ଜଗତସିଂହପୁର ଗୋଟିଏ ଦିନରେ ୨ଟି ଗୁଳିକାଣ୍ଡ: ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର

ଜଗତସିଂହପୁର: ମାତ୍ର ୧୨ ଘଣ୍ଟା ମଧ୍ୟରେ ଜଗତସିଂହପୁରରେ ୨ଟି ଗୁଳିକାଣ୍ଡ ଘଟିଛି। ପ୍ରଥମ ଘଟଣାଟି ଶୁକ୍ରବାର ଅପରାହ୍ନରେ ଘଟିଥିବା ବେଳେ ୨ୟ ଘଟଣାଟି ରାତିରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ବଜାର ଉପରେ ଆଜି ରାତିରେ ଗୁଳିକାଣ୍ଡ ଘଟିଛି। ଦାବାବଟିକୁ କେନ୍ଦ୍ର କରି ଔଷଧ ଦୋକାନୀଙ୍କ ଉପରକୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି। ଗୁଳିକାଣ୍ଡ ଘଟଣାରେ ଶେଖଅବୁ ସେଫିଜାନଙ୍କ ତଳି ପେଟରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ଛାନଭିନ୍‌ କରିଛି।

ଆଜି ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ଆସି ଜଣେ ଯୁବକଙ୍କୁ ଗୁଳି କରିଛନ୍ତି। ଏହି ଗୁଳିକାଣ୍ଡ ଘଟଣାରେ ଜଗତସିଂହପୁର ଟାଉନ ଥାନା ଅନ୍ତର୍ଗତ ତେନ୍ଦୁଆ ଗାଁର ଯୁବକ ଦିବ୍ୟସ୍ୱରୂପ ସାହୁ ଗୁରୁତର ଆହତ ହୋଇଛନ୍ତି। ଦିବ୍ୟସ୍ୱରୂପଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ତେନ୍ଦୁଆ ଗ୍ରାମର ଦିବ୍ୟସ୍ୱରୂପ ଆଜି ଅପରାହ୍ନରେ ଘରେ ଥିବା ବେଳେ ୩ଟି ବାଇକରେ ୫ଜଣ ଯୁବକ ପହଞ୍ଚି ଥିଲେ। ଏହା ପରେ ଟଙ୍କା ପଇସାକୁ କେନ୍ଦ୍ର କରି ଦିବ୍ୟସ୍ୱରୂପ ଓ ବାଇକ୍‌ରେ ଆସିଥିବା ୫ଜଣ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ବିବାଦ ବଢ଼ିଥିଲା। ପୂର୍ବରୁ ଟାର୍ଗେଟ କରି ଆସିଥିବା ଯୁବକମାନେ ଦିବ୍ୟସ୍ୱରୂପଙ୍କୁ ଗୁଳି କରି ଘଟଣାସ୍ଥଳକୁ ଫେରାର ହୋଇଯାଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର