ଏରସମା ସାଲାଇନ୍ ବନ୍ଧ କାମରେ ୧୧ କୋଟି ଚଳୁ ଉଦ୍ୟମ; କାମ ସରିନି, ଭୁଶୁଡ଼ିଲାଣି ସୁନାମି ବନ୍ଧ

ଛଅ ମାସ ହେଲା ନାହାନ୍ତି ଏସ୍‌ଡିଓ

ଜଗତସିଂହପୁର ଟାଉନ୍/ଏରସମା: ନଜର ଆଡ଼ୁଆଳରେ କେମିତି କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି ତାର ସଦ୍ୟ ଉଦାହରଣ ଏରସମା ବ୍ଳକ୍‌ର ବନ୍ଧ ନିର୍ମାଣ କାମ ଦୁର୍ନୀତିରୁ ସ୍ପଷ୍ଟ ହେଉଛି। ଏରସମା ସୁନାମି ପ୍ରତିରୋଧ ବନ୍ଧନିର୍ମାଣ ନାମରେ ୧୧ କୋଟିରୁ ଅଧିକ ଟଙ୍କା ଚଳୁ କରିବା ପାଇଁ ଚାଲିଛି ମସୁଧା। ଠିକାଦାର–ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ମନମୁଖୀ ଭାବେ ସ୍ଥାନୀୟ ଲୋକଙ୍କୁ ଧମକଚମକ ଦେଇ ର-ଠ କାମ କରାଯାଉଛି। କାମ ଏତେ ନିମ୍ନମାନର ହେଉଛି ଯେ ନସରୁଣୁ ବନ୍ଧ ଭାଙ୍ଗି ଗଲାଣି।

ସୁନାମି ବନ୍ଧ ସୁଦୃଡ଼ ନଥିବାରୁ ୧୯୯୯ ମସିହା ମହାବାତ୍ୟାରେ ସମୁଦ୍ର ପାଣି ମାଡ଼ି ଆସି ଏରସମାରେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟିଥିଲା। ଆମ୍ବିକି ପଂଚାୟତ କାଙ୍କଣ ନିକଟରେ ବର୍ତମାନ ଯେଉଁ ଠାରେ କାମ କରାଯାଉଛି ମହାବାତ୍ୟାରେ ସେଠାରେ ଘାଇ ସୃଷ୍ଟି ହୋଇ ଯିବାରୁ କେବଳ କାଙ୍କଣ ଗାଁରେ ୨୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ଏ ଲୋକମାନଙ୍କ ଅବସ୍ଥା ଏବେ ବି ସୁଧୁରି ନାହିଁ। ସେତେବେଳ ଭଳି ଏବେ ଏମାନେ ନୂଆଣିଆଁ ଚା ଘରେ ରହୁଛନ୍ତି। ବର୍ଷା ପବନ ଆସିଲେ ଛାତିରେ ଛନକା ପଶେ। ତେବେ ସମୁଦ୍ର ଠାରୁ କିଛି ଦୂରରେ ସୁନାମି ବନ୍ଧ କରି ସମୁଦ୍ର ଜୁଆରକୁ ପ୍ରତିରୋଧ କରିବାକୁ ପଦକ୍ଷେପ ନିଆଯାଉଛି। ଏହି ପ୍ରୋଜେକ୍ଟରେ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବନ୍ଧ ଅବସ୍ଥା ଯଥା ପୂର୍ବଂ ତଥା ପରଂ।

 

Sambad

କାଙ୍କଣ ନିକଟରେ ହେଉଥିବା ସୁନାମି ବନ୍ଧର କୌଣସି ଫଳକ ଲଗାଯାଇ ନାହିଁ। କେତେ ଟଙ୍କାର କାମ ହେଉଛି। କିଏ କାମ କରୁଛି। କେବେ ଆରମ୍ଭ ଓ କେବେ କାମ ସରିବ। କେମିତି କାମ କରାଯିବ ତାର ସମ୍ପୂର୍ଣ୍ଣ ବିବରଣୀ ବୋର୍ଡ ଲଗାଯାଇ ନାହିଁ। ସ୍ଥାନୀୟ ଲୋକଙ୍କୁ ଅନ୍ଧାରରେ ରଖି ଠିକାଦାର କାମ କରୁଛନ୍ତି। ତେବେ ମାଟିରେ ଉଚ୍ଚ ଓ ଚଉଡା ବନ୍ଧ କରିବା ସହ କଡ଼ରେ ପଥର ତାର ଜାଲି ଦେଇ ସିନ୍ଥେଟିକ୍ ୱାଲ୍ କରିବାର ବ୍ୟବସ୍ଥା ରହିଥିବା ଜଣା ପଡ଼ିଛି। କିନ୍ତୁ ଠିକାଦାର ବାବୁ ଯେଉଁଠି ବନ୍ଧ ହୋଇଛି ଠିକ୍ ୩ ମିଟର ନିକଟରୁ କେବଳ ବାଲି ଖୋଳି ଆଣି ବନ୍ଧ କରିଛନ୍ତି। ଅସରାଏ ବର୍ଷା ହେଲେ ପୁଣି ବାଲି ଯାଇ ବନ୍ଧ ତଳେ ମିଶୁଛି।

ବଡ଼ ବଡ଼ ପଥର ସହ ଜୁଆର ଓ ଲୁଣି ପାଣିରେ ନଷ୍ଟ ହେଉନଥିବା ତାର ଲଗାଯିବା କଥା। ହେଲେ ଛୋଟ ପଥରକୁ ଅତି ସରୁ ଓ ନିମ୍ନମାନର ତାର ଲଗାଯାଇଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ବନ୍ଧ ଭୁଶୁଡ଼ି ଯାଇଛି। ଏହାକୁ ନେଇ କେତେକ ସ୍ଥାନୀୟ ଯୁବକ ବିରୋଧ କରିବାକୁ ସେମାନଙ୍କୁ ଗୁଣ୍ତା ଲଗାଇ ଧମକଚମକ ଦିଆଯାଇଛି। ଏମିତିକି କାମ ହେଉଥିବା ସମୟରେ ନିର୍ଦ୍ଦିଷ୍ଟ କେତେ ଜଣଙ୍କ ନିକଟରେ ବନ୍ଧୁକ ରହିଥିବା ମଧ୍ୟ ଗୁରୁତର ଅଭିଯୋଗ ହୋଇଛି। ସାଧାରଣ ଲୋକଙ୍କୁ ଡରାଇ ଦମକାଇ ସେମାନଙ୍କ ସ୍ବରକୁ ଚାପି ଦେଇ ବଳ ପୂର୍ବକ ଭାବେ ର–ଠ କାମ କରାଯାଉଛି।

ଏନେଇ ଜଳ ସମ୍ପଦ ବିଭାଗ କଟକ ମହାନଦୀ ସାଉଥ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ରାଉତ ସଫେଇ ଦେଇ କହିଛନ୍ତି ଯେ, ୬ କିମି ସୁନାମି ବନ୍ଧ ପାଇଁ ୧୧ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ ହୋଇଛି। ହେଲେ କାମ ସରିନାହିଁ। ପ୍ରକୃତରେ ସେଠାରେ କାମ କରିବା ସମସ୍ୟା ହେଉଛି। ଗୋଟିଏ ଥର ବର୍ଷା ହେଲେ କାମ କରି ହେଉ ନାହିଁ। ପାଖରେ ମାଟି ନଥିବାରୁ ମାଟି ମିଳୁନାହିଁ। ତଥାପି ଆମ ନିକଟରେ ଅଭିଯୋଗ ପହଞ୍ଚିଛି। ଆମେ କଡ଼ା ନଜର ରଖିଛୁ। ୬ ମାସ ହେବ ଏସ୍‌ଡିଓ ନଥିବାରୁ ସମସ୍ୟା ହୋଇଛି।

ନଭେମ୍ବର ଶେଷ ବେଳକୁ କାମ ଆରମ୍ଭ ହେବ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଏସ୍‌ଡିଓ ନଥିଲେ ଅନ୍ୟ ଅଧିକାରୀ କାହିଁକି ଯାଞ୍ଚ କଲେ ନାହିଁ? କୋଟି କୋଟି ଟଙ୍କାର କାମକୁ କେମିତି ଓ କେଉଁ ସ୍ବାର୍ଥରେ ଠିକାଦାର ମର୍ଜିରେ ଛାଡ଼ି ଦେଲେ। ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ନଚେତ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବି ଲୋକଙ୍କ ଜୀବିକା ଜୀବନ ସେମିତି ଅସୁରକ୍ଷିତ ହୋଇ ରହିଯିବ।

ସମ୍ବନ୍ଧିତ ଖବର