ଜଗତସିଂହପୁର: ଚଳିତ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି। ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ ଚଳିତଥର ନିର୍ବାଚନରେ ସମୁଦାୟ ୪ଜଣ କୋଟିପତି ପ୍ରାର୍ଥୀ ଥିବା ଜଣାପଡ଼ିଛି। ଜଗତସିଂହପୁର ବିଧାନସଭା ଆସନରୁ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ବାଳ ପ୍ରଥମ ସ୍ଥାନରେ ରହିଥିବା ବେଳେ ପାରାଦୀପ ଆସନରୁ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ଦ୍ବିତୀୟ, ଏହି ଆସନରୁ ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ ତୃତୀୟ ଓ ତିର୍ତ୍ତୋଲ ଆସନରୁ ବିଜେଡି ପ୍ରାର୍ଥୀ ବିଷ୍ଣୁଚରଣ ଦାସ ଚତୁର୍ଥ ସ୍ଥାନରେ ରହିଛନ୍ତ।
ଜଗତସିଂହପୁରରୁ କଂଗ୍ରେସ ଟିକେଟରେ ବିଧାୟକ ପ୍ରାର୍ଥୀ ଚିରଞ୍ଜୀବଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୯୫ଲକ୍ଷ ୬୫ହଜାର ୯୨୯ଟଙ୍କା। ତାଙ୍କ ପତ୍ନୀଙ୍କ ନାଁରେ ୨କୋଟି ୨୭ଲକ୍ଷ ୧ହଜାର ୪୫୭ଟଙ୍କା ରହିଛି। ତା’ଛଡ଼ା, ଚିରଞ୍ଜୀବ ଅବିଭକ୍ତ ନିର୍ଭରଶୀଳ ପରିବାରର ସମ୍ପତ୍ତି ୨୩ ଲକ୍ଷ ୫୩ ହଜାର ୩୨୬ ଟଙ୍କା ବୋଲି ଜଣାପଡ଼ିଛି। ଏ ସବୁକୁ ମିଶାଇ ଚିରଞ୍ଜୀବଙ୍କ ପରିବାରର ମୋଟ୍ ଅସ୍ଥାବର ସମ୍ପତ୍ତି ୪ କୋଟି ୪୬ ଲକ୍ଷ ୨୦ ହଜାର ୭୧୨ ଟଙ୍କା ରହିଛି। ସେହିପରି ଚିରଞ୍ଜୀବଙ୍କ ପତ୍ନୀଙ୍କ ନାଁରେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୯୨ ଲକ୍ଷ ୮୬ ହଜାର ୪୯୪ ଟଙ୍କା ଥିବା ବେଳେ ପତ୍ନୀଙ୍କ ନାଁରେ ପୈତୃକ ସମ୍ପତ୍ତି ୨୩ କୋଟି ୭୭ ଲକ୍ଷ ୨୬ ହଜାର ୮୯୪ ଟଙ୍କା ରହିଛି। ଏହା ସହ ତାଙ୍କ ଯୌଥ ପରିବାରର ସମ୍ପତ୍ତି ୫ କୋଟି ୧୯ ଲକ୍ଷ ୮ ହଜାର ୧୧୨ ଟଙ୍କା ଥିବା ଜଣାପଡ଼ିଛି। ତେବେ, ଚିରଞ୍ଜୀବଙ୍କ ନାଁରେ ୯ ଲକ୍ଷ ୯୧ ହଜାର ୩୯୦ ଟଙ୍କା ଓ ପତ୍ନୀଙ୍କ ନାଁରେ ୬୧ ଲକ୍ଷ ୫୦ ହଜାର ଟଙ୍କା ଋଣ ରହିଛି। ଚିରଞ୍ଜୀବଙ୍କ ମୋଟ୍ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୯ କୋଟି ୧୬ ଲକ୍ଷ ୩୪ ହଜାର ୧୦୦ ଟଙ୍କା ଥିବା ସତ୍ୟପାଠରେ ଦର୍ଶାଯାଇଛି।
ସେହିପରି ପାରାଦୀପରୁ ବିଜେଡି ପ୍ରାର୍ଥୀ ହୋଇଥିବା ସମ୍ବିତଙ୍କ ଅସ୍ଥାବର ସମ୍ପତ୍ତି ୧ କୋଟି ୩୦ ଲକ୍ଷ ୭୦ ହଜାର ୬୩୭ ଟଙ୍କା ଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁରେ ୫୩ ଲକ୍ଷ ୩୪ ହଜାର ୭୪୧ ଟଙ୍କା ରହିଛି। ଦୁହିଁଙ୍କ ନାଁରେ ସମୁଦାୟ ୧ କୋଟି ୮୪ ଲକ୍ଷ ୫ ହଜାର ୩୭୮ ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବା ଦର୍ଶାଯାଇଛି। ସେହିପରି ସମ୍ବିତଙ୍କ ନାଁରେ ୪୯ ଲକ୍ଷ ୭୯ ହଜାର ୩୩୯ ଟଙ୍କା ଓ ପତ୍ନୀଙ୍କ ନାଁରେ ୭ ଲକ୍ଷ ୯୦ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ଥିବା ଦର୍ଶାଯାଇଛି। ଏହା ସହ ସମ୍ବିତଙ୍କ ନାଁରେ ୧୯ଲକ୍ଷ ୨୪ ହଜାର ୬୧୫ ଟଙ୍କା ଓ ତାଙ୍କ ପତ୍ନୀଙ୍କ ନାଁରେ ୫ ଲକ୍ଷ ୯୮ ହଜାର ୯୮୭ ଟଙ୍କାର ଋଣ ରହିଛି। ସମ୍ବିତଙ୍କ ମୋଟ୍ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୫ କୋଟି ୨୪ ଲକ୍ଷ ୨୯ ହଜାର ୭୧୭ ଟଙ୍କା ଥିବା ଦର୍ଶାଯାଇଛି। ସେହିପରି ପାରାଦୀପରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଥିବା ସମ୍ପଦ ସ୍ବାଇଁ କୋଟିପତିଙ୍କ ତାଲିକାରେ ତିନି ନମ୍ବରରେ ରହିଛନ୍ତି। ସମ୍ପଦଙ୍କ ଅସ୍ଥାବର ସମ୍ପତ୍ତି ୧ କୋଟି ୨୬ ଲକ୍ଷ ୩୩ ହଜାର ୯୪୨ ଟଙ୍କା ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୮ ଲକ୍ଷ ୧୪ ହଜାର ୪୩୮ ଟଙ୍କା। ତାଙ୍କ ଯୌଥ ପରିବାରର ସମ୍ପତ୍ତି ୪ ଲକ୍ଷ ୫୭ ହଜାର ୬୦୦ ଟଙ୍କାଙ୍କୁ ମିଶାଇ ମୋଟ୍ ଅସ୍ଥାବର ସମ୍ପତ୍ତି ୧ କୋଟି ୪୯ ଲକ୍ଷ ୫ ହଜାର ୯୮୦ ଟଙ୍କା। ସମ୍ପଦଙ୍କ ବ୍ୟକ୍ତିଗତ ସ୍ଥାବର ସମ୍ପତ୍ତି ୪୭ ଲକ୍ଷ ୧୪ ହଜାର ୩୫୬ ଟଙ୍କା। ଏହା ସହ ଉରାଧିକାରୀ ଭାବେ ପାଇଥିବା ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ ଲକ୍ଷ ୪୫ ହଜାର ୩୩୩ ଟଙ୍କା। ସମ୍ପଦଙ୍କ ନାଁରେ ୧୨ ଲକ୍ଷ ୫୦ ହଜାର ୭୫୦ ଟଙ୍କାର ବ୍ୟାଙ୍କ୍ ଋଣ ରହିଛି। ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୋଟ ୮ କୋଟି ୧୫ ଲକ୍ଷ ୫ ହଜାର ୬୬୯ ଟଙ୍କା ଥିବା ସତ୍ୟପାଠରେ ଦର୍ଶାଯାଇଛି। ସେହିପରି ଜିଲ୍ଲାରେ ଚତୁର୍ଥ ଧନୀ ତାଲିକାରେ ଅଛନ୍ତି ତିର୍ତ୍ତୋଲରୁ ବିଜେଡି ପ୍ରାର୍ଥୀ ହୋଇଥିବା ବିଷ୍ଣୁଚରଣ ଦାସ। ବିଷ୍ଣୁଙ୍କ ଅସ୍ଥାବର ସମ୍ପତ୍ତି ୧ କୋଟି ୩ ଲକ୍ଷ ୫୭ ହଜାର ୮୦୧ ଟଙ୍କା ଓ ତାଙ୍କ ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ୨ ଲକ୍ଷ ୬୪ ହଜାର ୬୦୯ ଟଙ୍କା ହୋଇଥିବା ବେଳେ ତାଙ୍କ ଉପରେ ନିର୍ଭରଶୀଳ ପୁଅଙ୍କ ନାଁରେ ୫୧ ଲକ୍ଷ ୮୫ ହଜାର ୮୯୧ ଟଙ୍କା ଅସ୍ଥାବର ସମ୍ପତ୍ତି ରହିଛି। ସେହିପରି ବିଷ୍ଣୁଙ୍କ ନାମରେ ୧ କୋଟି ୧୪ ଲକ୍ଷ ୪୦ ହଜାର ଟଙ୍କା ଓ ତାଙ୍କ ପୁଅଙ୍କ ନାଁରେ ୪ ଲକ୍ଷ ୫୦ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଏହା ସହ ବିଷ୍ଣୁଙ୍କ ନାଁରେ ୩୮ ଲକ୍ଷ ୬ ହଜାର ୬୪୮ ଟଙ୍କାର ବ୍ୟାଙ୍କ ଋଣ ରହିଛି। ବିଷ୍ଣୁଙ୍କ ମୋଟ୍ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୧ କୋଟି ୫୮ ଲକ୍ଷ ୮ ହଜାର ୩୦୧ ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି।
ଜଗତସିଂହପୁରରେ ଚାରି ବିଧାୟକ ପ୍ରାର୍ଥୀ କୋଟିପତି
ଚିରଞ୍ଜୀବ ସବୁଠାରୁ ଧନୀ
/sambad/media/post_attachments/wp-content/uploads/2019/04/jgtsghpr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)