୫ରେ ପାଳନ ହେବ ବିଶ୍ବ ପରିବେଶ ଦିବସ:ଲାଗୁଛି ଯେତିକି, କଟୁଛି ସେତିକି

ବୃକ୍ଷରୋପଣ ପାଲଟିଛି ପ୍ରହସନ

0

ଜଗତସିଂହପୁର: ଆସନ୍ତା ୫ ତାରିଖରେ ବିଶ୍ବ ପରିବେଶ ଦିବସ। ଏହାକୁ ସରକାରୀ ଓ ବେସରକାରୀ ସ୍ତରରେ ପାଳନ କରାଯିବା ପାଇଁ ବି‌ଶେଷ ଆୟୋଜନ ଚାଲିଛି। ହେଲେ, କାର୍ଯ୍ୟ କ୍ଷେତ୍ରରେ ପରିବେଶ ସୁରକ୍ଷା ପାଇଁ ପ୍ରଶାସନ ଟିକଏ ବି ଚିନ୍ତା କରୁଥିବା ପରି ମନେହୁଏ ନାହିଁ। ଜଗତସିଂହପୁର ଜିଲ୍ଲାରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ କରାଯାଉଛି। ମାତ୍ର, କେତେବେଳେ ଉପଯୁକ୍ତ ରକ୍ଷାଣବେକ୍ଷଣ ଓ ସଚେତନତା ଅଭାବରୁ ତ’ ଆଉ କେତେବ‌େଳେ ରାସ୍ତା ସମ୍ପ୍ରସାରଣ ପାଇଁ ଶହ ଶହ ସଂଖ୍ୟାରେ ଗଛ ବଳି ପଡ଼ୁଛି। ହେଲେ, ସରକାରୀ ଖାତାରେ ସେହି ମଲା ଗଛ ବଢ଼ୁଛନ୍ତି।
ସୂଚନା ଅନୁଯାୟୀ, କଟକ ବନଖଣ୍ତ ଅନ୍ତର୍ଗତ ଜଗତସିଂହପୁର ବନାଞ୍ଚ‌ଳରେ ୨୦୧୬-୧୭ରେ ଚାରା ଉତ୍ପାଦନ କେନ୍ଦ୍ର ଖୋଲାଯାଇଥିଲା। ସେଥିରେ ତିର୍ତ୍ତୋଲ ପୋରଗଦିରେ ୪୦ ହଜାର, ବାଲିପାଟଣାରେ ୩୩ ହଜାର, ଇନ୍ଦରଫାରେ ୨୭ ହଜାର, ଜଗତସିଂହପୁର ସାଁପୁରରେ ୩୦ ହଜାର, ବିରିଡ଼ି ଧନିପୁରରେ ୩୫ ହଜାର ଓ କୂଳ କଇଜଙ୍ଗାରେ ୪୦ ହଜାର ଚାରା ଲାଗିଥିଲା। ମାତ୍ର ଉପଯୁକ୍ତ ରକ୍ଷାଣବେକ୍ଷଣ ଅଭାବରୁ ତା’ ଭିତରୁ କେତେକ ଗଛ ମରି ଯାଇଥିବା ବେଳେ ଆଉ କେତେକ ବଡ଼ ଗଛକୁ ମାଫିଆମାନେ କାଟି ନେଇଛନ୍ତି। ତା’ ସତ୍ତ୍ବେ ବନ ବିଭାଗ ଖାତାରେ ଏହି ୨ଲକ୍ଷରୁ ଅଧିକ ଗଛ ଏବେ ବି ବଢ଼ୁଛନ୍ତି। ଏତିକି ସଂଖ୍ୟକ ଗଛ ଯଦି ସତରେ ବଢ଼ୁଥାଆନ୍ତା, ତେବେ ସମ୍ପୂର୍ଣ୍ଣ ଅଞ୍ଚଳ ଆଜି ସବୁଜିମାରେ ପରିଣତ ହୋଇଯାଇ ଥାଆନ୍ତା। ମାତ୍ର, ଆଜି ପଥଚାରୀଟିଏ ଛାଇ ଟିକେ ପାଉ ନାହିଁ। ଏହା ସାଙ୍ଗକୁ, ଇତିମଧ୍ୟରେ ଘଟି ଯାଇଥିବା କେତୋଟି ସାମୁଦ୍ରିକ ବାତ୍ୟା ଯୋଗୁଁ ଜିଲ୍ଲାରେ ଶହ ଶହ ସଂଖ୍ୟକ ଗଛ ଉପୁଡ଼ି ପଡ଼ିଛି। ଜିଲ୍ଲାରେ ୧୨୪.୨୬୫ ହେକ୍ଟର ଜଟାଧାରୀ ମୂହାଣ ରିଜର୍ଭ ଫରେଷ୍ଟ ରହିଛି। ଏହା ସହ ପ୍ରପୋଜାଲ ରିଜର୍ଭ ଫରେଷ୍ଟ ତାଲିକାରେ ତେନ୍ତୁଲିବେଲାରୀ, ବ୍ରାହ୍ମଣଡିଆ, ବାଲିତୁଠ, ଖଟିଖୋଳଦା ରହିଛି। ଆକାଶିଆ, ସାଳିଓ, ବରୁଆଁ, ଗଡ଼ହରିଶପୁର, ସାହାଡ଼ାବେଦୀ, ପଦ୍ମପୁର, ରାମତୋରା, ମୁଗୁରାଇ, କାଙ୍କଣ, ଧୋବେଇ, ବରକୁଦ, ମଧୁବନ–ଏ ଏବଂ ବି, ଡ଼ିଙ୍କିଆ, ନୂଆଗାଁ, ବୋରିକୁଦ, ନଡ଼ିଆଖିଆ, ଜଟାଧାରୀ ତଣ୍ତା-୨, ମରିଚିପୁର ଓ ବରମୁଣ୍ତୁଳିରେ ଜଙ୍ଗଲ ସୃଷ୍ଟି କରାଯାଇଛି। ଜଗତସିଂହପୁର ବନାଞ୍ଚଳ ଧଳତଙ୍ଗଡ଼ ଜଙ୍ଗଲ ୨୭୯.୦୩ ଏକର ଓ ପିଲିପାଳ ୪୦୦.୨୫ ଏକର ଜଙ୍ଗଲ ରହିଛି। ହେଲେ, ଏହି ଜଙ୍ଗଲଗୁଡ଼ିକ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ମୁଖ୍ୟତଃ ସମୁଦ୍ର କୂଳ ତଥା ଦେବୀ ନଦୀକୁ ଲାଗିଥିବା ନଡ଼ିଆଖିଆ ଏବଂ ବନ୍ଦରା‌ଳରେ ଥିବା ବନି, ଝାଉଁ, ରାଇ, ସିନ୍ଧୁକା ଓ ସୁନ୍ଦରୀ ଜଙ୍ଗଲକୁ ପୁରୀ ଜିଲ୍ଲାର କାଠ ମାଫିଆମାନେ କାଟି ନେଉଛନ୍ତି। ହାୱାଖାନା, ନୂଆଗାଁ ଓ କୁଜଙ୍ଗରେ ୫ ଜଣ ବନପାଳ ଓ ୬ ଜଣ ବନରକ୍ଷୀ ରହିଛନ୍ତି। ଏତେ ବଡ଼ ଅଞ୍ଚଳକୁ ଜଗିବା ମୁସ୍କିଲ ହେଉଥିବା ବନବିଭାଗର ଜଣେ ଅଧିକାରୀ କହିଛନ୍ତି। ଏଣୁ, କେବଳ ପରିବେଶ ଦିବସ ଦିନ ଏହି କଥା ଚିନ୍ତା ନ କରି ଏ ନେଇ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବା ଆବଶ୍ୟକତା ରହିଛି। ନଚେତ, ପ୍ରତିବର୍ଷ ସେମିତି ବୃକ୍ଷରୋପଣ କରାଯାଉଥିବ ଓ ରାଜକୋଷରୁ ଖର୍ଚ୍ଚ ହେଉଥିବ ସିନା କୌଣସି ସୁଫଳ ମିଳିବ ନାହିଁ।

ସମ୍ବନ୍ଧିତ ଖବର