ସମୁଦ୍ରରେ ବୁଡ଼ିଯାଉଥିବାବେଳେ ୩ ବାଂଲାଦେଶୀ ନାବିକଙ୍କୁ ଉଦ୍ଧାର କଲେ ପାରାଦୀପ ବନ୍ଦର କର୍ମଚାରୀ

ପାରାଦୀପ : ପାରାଦୀପ ବନ୍ଦର କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଆଜି ସମୁଦ୍ରରେ ବୁଡ଼ିଯାଉଥିବା ୩ ଜଣ ବାଂଲାଦେଶୀ ନାବିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସେମାନେ ସୁସ୍ଥ ଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଲୁହାପଥର ପରିବହନ କରିବାକୁ ବାଂଲାଦେଶରୁ ଆସିଥିବା ଓସନ୍ ସେଞ୍ଚୁରୀ ନାମକ ଜାହାଜ ପାରାଦୀପର ଆଙ୍କରେଜରେ ଆଜି ଅପେକ୍ଷା କରିଥିଲା ।  ତେବେ କୌଣସି କାରଣ ବଶତଃ ଏହାର ୩ଜଣ ବାଂଲାଦେଶୀ ନାବିକ ସମୁଦ୍ର ମଧ୍ୟକୁ ଖସି ପଡିଥିଲେ ଓ ଅଶାନ୍ତ ସମୁଦ୍ର ମଧ୍ୟରେ ଭାସି ଯାଉଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ସେକେଣ୍ଡ ଓ ଥାର୍ଡ ଇଂଜିନିୟର ଓ ଆଉ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର । ସୂଚନା ପାଇବା ମାତ୍ରେ ପାରାଦୀପ ବନ୍ଦର ହାର୍ବର ମାଷ୍ଟର କ୍ୟାପଟେନ୍ ଅଲେଖ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଠିକଣା ପଦକ୍ଷେପ ନିଆଯାଇ, ବନ୍ଦରର ପେଟ୍ରୋଲିଂ କ୍ରାଫ୍ଟ ଓ ଟଗ୍ ବୋଟକୁ ସେଠାକୁ ପଠାଯାଇ ଆଜି ଅପରାହ୍ନରେ ଲଗାଣ ବର୍ଷା ବିତ୍ପାତ ଓ ଅଶାନ୍ତ ସମୁଦ୍ର ସତ୍ତ୍ବେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସେମାନଙ୍କୁ ପାରାଦୀପ ବନ୍ଦର ଚିକିତ୍ସାଳୟରେ ପ୍ରାଥମିକ ଉପଚାର କରାଯାଇଥିଲା । ସେମାନେ ସୁସ୍ଥ ଥିବା ବନ୍ଦର ପକ୍ଷରୁ କୁହାଯାଇଛି । ବୁଡିଯାଇଥିବା ରେସ୍କ୍ୟୁ ବୋଟକୁ ବି ଉଦ୍ଧାର କରି ବନ୍ଦର ମଧ୍ୟକୁ ଅଣାଯିବା ପାଇଁ ଉଦ୍ୟମ ଜାରି ରହିଛି ।

ବନ୍ଦରର ଉପ-ସଂରକ୍ଷକ କ୍ୟାପଟେନ ଅତୁଲ୍ୟ କୁମାର ମହାପାତ୍ର, ବିଭାଗୀୟ ଅଧିକାରୀଙ୍କ ଓ କର୍ମଚାରୀଙ୍କ ଦୁଃସାହସିକ ପଦକ୍ଷେପର ଭୂୟସୀ ପ୍ରଶଂସା କରିଛନ୍ତି । ପାରାଦୀପ ସହରରେ ବିଭାଗୀୟ କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପ ସଂପର୍କରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର