ଜଗତସିଂହପୁର: ଅଭୟଚାନ୍ଦପୁର ଥାନା ଅଧୀନରେ ଘଟିଥିବା ବହୁଚର୍ଚ୍ଚିତ ଟ୍ରକ୍ ଚାଳକଙ୍କୁ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୁଲିସ ୫ ଜଣ ହୁକୁମ ସିଂ, ହରପାଲ ସିଂ, ଅମଜାଦ ଖାଁ, ଯୋଗେଶ୍ବର ବାରିକ ଓ ଏସକେ ବିଲାଲଉଦ୍ଦିନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଆଉ ୨-୩ ଜଣ ଯୁବକଙ୍କ ନାଁ ଆସୁଥିବାରୁ ପୁଲିସ ଅଧିକ ତଦନ୍ତ ଚଳାଇଛି। ବିଶେଷ କରି ଆସାମୀମାନେ ଏକତ୍ର ହୋଇ ବୈଠକ କରୁଥିବା ମୟୁରଭଞ୍ଜ ବୈଶିଙ୍ଗାରେ ଥିବା ଏକ ଢ଼ାବାର ସିସିଟିଭି ଫୁଟେଜ୍ ଯାଞ୍ଚ ଚାଲିଛି। ଯଦି ଆଉ କାହାରି ସମ୍ପୃକ୍ତି ଥିବାର ଖବର ମିଳେ, ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନା ଇନସପେକ୍ଟର ଜୀବନାନନ୍ଦ ଜେନା ସୂଚନା ପ୍ରଦାନ କରିଛନ୍ତି।
/sambad/media/post_attachments/wp-content/uploads/2022/09/IMG-20220927-WA0012-225x300.jpg)
ଇନସପେକ୍ଟର ଶ୍ରୀ ଜେନାଙ୍କ ସୂଚନା ମୁତାବକ, ଗତ ୨୧ ତାରିଖ ବିଳମ୍ବିତ ରାତିରେ ଗୁଜୁରାଟର ଏକ ଟ୍ରକ(ଜିଜେ୦୮ ଏୟୁ ୧୫୩୯)କୁ ଏମାନେ ଚୋମରି କରିବା ପାଇଁ ଯୋଜନା କରିଥିଲେ। ଏହି ଟ୍ରକରେ ହେଲପର ନଥିବା ବେଳେ କେବଳ ଏହାର ଚାଳକ ସହଦେବ ଆଲମ ଆଇଓସିଏଲରୁ ମାଲ୍ ନେବା ପାଇଁ ଆସିଥିଲେ। ଯେହେତୁ ସେ ଏକୁଟିଆ ଥିଲେ, ସେଥିପାଇଁ ଆସାମୀମାନେ ତାଙ୍କୁ ଟାର୍ଗେଟ୍ କରିଥିଲେ। ଏହି ପାଞ୍ଚ ଜଣ ଯାକ ସହଦେବଙ୍କ ସହ ସମ୍ପର୍କ ଯୋଡ଼ି ତାଙ୍କୁ ପ୍ରଚୁର ମାତ୍ରାରେ ମଦ ପିଆଇଥିଲେ। ପରେ ମାଲ୍ ନେଇ ଯିବା ସମୟରେ ଭୂତମୁଣ୍ଡାଇ ପୋଲ ଉପରୁ ତାଙ୍କୁ ଅଥଳ ମହାନଦୀକୁ ପେଲି ଦେଇଥିଲେ। ଏହାପରେ ସେମାନେ ଟ୍ରକଟିକୁ ସିଧା ମୟୁରଭଞ୍ଜ ବୈଶିଙ୍ଗା ଥାନା ଅଧୀନ ଏକ ଢ଼ାବାକୁ ନେଇଯାଇଥିଲେ। ସେଠାରେ ସେମାନେ ଅଧିକାଂଶ ସମୟରେ ଏକାଠି ହୁଅନ୍ତି ଓ ଟ୍ରକରୁ ପର୍ଯ୍ୟାପ୍ତ ପରିମାଣରେ ତେଲ ଚୋରି କରି ବିକ୍ରି କରିଦିଅନ୍ତି। ଏଣୁ ସେଠାରେ ସମସ୍ତେ ଏକାଠି ହୋଇ ଟ୍ରକଟିକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ତୁରନ୍ତ ସେଠାରେ ୪ ଲକ୍ଷ ୬୦ ହଜାର ଟଙ୍କାରେ ଉକ୍ତ ଟ୍ରକଟିକୁ ବିକ୍ରି କରିବାକୁ ଗ୍ରାହକ ମଧ୍ୟ ଯୋଗାଡ଼ କରିଥିଲେ। ଉକ୍ତ ଢ଼ାବା ମାଲିକଙ୍କୁ ହିଁ ସେମାନେ ଏହି ଟ୍ରକଟିକୁ ବିକ୍ରି କରିବା ପରେ ତାଙ୍କଠାରୁ ଦୁଇ ଲକ୍ଷ ଟଙ୍କା ନେଇଥିଲେ। ଟ୍ରକଟିକୁ କାଟି କବାଡ଼ିଆଙ୍କୁ ବିକ୍ରି କରିବା ପାଇଁ ଯୋଜନା କରି ସେମାନେ ଚାନ୍ଦୁଆ ଥାନା ଅଧୀନ ଏକ ଜଙ୍ଗଲରେ ରଖିଥିଲେ।
ଏପଟେ ଚାଳକଙ୍କୁ ମହାନଦୀକୁ ପେଲି ଦେଇ ଟ୍ରକଟିକୁ କାଟି ଦେଲେ ସମ୍ପୂର୍ଣ୍ଣ ପ୍ରମାଣ ହଜିଯିବ ବୋଲି ଚିନ୍ତା କରି ଆସାମୀମାନେ ଏମିତି ପଦକ୍ଷେପ ନେଇଥିଲେ। ମାତ୍ର ଚାନ୍ଦୁଆ ଥାନା ପୁଲିସ ପାଟ୍ରୋଲିଂ ସମୟରେ ଏହି ଟ୍ରକଟିକୁ ଦେଖିବାକୁ ପାଇଥିଲେ। ମାଲିକଙ୍କ ସହ ଯୋଗାଯୋଗ କରିବା ପରେ ପ୍ରମାଣପତ୍ର ଦେଖି ତାଙ୍କୁ ଏହି ଟ୍ରକଟି ଦେଇ ପୁଲିସ ତଦନ୍ତକୁ ଜୋରଦାର କରିଥିଲା। ଏପଟେ ଅଭୟଚାନ୍ଦପୁର ଥାନା ପୁଲିସ ମଧ୍ୟ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନେବାରୁ ଜଣକ ପରେ ଜଣେ ଆସାମୀ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଚାଳକ ସହଦେବଙ୍କ ମୃତଦେହ ମିଳିନଥିବାରୁ ପୁଲିସ ଏ ନେଇ ହତ୍ୟା ମାମଲା ରୁଜୁ କରିପାରିନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/js.jpg)