ପାରାଦୀପରୁ ଆନ୍ତର୍ଜାତିକ ଠକ ସଂସ୍ଥାର ୩ ଗିରଫ, ଦୁଇ ଦିନରେ ଆଦାୟ କରିଥିଲେ ଦୁଇ ଲକ୍ଷ

ଦେଶ ତଥା ଦେଶ ବାହାରେ ୬୦ରୁ ଅଧିକ ଅଭିଯୋଗ

ଜଗତସିଂହପୁର : ଓଡ଼ିଶା ତଥା ଦେଶର ବିଭିନ୍ନ ରାଜ୍ୟରେ ସାଧାରଣ ଲୋକଙ୍କୁ ବିଭିନ୍ନ ଲୋଭନୀୟ ଅଫର୍‌ ଦେଇ କୋଟିକୋଟି ଟଙ୍କା ଠକି ନେଇଥିବା ଅଞ୍ଜଳି ଟ୍ରେଡର୍ସ ନାମକ ସଂସ୍ଥାର ୩ ଜଣଙ୍କୁ ଗିରଫ କରିଛି ପାରାଦୀପ ଥାନା ପୁଲିସ। ଏହି ସଂସ୍ଥା ନାମରେ ରାଜ୍ୟ ତଥା ଦେଶର ବିଭିନ୍ନ ଥାନା ଏମିତିକି ଦେଶ ବାହାରେ ବି ୬୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି। ଯେଉଁ ସବୁ ଥାନାରେ ଏହି ସଂସ୍ଥା ନାମରେ ମାମଲା ରହିଛି, ସେମାନେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପାରିବେ ବୋଲି ପାରାଦୀପ ଥାନା ଆଇଆଇସି ଶୁଭ୍ରାଂଶୁ ନାୟକ କହିଛନ୍ତି। ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ତାମିଲନାଡୁର ମୁଥୁରମଣ (୪୯), ରାଜା (୪୩) ଓ ମୁଥୁ ଧର୍ମଲିଙ୍ଗମ୍‌ (୪୬)। ସେମାନଙ୍କ ବିରୋଧରେ ଦଫା ୪୦୬, ୪୨୦, ୩୪ ଆଇପିସି ଓ ପ୍ରାଇଜ୍‌ ଚିଟ୍‌ସ ମନି ସର୍କୁଲେସନ୍‌ ସ୍କିମ୍‌ (ବ୍ୟାନିଙ୍ଗ୍‌) ଆକ୍ଟ-୧୯୭୮ର ଧାରା ୪ ଓ ୫ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ଅଞ୍ଜଳି ଟ୍ରେଡର୍ସ ନାଁରେ ରାଇରଙ୍ଗପୁରରେ ୬୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଥିବା ବେଳେ ସମ୍ବଲପୁରରେ ୧୩ ଲକ୍ଷ ଟଙ୍କା ଓ ସୁନ୍ଦରଗଡ଼ରେ ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ଏହି କମ୍ପାନି ନେପାଳ ଓ ଭୂଟାନରେ ୪ କୋଟିରୁ ଅଧିକ ଟଙ୍କା ଠକିଛି। କଂପାନି ବିରୋଧରେ ଯେଉଁ ସବୁ ଅଞ୍ଚଳରେ ଅଭିଯୋଗ ରହିଛି, ସେଠୁ ପଳାଇ ଆସି ପାରାଦୀପରେ ନିଜର କାରବାର ଆରମ୍ଭ କରିଥିଲା। ମାତ୍ର ଦୁଇ ଦିନ ଭିତରେ ଏହି କମ୍ପାନି ପାରାଦୀପରେ ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଦେଇ ଲୋକଙ୍କଠାରୁ ପାଖାପାଖି ଦୁଇ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା। ପୂର୍ବରୁ ୨୦୦୯ ମସିହାରେ ତାମିଲନାଡ଼ୁର ଏହି କମ୍ପାନି ପାରାଦୀପରେ ଏମିତି କାରବାର ଚଳାଇଥିଲା। ପୁଲିସ୍‌ ନଜରକୁ ଏ ଘଟଣା ଆସିବା ପରେ କମ୍ପାନିର କର୍ମଚାରୀଙ୍କୁ ପୁଲିସ ଅଟକ ରଖି ଜେରା କରିଥିଲା। ଜେରାରୁ ଧିରେଧିରେ ବିଭିନ୍ନ ତଥ୍ୟ ସାମନାକୁ ଆସିଥିଲା।

ସମ୍ବନ୍ଧିତ ଖବର