର କଣ ବଞ୍ଚିବାର ଅଧିକାର ନାହିଁ। ପୂର୍ବରୁ ଥରେ ଏମିତି ହୋଇଥିଲା। ଆଜି ଡାକ୍ତର ଛୋଟ ପିଲା ପାଇଁ ବଡ଼ଙ୍କ ଔଷଧ ଦେଉଛନ୍ତି। ଠାକୁର ସାହା ହେଲେ ବୋଲି ମୋ ପିଲା ବଂଚିଗଲା ନହେଲେ … କହି କାନ୍ଦି ଥିଲେ।

ତେବେ ଡାକ୍ତର ବାବୁ ଏକଥାକୁ ହାଲୁକା ଭାବରେ ଗ୍ରହଣ କରିଥିଲେ, ବହୁତ ଭିଡ଼ ଥିଲା। ସେ ପିଲା ପାଇଁ କହିଲେ ନାହିଁ ମୁଁ ମା’କୁ ଦେଖି ଔଷଧ ଦେଇଥିଲି। ମୋର କିଛି ଭୁଲ୍‌ ନାହିଁ ବୋଲି କହି ସଫେଇ ଦେଇଛନ୍ତି।

ତେବେ ଏ ଘଟଣା ଯେତିକି ଦୁଃଖ ଦାୟକ, ସେତିକି ନିନ୍ଦନୀୟ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ଏଭଳି ଘଟଣା ଘଟୁଛି। ଘରୋଇ ଡାକ୍ତରଖାନାରେ ଅର୍ଥ ଲୋଭରେ କିଛି ଡାକ୍ତର ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଆସି ଶୀଘ୍ର ତରତର ହୋଇ ଯାଉଛନ୍ତି। ଏମିତିକି ଷଡ଼ଯନ୍ତ୍ର କରି ଅପରାହ୍ନରେ ଓପିଡିକୁ ବନ୍ଦ କରି ଦେଇଛନ୍ତି। ଫଳରେ ଇମରଜେନ୍‌ସିରେ ଜଣେ କି ଦୁଇ ଜଣ ଡାକ୍ତର ବସୁଛନ୍ତି। ସେମାନେ ସବୁ ରୋଗୀଙ୍କ ପାଇଁ ଔଷଧ ଲେଖୁଛନ୍ତି।

ତେବେ ଏ ଘଟଣା ଜଣା ପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ଘଟଣାକୁ ଚାପି ଦେବାକୁ ଲାଗି ପଡ଼ିଥିଲେ। ତୁରନ୍ତ ଡାକ୍ତରଖାନାରୁ ଉକ୍ତ ମହିଳାଙ୍କୁ ନିଆଯାଇଥିଲା ଡାକ୍ତରବାବୁ ସିଟ୍‌ ଛାଡ଼ି ସିଡିଏମ୍‌ଓଙ୍କ ନିକଟକୁ ଚାଲି ଯାଇଥିଲେ। ସିଡ଼ିଏମ୍‌ଓ ଘଟଣା ସମ୍ପର୍କରେ କହିବାକୁ ମଧ୍ୟ ଏଡାଇ ଯାଇଥିଲେ। ତେବେ ଏଭଳି ଘଟଣାର ପୁନରାବୃତ୍ତି ନହେବାକୁ ଦାବି ହୋଇଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର