ଜଗତସିଂହପୁର ଟାଉନ୍: ପୌର ନିର୍ବାଚନ ଘୋଷଣା ପରିପ୍ରେକ୍ଷୀରେ ରାଜ୍ୟର ଅନ୍ୟତମ ଶିକ୍ଷିତ ତଥା ଶ୍ରେଷ୍ଠ ସାକ୍ଷର ଜିଲ୍ଲା ଭାବେ ପରିଗଣିତ ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଥିବା ଜଗତସିଂହପୁର ପୌରପରିଷଦ ପାଇଁ ନେତା ଏଥର ନିର୍ବାଚିତ ହେବାର ସୁଯୋଗ ପାଇବେ। କିନ୍ତୁ କଣ ପାଇଁ ଭୋଟ ଦେବେ ଓ କାହାକୁ ଭୋଟ ଦେଇ ଏହି ସହରର ଭାଗ୍ୟ ବଦଳାଇବେ ? ପ୍ରତ୍ୟେକଟି ଜଗତସିଂହପୁରିଆଙ୍କ ମନରେ ଏପରି ଉଦ୍ଭଟ ପ୍ରଶ୍ନ ଉଙ୍କି ମାରିଛି। ଅବଶ୍ୟ ଏହା ପଛରେ ବଳିଷ୍ଠ ଯୁକ୍ତି ମଧ୍ୟ ରହିଛି। କାରଣ ଏଠାରେ ନା ଅଛି ଉନ୍ନତ ସହରାଞ୍ଚଳର ରାସ୍ତା, ଆଲୋକୀକରଣ, ଗମନାଗମନ ସୁବିଧା, ଜଳଯୋଗାଣ, ଷ୍ଟାଡିୟମ, ଅବସରବିନୋଦନ କେନ୍ଦ୍ର, ବ୍ୟାୟାମଶାଳା, ପାର୍କ ଅବା ଏକ ଯୋଜାନାବଦ୍ଧ ସହରାଞ୍ଚଳର ପରିବେଶ। ଏବେବି ଏହା ଏକ ଅନୁନ୍ନତ ବଡ଼ ଗାଁର ଭ୍ରମ ସୃଷ୍ଟି କରୁଛି। ସହରର ଚାକଚକ୍ୟ ପରିବେଶ ନାହିଁ। ସହରବାସୀଙ୍କ ପାଇଁ ଅବହେଳିତ, ନିଷ୍ପେସିତ, ଯନ୍ତ୍ରଣା ଦାୟକ, ଅନୁନ୍ନତ ଭଳି ଶବ୍ଦ ହିଁ ବ୍ୟବହାର ଯଥେଷ୍ଟ ହେବ। ୧୯୭୨ରୁ ୨୦୨୧। ଜଗତସିଂହପୁର ସହରାଞ୍ଚଳ ଗଠନ ହେବାର ୪୯ ବର୍ଷ ବିତିବାକୁ ବସିଛି। ଆଉ କିଛି ମାସ ପରେ ଅର୍ଦ୍ଧ ଶତାବ୍ଦୀର ଇତିହାସ ହେବ ଜଗତସିଂହପୁର ପୌରାଞ୍ଚଳ। ପଡ଼ୋଶୀ ପୁରୀ, ଯାଜପୁର ଏମିତିକି ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ରାପଡ଼ା ପୌରାଞ୍ଚଳ ସହ ଜଗତସିଂହପୁରକୁ ଲୋକେ ତୁଳନା କରୁଛନ୍ତି। ସତରେ ଆମେ କେଉଠି ? ଏହି ୩୫ରୁ ୪୦ ହଜାର ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ସହରଟି ଓଡ଼ିଶାର କୌଣସି ଉପାନ୍ତ ସହରାଞ୍ଚଳ ଠାରୁ ମଧ୍ୟ ଅନୁନ୍ନତ। ନିର୍ବାଚନ ଆସିଲେ ନେତାଏ ପ୍ରତିଶ୍ରୁତିର ପାହାଡ ଛିଡ଼ା କରନ୍ତି। ପରେ ଯଥା ପୂର୍ବଂ ତଥା ପରଂ। ଏହା ୧୩.୦୩.୧୯୭୨ରେ ଏହା ବିଜ୍ଞାପିତ ଅଂଚଳ ଓ ୨୦୦୧ ଅଗଷ୍ଟ ୧୩ରେ ପୌରପରିଷଦ ଘୋଷଣା କରାଗଲା। ପୌରପରିଷଦ ଅଧୀନରେ ଥିବା ୨୧ଟି ୱାର୍ଡରେ ୨୦୧୧ ଜନଗଣନା ଅନୁସାରେ ୩୩ ହଜାର ୬୩୧ ଜଣ ବସବାସ କରୁଛନ୍ତି। ହେଲେ ଏଠାରେ ୯୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ବାସ ଓ କାରବାର ହେଉଛି ବୋଲି ଘରୋଇ ଭାବେ ଆକଳନ କରାଯାଉଛି। କିନ୍ତୁ ସହରବାସୀଙ୍କୁ ଉପଯୁକ୍ତ ସେବା ଉପଲବ୍ଧ ହେଉନାହିଁ। ସହରକୁ ସଂଯୋଗ କରୁଥିବା ରାସ୍ତା ଅଣଓସାରିଆ। କଟକକୁ ଯାତାୟାତ କଲେ ନାନା ସମସ୍ୟା ଭୋଗିବାକୁ ପଡ଼େ।
ଏମିତିକି ଭୁବନେଶ୍ବରରୁ ଆସୁଥିବା ସଚିବ ସ୍ତରୀୟ ବଡ଼ ଅଫିସର ଏଠାକୁ ଆସି ରହିବା ବା କାର୍ଯ୍ୟ ସମୀକ୍ଷା କରିବାକୁ ନାକ ଟେକନ୍ତି। ବରଂ ପାରାଦୀପକୁ ଅଧିକ ପସନ୍ଦ କରନ୍ତି। ଅଧିକାଂଶ ଗାଡ଼ି ମଟର ଜଗତସିଂହପୁର ସହର ଦେଇ ଯାତାୟାତ କରୁଥିବାରୁ ଟ୍ରାଫିକ୍ ସମସ୍ୟା ଉତ୍କଟ। ତେଣୁ ଏଥର ପୌର ନିର୍ବାଚନରେ ଟ୍ରାଫିକ୍ ସମସ୍ୟା, ରିଂରୋଡ୍, ସହରର ସବୁ ୱାର୍ଡକୁ କଂକ୍ରିଟ୍ ରାସ୍ତା, ବର୍ଷା ଜଳ ଓ ଡ୍ରେନ୍ ପାଣି ନିଷ୍କାସନ ବ୍ୟବସ୍ଥା ପାଇଁ ପୂର୍ଣ୍ଣାଙ୍ଗ ଡ୍ରେନେଜ୍ ବ୍ୟବସ୍ଥା ଗୁଡ଼ିକ ହିଁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ରହିବ। ସହର ମଧ୍ୟରେ ନାଗପୁର, ମାଧପୁର ଏବଂ ପାଣିଶାଳିଆ ଭଳି ତିନୋଟି ବଡ଼ ଡ୍ରେନ୍ ଯାଇଛି। ହେଲେ ସବୁ ଡ୍ରେନ୍ ଗୁଡ଼ିକ ମୁଷ୍ଟିମେୟ ବ୍ୟକ୍ତିଙ୍କ କବ୍ଜାରେ ଥିବାରୁ ସେସବୁ ପୁନରୁଦ୍ଧାର ମଧ୍ୟ ଜନପ୍ରତିନିଧିଙ୍କ ପାଇଁ ବଡ଼ ଆହ୍ବାନ ହେବ। ପୌରାଞ୍ଚଳରେ ଥିବା ପ୍ରାୟ ୩୬୦୦ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟରୁ ଅଧାରୁ ଅଧିକ ଅକାମୀ। ଦାୟିତ୍ବରେ ଥିବା ଠିକା ସଂସ୍ଥା ମରାମତି କରୁନାହିଁ କି ଆବଶ୍ୟକ ପଡ଼ୁଥିବା ନୂଆ ଷ୍ଟ୍ରିଟ୍ ଲାଇଟ୍ ଲଗାଉ ନାହିଁ। ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ସମ୍ଭବ ହୋଇ ନାହିଁ। ଠିକା ସଂସ୍ଥା ଦ୍ବାରା ପୌରାଚଂଳର ସଫେଇ ଧର୍ମକୁ ଆଖିଠାର ଭଳି ଲାଗୁଛି। ପ୍ରତି ୱାର୍ଡ ଗୁଡ଼ିକରୁ ଅଳିଆ ଉଠି ପାରୁ ନାହିଁ। ସରକାର ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ୍ ଓ ମାଟେରିଆଲ୍ ରିକଭରି ଫାସିଲିଟି(ଏମ୍ଆର୍ଏଫ୍) ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ ପ୍ରସ୍ତୁତ ହୋଇଥିଲେ ହେଁ ତାହା କାର୍ଯ୍ୟକ୍ଷମ ହେଉନାହିଁ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଯୋଗଧାରୀ ବସ୍ଷ୍ଟାଣ୍ତ ଅବ୍ୟହୃତ ହୋଇ ପଡ଼ିଛି। ଅବସର ବିନୋଦନ ପାଇଁ ସହରରେ ଭଲ ପାର୍କ ଟିଏ ନାହିଁ। ଉଠାଦୋକାନୀଙ୍କୁ ଥଇଥାନା କରାଯାଉ ନାହିଁ। କ୍ରୀଡ଼ାର ବିକାଶ ପାଇଁ ଏଠି ସୁଯୋଗ ନାହିଁ। ଏକମାତ୍ର ଷ୍ଟାଡ଼ିୟମ୍ ଦୁଇ ଦଶନ୍ଧି ପରେ ବି ପୂର୍ଣ୍ଣାଙ୍ଗ ହୋଇ ପାରୁନାହିଁ। ସହରର ଭିତ୍ତିଭୂମିକ ପ୍ରସଙ୍ଗକୁ ନେଇ ଆଗାମୀ ନିର୍ବାଚନ ରଣାଙ୍ଗନ ସରଗରମ ହେବ ଓ କାହା ପଲା ଭାରୀ ରହୁଛି ତାହା ଜଣାପଡ଼ିବ।