ଏସ୍‌ସିବିରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ୫

ଏରସମା କନାଗୁଳି ମହିଳାଙ୍କ ମୃତ୍ୟୁ ରିପୋର୍ଟକୁ ଅପେକ୍ଷା, ଆତଙ୍କରେ ଗାଁ ଛାଡ଼ୁଛନ୍ତି ଗର୍ଭବତୀ ମହିଳା, ଶିଶୁ

କଟକ/ଜଗତସିଂହପୁର : ଏସ୍‌ସିବି ମେଡିକାଲ୍‌ରେ ଆଜି ଦୁଇ ଜଣ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୋଟିଏ ଡେଙ୍ଗୁ ମୃତ୍ୟୁକୁ ବଡ ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରୁଥିବା ବେଳେ ଏରସମା ଅଞ୍ଚଳର ଜଣେ ମହିଳାଙ୍କ ମୃତ୍ୟୁକୁ ଏଯାଏ ସ୍ପଷ୍ଟ କରୁ ନାହାନ୍ତି। ସେହି ମହିଳାଙ୍କ ମୃତ୍ୟୁକୁ ହିସାବକୁ ନେଲେ ଚଳିତ ବର୍ଷ ଏସସିବିରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଡେଙ୍ଗୁରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି ରାୟଗଡ଼ା ସବ୍‌ ଜେଲ୍‌ର କଏଦୀ ରବିନ୍ଦ୍ର ନାୟକ (୨୫)। ଜେଲ୍‌ରେ ଥିବାବେଳେ ରବିନ୍ଦ୍ର ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲାବେଳେ ତାଙ୍କୁ ପ୍ରଥମେ ରାୟଗଡ଼ାର ଜିଲ୍ଲା ହସ୍‌ପିଟାଲ୍‌ରେ ଗତ ୩ ତାରିଖରେ ଭର୍ତ୍ତି କରାଯାଇଥିଲା। ପରେ ୫ ତାରିଖରେ ତାଙ୍କୁ ଏମ୍‌କେସିଜି ମେଡିକାଲ୍‌ କଲେଜକୁ ପଠାଇ ଦିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ୯ ତାରିଖରେ ଏସ୍‌ସିବି ମେଡିକାଲ୍‌କୁ ପଠାଯାଇଥିଲା। ଏଠାରେ ତାଙ୍କୁ ମେଡିସିନ୍‌ ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଆଜି ଭୋର ସାଢେ ୩ଟା ବେଳେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଓ୍ଵାର୍ଡରେ ୧୨୨ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ଆଇସିୟୁରେ ୧୭ଜଣଙ୍କର ଚିକିତ୍ସା ଚାଲିଛି। ଆଜି ୧୬୦ ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୫୦ ରିପୋର୍ଟ ପଜିଟିଭ୍‌ ବାହାରିଛି। ଜଗତସିଂହପୁରରୁ ସର୍ବାଧିକ ୨୧, କଟକରୁ ୧୭, ବାଲେଶ୍ୱରରୁ ୪, ଯାଜପୁର ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ନୟାଗଡ଼, ସମ୍ବଲପୁରରୁ ଜଣେ ଲେଖାଏଁ ରୋଗୀଙ୍କ ରକ୍ତ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି।

ଅନ୍ୟପଟେ ଜଗତସିଂହପୁର ଜିଲ୍ଲା ଏରସମା କୁଞ୍ଜକୋଠି ପଞ୍ଚାୟତ କନାଗୁଳି ଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଶାନ୍ତିଲତା ନାୟକଙ୍କର ମୃତ୍ୟୁ ହୋଇଛି। ଶାନ୍ତିଲତାଙ୍କ ମୃତ୍ୟୁ ଡେଙ୍ଗୁ ଯୋଗୁଁ ହୋଇଛି ବୋଲି ପରିବାର ଲୋକ ଓ ଗ୍ରାମବାସୀ କହୁଛନ୍ତି। ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏସ୍‌ସିବି ରିପୋର୍ଟ ଆସି ନଥିବାରୁ ଏ ସଂକ୍ରାନ୍ତରେ ସ୍ପଷ୍ଟ କରି ନାହିଁ। କନକଲତା ଉଭୟ ଶ୍ୱାସ ଏବଂ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି କୁହାଯାଉଛି। ବର୍ତ୍ତମାନ ସରକାରୀ ଭାବେ ଗାଁରେ ୧୬୬ ଜଣ ଡେଙ୍ଗୁ ହୋଇଛି ବୋଲି କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୨୦୦ରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଗାଁରେ ଡେଙ୍ଗୁ ନିୟନ୍ତ୍ରଣକୁ ଆସୁ ନଥିବାରୁ ଗର୍ଭବତୀ ମହିଳା ଓ ଛୋଟ ଛୋଟ ପିଲା ସେମାନଙ୍କ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଉଛନ୍ତି।

ସମ୍ବନ୍ଧିତ ଖବର