ଏବେ ପାରାଦୀପଠାରୁ ୨୮୦ କିମି ଦୂରରେ ରହିଛି ବାତ୍ୟା, ସୂଚନା ଦେଲା ପାଣିପାଗ ବିଭାଗ

ପାରାଦୀପ: ପ୍ରବଳ ବାତ୍ୟାର ରୂପ ନେଇଛି ୟାସ୍ । ସଂଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାର ରୂପ ନେବ । ବର୍ତ୍ତମାନ ଏହି ବାତ୍ୟା ପାରାଦୀପଠାରୁ ୨୮୦ କିମି ଦୂରରେ ରହିଛି । ତେବେ ଏହି ବାତ୍ୟା ୟାସ୍ କେଉଁଠି ସ୍ଥଳଭାଗ ଛୁଇଁବ ତାର ଆକଳନକୁ ପରିବର୍ତ୍ତନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଜାରି କରିଥିବା ତାଜା ବୁଲେଟିନରେ ବାତ୍ୟା ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି କୁହଯାଇଛି ।

ଧାମରାର ଦକ୍ଷିଣ ଏବଂ ଚାନ୍ଦବାଲିର ଉତ୍ତର ପଟକୁ ଏହା ସ୍ଥଳଭାଗ ଛୁଇଁପାରେ । ଆସନ୍ତାକାଲି ସକାଳ ସୁଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଆସନ୍ତାକାଲି ମଧ୍ୟାହ୍ନ ସୁଧା ଅତିଭୀଷଣ ବାତ୍ୟା ଆକାରରେ ୟାସ୍ ସ୍ଥଳଭାଗକୁ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ଏହା ଧାମରା ଓ ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି ଘଟାଇବ । ବର୍ତ୍ତମାନ ପାରାଦୀପ ଓ ଗୋପାଳପୁରର ଡପଲର ରାଡାରରୁ ବାତ୍ୟା ୟାସ୍ ଉପରେ ସର୍ତକ ନଜର ରଖାଯାଇଛି । ବଙ୍ଗୋପସାଗରରେ ଏହା ଭୀଷଣ ବାତ୍ୟା ଅକାରରେ ଘଂଟାକୁ ୧୭ କିଲୋମିଟର ବେଗରେ ଉତ୍ତର ଓଡ଼ିଶା ଆଡ଼କୁ ଆସୁଛି । ଏହା ପାରାଦୀପରୁ ୨୮୦ କିଲୋମିଟର ଓ ବାଲେଶ୍ୱରରୁ ୩୮୦ କିଲୋମିଟର ଦୂରରେ ରହିଛି ।

ତେବେ କାଲି ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଂଟା ରହିପାରେ ଏବଂ ପବନ ଝଟକା ଦେଇ ଘଂଟା ପ୍ରତି ୧୮୫ କିଲୋମିଟରକୁ ମଧ୍ୟ ଯାଇପାରେ । ତେବେ ବାତ୍ୟା ପ୍ରଭାବରେ ଆଜି ରାତିରୁ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପବନର ବେଗ ବଢ଼ିବା ଆରମ୍ଭ ହୋଇଯିବ ।

ସମ୍ବନ୍ଧିତ ଖବର