ଗରଦପୁର: ଗତ କିଛି ବର୍ଷ ହେଲା ଗ୍ରାମାଞ୍ଚଳରେ ବାଉଁଶ ହ୍ରାସ ପାଇବାରେ ଲାଗିଛି। ବାଉଁଶ ଖଣ୍ତକୁ ଏବେ ଶହେ ଟଙ୍କାରୁ ଅଧିକରେ ବିକ୍ରି କରାଯାଉଛି। ବାଉଁଶକୁ ବ୍ୟବହାର କରି ଜୀବିକା ନିର୍ବାହ କରୁଥିବା ବାଉଁଶ କାରିଗର ପରିବାରଗୁଡ଼ିକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନଙ୍କ ହାତରେ ସୁନାପାତ ହେଲେ ପେଟକୁ ନାହିଁ ଭାତ। ୧୯୯୯ ମହାବାତ୍ୟା ପୂର୍ବରୁ ଏତେ ସଂଖ୍ୟକ ପକ୍କାଘର ନଥିଲା। ନଡ଼ାଛପର ଘର ତିଆରିରେ ବାଉଁଶ ମୁଖ୍ୟତଃ ଲାଗୁଥିଲା। ନଡ଼ା ଛପର ପାଇଁ ଶେଣି, ରୁଅ ଆଦି ବାଉଁଶରେ କରାଯାଉଥିଲା।

Advertisment

ସେହିପରି ଘରର କାନ୍ଥରେ ବାଉଁଶ ଓ ବତାରେ ମାଟି କାଦୁଅ ଦିଆଯାଉଥିଲା। ବାଉଁଶରେ ବିଭିନ୍ନ ପ୍ରକାର ଘରକରଣା ଜିନିଷ ତିଆରି କରି ବାଉଁଶ କାରିଗର ପରିବାରମାନେ ଚଳିଯାଉଥିଲେ। ଟୋକେଇ, ଝୁଡ଼ି, ମସିଣା, ତଲେଇ, ଖେଳନା, ଗୋରଡ଼ି, ବିଂଚଣା, ଡୋଲି , ଝାମ୍ପ ଆଦିରେ ବାଉଁଶକୁ ବ୍ୟବହାର କରାଯାଇ ଥାଏ। କୁଲା ବାଉଁଶିଆରେ ବାହାଘରର ପ୍ରଥମ ଅନୁକୂଳ କରାଯାଇଥାଏ। ବାଉଁଶ ପାତରୁ ବିଭିନ୍ନ ପ୍ରକାର ଘରକରଣା ଜିନିଷ ତିଆରି କରି ବାଉଁଶ କାରିଗର ପରିବାରମାନେ ସୁଖରେ ଚଳୁଥିଲେ।

publive-image Sambad

ସେଥିପାଇଁ ବାଉଁଶର ଏହି ପାତକୁ ସେହି କାରିଗର ପରିବାରମାନେ ସୁନାର ପାତ ବୋଲି କହିଥାନ୍ତି। ହେଲେ ବାଉଁଶ ଚାଷ କରିବା ପାଇଁ ସରକାରୀ ପ୍ରୋତ୍ସାହନର ଅଭାବ ସାଙ୍ଗକୁ ପ୍ରତିକୂଳ ଜଳବାୟୂ ଓ ବିଷାକ୍ତ ଧୂଆଁ ଯୋଗୁଁ ବାଉଁଶ କ୍ରମଶଃ ଲୋପ ପାଇବାରେ ଲାଗୁଛି। ଅନ୍ୟ ପଟରେ ଲୋକଙ୍କର ବାଉଁଶ ତିଆରି ଘର କରଣା ଜିନିଷ ପ୍ରତି ଆଗ୍ରହ ନାହିଁ। କୁଲା ବାଉଁଶିଆ ବୁଣି ଏ ହାଟରୁ ସେ ହାଟ ବିକ୍ରି କରିବା ପାଇଁ ବୁଲୁଥିଲାବେଳେ ସେଥିରୁ ଯତ୍ କିଂଚିତ ଅର୍ଥ ମିଳୁଛି ତାହା ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ୍ ଅଞ୍ଚଳର ସମସରା, ଓସ୍ତିଆ, ପାଖଡ଼, ପାଟକୁରା, ନୂଆପଡ଼ା, ତେଣ୍ତାକୁଡ଼ା ଆଦି ଅଞ୍ଚଳର ବାଉଁଶ କାରିଗର ପରିବାର ଏବେ ଏଥିପାଇଁ ଚିନ୍ତାରେ ପଡ଼ିଛନ୍ତି। ନୂଆପଡ଼ା–ଗରଦପୁର ଆର.ଡି ରାସ୍ତା ପାର୍ଶ୍ବ ପାଟକୁରା ପଞ୍ଚାୟତର ସିଙ୍ଗିଟିଆ ଗ୍ରାମ ନିକଟରେ ବହୁ ପୂର୍ବରୁ ରହିଥିବା ବାଉଁଶ ବଣ ଏବେ ଶ୍ରୀହୀନ ହେବାକୁ ବସିଲାଣି। ଗରଦପୁର ବ୍ଲକର ‘ଆତ୍ମା’ର ଅଧ୍ୟକ୍ଷ ଦୀପକ କୁମାର ରାଉତ କହିଛନ୍ତି ଯେ ଆଗରୁ ଗ୍ରାମାଞ୍ଚଳରେ ନଡ଼ାଛପର ଘର ଥିଲା। ସେଥିପାଇଁ ବାଉଁଶର ଯଥେଷ୍ଟ ଆବଶ୍ୟକ ରହିଥିଲା। ମାତ୍ର ଏବେ ଅଧିକାଂଶ ପକ୍କା ଘର ହୋଇଛି। ବାଉଁଶର ଅଭିବୃଦ୍ଧି ପାଇଁ ଏବେ ଜଙ୍ଗଲ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ରହିଥିବା ସମ୍ପର୍କରେ ଶ୍ରୀ ରାଉତ ସୂଚନା ଦେଇଛନ୍ତି।

ଅନ୍ୟ ପକ୍ଷରେ ମାର୍ଶାଘାଇସ୍ଥିତ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରୁର ଜଣାଯାଇଛି ଯେ, ଅଞ୍ଚଳର ବାଉଁଶଗୁଡିକ କ୍ଷୁଦ୍ର ଏବଂ ଅଙ୍କାବଙ୍କା ହୋଇଥିବା ବେଳେ, ଅନ୍ୟାନ୍ୟ ଅଞ୍ଚଳର ବାଉଁଶ ବେଶ୍ ସିଧା ଏବଂ ଲମ୍ବା। ଯାହା ଫଳରେ ଅନ୍ୟ ଅଞ୍ଚଳର ବାଉଁଶର ଚାହିଦା ରହୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ବାଉଁଶର ଚାହିଦା ନ ଥିବାରୁ ବାଉଁଶ ଚାଷ ପ୍ରତି ଆଉ ଆଗ ଭଳି ଲୋକମାନଙ୍କର ଆଗ୍ରହ ରହୁନାହିଁ।