ପଞ୍ଚାୟତ ଅଫିସ୍‌ରେ ଯୁବକଙ୍କ ଉନ୍ମତ୍ତକାଣ୍ଡ : ମହିଳ‌ା ସରପଞ୍ଚଙ୍କୁ ବିବସ୍ତ୍ର

ନାଉଗାଁ : ପଞ୍ଚାୟତ କାର୍ଯ୍ୟାଳୟରେ ଜଣେ ମହିଳା ସରପଂଚଙ୍କୁ ଉଲଗ୍ନ କରିବା, ଗାଳିଗୁଲଜ କରି ହତ୍ୟା ଧମକ ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ। ଏ ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ଜେରା କରୁଛି।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ସୂଚନା ଅନୁଯାୟୀ ସରପଞ୍ଚ ଅମିନା ସ୍ବାଇଁ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ବସି ମନରେଗାର ‘ଆକ୍ସନ ପ୍ଲାନ’ ପ୍ରସ୍ତୁତ କରୁଥିଲେ। ସେହି ସସମୟରେ ଗ୍ରାମର ଜ୍ୟୋତିର˚ଜନ ମହାନ୍ତି(ବନ୍ଦନ) ନାମକ ଯୁବକ ‌ସେଠାରେ ପହଞ୍ଚି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଉଭୟଙ୍କ ଭିତରେ କଥା କଟାକଟି ଭିତରେ ବନ୍ଦନ ଅମିନାଙ୍କୁ ଟଣାଓଟରା କରି ଉଲଗ୍ନ କରି ଦେଇଥିଲେ। ଅମିନାଙ୍କୁ ଭୁଜାଲି ଦେଖାଇ ଭୟଭୀତ କରାଇ କାର୍ଯ୍ୟାଳୟରେ ଥିବା ୨୨ ହଜାର ଟଙ୍କା ନେଇଯିବା ସହିତ ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ନେଇଥିଲେ। ଏ ବିଷୟରେ କାହାକୁ କହିଲେ ଗୁଳି କରି ହତ୍ୟା କରି ଦେବେ ବୋଲି ବନ୍ଦନ ଧମକ ଦେଇଥିଲେ। ଥାନାରେ ଅମିନାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା (ନଂ ୧୪୧/୧୮) ରୁଜୁ କରିବା ସହ ଅଭିଯୁକ୍ତ ବନ୍ଦନକୁ ଅଟକ ରଖି ଜେରା କରୁଥିବା ଥାନା ଅଧିକାରୀ ପ୍ରଜ୍ଞା ରୀତାମ୍ବର କର କହିଛନ୍ତି। ଜଣେ ମହିଳା ସରପଂଚଙ୍କୁ ପଞ୍ଚାୟତ ଅଫିସ ଭିତରେ ଏଭଳି ଅସଦାଚରଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ଏହା ପଛରେ କୌଣସି କାମକୁ ନେଇ ରାଜନୀତି ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର