୪୮ଘଣ୍ଟା ପରେ ବି ପୁଲିସ ଚେର ପାଉନି : ଟଙ୍କା ଦେଣନେଣର ଚାଲିଛି ତଦନ୍ତ

ତଟରକ୍ଷୀ କାର୍ଯ୍ୟାଳୟରୁ ଯୁବକ ଧରାହେବା ଘଟଣା

ଜଗତସି˚ହପୁର: ଭାରତୀୟ ତଟରକ୍ଷୀ ବାହିନୀ କାର୍ଯ୍ୟାଳୟକୁ ବେଆଇନ ଭବେ ପଶିଯାଇଥିବା ମହମ୍ମଦ ସାୱେଜ୍‌ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଗତ ବୁଧବାର ରାତିରୁ ପାରାଦୀପ ଥାନା ପୁଲିସ ସାୱେଜଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାର ମୂଳରେ ପହଞ୍ଚି ପାରିନାହିଁ। ପ୍ରାଥମିକ ତଦନ୍ତରୁ ସେ ଜଣେ ଶୀତବସ୍ତ୍ର ବେପାରୀ ବୋଲି ପୁଲିସ ଜାଣିବାକୁ ପାଇଛି ବୋଲି କୁହାଯାଉଥିଲେ ହେଁ ଦୁଇଦିନ ଧରି ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବାରୁ ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଜନ୍ମ ନେଇଛି।  କେବଳ ସାୱେଜ ନୁହନ୍ତି ଏମିତି ଏକାଧିକ ଯୁବକ ଉତ୍ତର ପ୍ରଦେଶରୁ ସାଥୀ ହୋଇ ଆସି ପାରାଦୀପରେ ଶୀତବସ୍ତ୍ର ବେପାର କରୁଥିବା ପୁଲିସ ଜାଣିବାକୁ ପାଇଛି। ତଥାପି ସାୱେଜଙ୍କୁ ଛାଡ଼ିବା ପୂର୍ବରୁ ପୁଲିସ ଶହେ ଥର ଚିନ୍ତା କରିବାକୁ ବାଧ୍ୟ ହୋଇଛି। ‘ହାଇ ସିକ୍ୟୁରିଟି ଜୋନ୍‌’ ଭାବେ ଜଣା ଭାରତୀୟ ତଟରକ୍ଷୀ ବାହିନୀ କାର୍ଯ୍ୟାଳୟ ପରିସରକୁ ପଶିଯାଇଥିବା ସାୱେଜଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନ ପାଇବା ପର୍ଯ୍ୟନ୍ତ ପୁଲିସ ଟିକିନିଖି ତଦନ୍ତ କରୁଛି। ଉତ୍ତର ପ୍ରଦେଶରୁ ଆସିବା ପରେ ସାୱେଜ ପ୍ରଥମେ କେଉଁଠି ରହିଥିଲା? ତାକୁ ପାରାଦୀପକୁ ବେପାର ପାଇଁ କିଏ ଡକାଇଥିଲା?..ଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପୁଲିସ ପାଇଁ ଜରୁରି ହୋଇପଡ଼ିଛି। ତା’ଛଡ଼ା, ତଟରକ୍ଷୀ ବାହିନୀ କାର୍ଯ୍ୟାଳୟ ନିକଟରେ ବନ୍ଦର ନ୍ୟାସ୍‌ ଓ କଷ୍ଟମ୍‌ ଅଫିସ ରହିଛି। ସେଠାକୁ ନ ଯାଇ କେଉଁ ଉଦ୍ଦେଶ୍ୟରେ ସାୱେଜ ତଟରକ୍ଷୀ ବାହିନୀ କାର୍ଯ୍ୟାଳୟ ମଧୢକୁ ଯାଇଥିଲେ ତାହାର ମଧ୍ୟ ସନ୍ତୋଷଜନକ ଉତ୍ତର ବର୍ତ୍ତମାନ ସୁଦ୍ଧା ପୁଲିସ ପାଇ ନାହିଁ। ସେହି କାରଣରୁ ଏଯାବତ୍‌ ପୁଲିସ ସାୱେଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ତା’ଛଡ଼ା, ପଞ୍ଜାବ ନାସନାଲ ବ୍ୟାଙ୍କ୍‌ରେ ଥିବାା ସାୱେଜ୍‌ଙ୍କର ଆକାଉଣ୍ଟ୍‌ର ମଧ୍ୟ ଯାଞ୍ଚ ଚାଲିଛି। ଦୁଇଦିନ ତଳେ ସାୱେଜ ନିଜ ଭାଇଙ୍କ ପାଖକୁ ଲକ୍ଷାଧିକ ଟଙ୍କା ପଠାଇଥିବାରୁ ଏହା ପୁଲିସକୁ ଅଧିକ ଚିନ୍ତାରେ ପକାଇଛି। ଏହା ସହିତ ଉତ୍ତର ପ୍ରଦେଶରେ ଥିବା ସାୱେଜଙ୍କ ପୈତୃକ ଘର ଓ ସେଠାରେ ତାଙ୍କ ଅପରାଧିକ ରେକର୍ଡ ସମ୍ପର୍କରେ ପୁଲିସ ଖୋଳତାଡ଼ କରିଛି। ତେବେ, ସାୱେଜଙ୍କର ସେମିତି କୌଣସି ଅପରାଧିକ ରେକର୍ଡ ଥିବା ପୁଲିସକୁ ସୂଚନା ମିଳି ନାହିଁ। ସାୱେଜ କେନ୍ଦ୍ରାପଡ଼ାରେ ଏକ ମୁସଲମାନ ବସ୍ତିରେ ଭଡ଼ାରେ ରହୁଥିବାରୁ କେନ୍ଦ୍ରାପଡ଼ାର କୌଣସି ଗ୍ୟାଙ୍ଗ୍‌ ସହ ସାୱେଜଙ୍କର ସମ୍ପର୍କ ଥିଲା କି ନାହିଁ, ତାହା ମଧୢ ପୁଲିସ ଜାଣିବାକୁ ପ୍ରୟାସ କରିଛି। ବର୍ତ୍ତମାନ ସୁଦ୍ଧା ସେମିତି କୌଣସି ସୁରାକ୍‌ ମିଳି ନଥିବାରୁ ଆସନ୍ତକାଲି ପୁଲିସ ସାୱେଜଙ୍କୁ ଛାଡ଼ି ଦେଇପାରେ ବୋଲି ଶୁଣିବାକୁ ମିଳୁଛି।  ସୂଚନା ମୁତାବକ, ଗତକାଲି ରାତିରେ ସାୱେଜ ତଟରକ୍ଷୀ ବାହିନୀ କାର୍ଯ୍ୟାଳୟ ଫାଟକ ଦେଇ ଭିତରକୁ ଚାଲି ଯାଇଥିଲେ। ଫାଟକରେ ବସିଥିବା ସୁରକ୍ଷାକର୍ମୀଙ୍କର ମଧୢ ତିଳେ ମାତ୍ର ତାଙ୍କ ଉପରେ ସନ୍ଦେହ ହୋଇନଥିଲା। ଫଳରେ ସାୱେଜ ଅତି ସହଜରେ ତଟରକ୍ଷୀ ବାହିନୀ କାର୍ଯ୍ୟାଳୟ ମଧୢରେ ପ୍ରବେଶ କରି ଯାଇଥିଲେ। ଏହି ସମୟରେ ସିସିଟିଭି ଦାୟିତ୍ବରେ ଥିବା ସୁରକ୍ଷା କର୍ମଚାରୀଙ୍କ ନଜର ତାଙ୍କ ଉପରେ ପଡ଼ିବାରୁ ସେ ଉପରିସ୍ଥ କର୍ମଚାରୀଙ୍କୁ ଜଣାଇଥିଲେ। ଏହାପରେ ସାୱେଜଙ୍କୁ ତଟରକ୍ଷୀବାହିନୀର ବରିଷ୍ଠ ଅଧିକାରୀମାନେ ଦୀର୍ଘ ସମୟ ପଚରାଉଚରା କରିବା ପରେ ପାରାଦୀପ ଥାନାକୁ ହସ୍ତାନ୍ତର କରିଥିଲେ। ସାୱେଜଙ୍କ ନିକଟରୁ ଜବତ ହୋଇଥିବା ୨୦ଟି ପେନ୍‌ ଡ୍ରାଇଭ୍‌କୁ ନେଇ ପୁଲିସ ସନ୍ଦେହ ପ୍ରକଟ କରିଥିଲା।

ସମ୍ବନ୍ଧିତ ଖବର