ନାଉଗାଁ: ନାଉଗାଁ ବ୍ଲକର ୧୬ଟି ପଞ୍ଚାୟତର ୧ଲକ୍ଷ ଲୋକଙ୍କର ଯୋଗାଣ ସାମଗ୍ରୀ ବଣ୍ଟନ କରିବା ପାଇଁ ୩୩ଟି ଡିଲର ପଏଣ୍ଟ୍‌ ରହିଛି। ଏହି ବ୍ଲକକୁ ଦୁଇ ହଜାର କୁଇଣ୍ଟାଲରୁ ଅଧିକ ଚାଉଳ ଓ ଏକ ହଜାର କୁଇଣ୍ଟାଲ୍‌ରୁ ଅଧିକ ଗହମ ଆସିଥାଏ। ଯୋଗାଣ ବିଭାଗ ଦ୍ବାରା ଚାଉଳ, ଗହମ ରଖିବା ପାଇଁ ନାଉଗାଁ ବ୍ଲକ ଦାଣ୍ତୁଆଠାରେ ୨୦୧୦ ମସିହାରେ ମୋଟା ଅଙ୍କ ବ୍ୟୟରେ ଏକ ଗୋଦାମ ଗୃହ ନିର୍ମାଣ ହୋଇଥିଲା। ୨୦୧୪ ଏପ୍ରିଲ୍ ମସିହାରେ ଏହି ଗୋଦାମ ଗୃହଟି ବନ୍ଦ ହୋଇଯାଇଛି। ଦୀର୍ଘ ୬ବର୍ଷ ଧରି ଗୋଦାମ ଘରେ ତାଲା ପଡ଼ି ରହିଛି। ଗୋଦାମ ଘରେ ୧୫ଟି ପରିବାର କାମକରି ଜୀବିକା ନିର୍ବାହ କରୁଥିଲେ। ଏବେ ଏହି ପରିବାରଗୁଡ଼ିକ ରୋଜଗାର ହରାଇ ଅନ୍ଧାରରେ ବସିଛନ୍ତି। ଏହା ସହିତ ୧୬ଟି ପଞ୍ଚାୟତର ୩୩ଟି ଡିଲର ପଏଣ୍ଟ୍‌ର ଗହମ, ଚାଉଳ ନାଉଗାଁ ବଦଳରେ ୩୦ କିଲୋମିଟର ତରଡ଼ାପଡ଼ାରୁ ଆଣିବାକୁ ପଡୁଛି।

Advertisment

ଏପରିକି ଚାଉଳ ଓ ଗହମର ପରିମାଣ ଠିକ୍ ରହୁ ନଥିବା ସ୍ଥଳେ ଡିଲର୍‌ମାନେ ନିଜ ଇଚ୍ଛା ମୁତାବକ ମାଲ୍ ଆଣିପାରୁ ନାହାନ୍ତି। ଏପରିକି ୫ କିଲୋମିଟର ପରିବର୍ତ୍ତେ ଅଯଥାରେ ୩୦ କୋଲୋମିଟର ଯିବାକୁ ପଡୁଛି। ତା’ଛଡ଼ା, ଦୀର୍ଘ ୬ବର୍ଷ ଧରି ଏହି ଗୋଦାମ ଗୃହଟି ରକ୍ଷାଣବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ବହୁଟଙ୍କା ବ୍ୟୟରେ ନିର୍ମିତ ଗୋଦାମଘର ଏବେ ଭୂତକୋଠିରେ ପରିଣତ ହେବାକୁ ଯାଉଛି। ଅପରପକ୍ଷରେ ଗୋଦାମଘରେ ବେଆଇନ ଭାବେ କିଛି ବ୍ୟବସାୟୀ ନିଜର ଗୋଡ଼ି ଓ ସିମେଣ୍ଟ ରଖି ବେପାର କରୁଛନ୍ତି। ଗୋଦାମଘରର ଏପରି ସ୍ଥିତିକୁ ନେଇ ସଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଗୋଦାମଘର ପୂର୍ଣ୍ଣ ଭାବେ ଚାଲୁ କରିବା ସହ ଏହାର ରକ୍ଷଣାବେକ୍ଷଣ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ , ଉକ୍ତ ଗୋଦାମଘର ଚାଲୁ କରିବା ପାଇଁ ଉପରୁ ସେମିତି କିଛି ନିର୍ଦ୍ଦେଷ ନାହିଁ ବୋଲି ସେ କହିଛନ୍ତି।