ବିଷ୍ଣୁ-ରାଜଶ୍ରୀ ଲଢ଼େଇ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ପତିଆରା ଲଢେଇ ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଷ୍ଣୁଙ୍କ ଜିଦ୍‌ ଆଗରେ ମୁଣ୍ଡ ନୂଆଁଇ ଜିଲ୍ଲା ମହିଳା ସଭାପତି ତଥା ବିଧାୟିକା ରାଜଶ୍ରୀ ମଲ୍ଲିକ ପୂର୍ବରୁ ଘୋଷଣା କରିଥିବା ବ୍ଲକ୍‌ ଓ ପୌରପାଳିକାର ମହିଳା ସଭାପତିଙ୍କୁ ବଦଳାଯାଇଥିବା ବେଳେ ଆଜି ପୁଣି ରାଜଶ୍ରୀଙ୍କ ମାନ ଭଞ୍ଜନ ପାଇଁ ବଦଳାଯାଇଥିବା ତିନି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଜିଲ୍ଲା ଉପସଭାପତି ପଦରେ ଥଇଥାନ କରାଯାଇଛି।

ନାଉଗାଁ ବ୍ଲକ୍‌ର ମହିଳା ସଭାପତି ଭାବେ ଶାନ୍ତିଲତା ନାୟକ, ଜଗତସିଂହପୁର ବ୍ଲକ୍‌ ପାଇଁ ସୁକାନ୍ତି ଚୌଧୁରୀ ଓ ପୌରପାଳିକା ପାଇଁ ସୁପ୍ରିୟା ବିଶ୍ୱାଳଙ୍କ ନାଁ ଘୋଷଣା କରାଯାଇଥିଲା। ଏହି ତିନି ଜଣ ଯାକ ବିଧାୟିକା ଶ୍ରୀମତି ମଲ୍ଲିକଙ୍କ ବେଶ୍‌ ଘନିଷ୍ଠ। ଏହି ତିନି ଜଣଙ୍କ ପଦ ଚାଲିଯିବା ପରେ ରାଜଶ୍ରୀ ନିଜ ସମ୍ମାନ ଓ ପତିଆରା ଜାହିର କରିବା ପାଇଁ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ସହଯୋଗ ଲୋଡ଼ିଥିଲେ। ରାଜ୍ୟ ମହିଳା ସଭାପତି ପ୍ରମିଳା ମଲ୍ଲିକଙ୍କ ସହ ଏହି ଦୁଇ ନେତାଙ୍କ ଆଲୋଚନା ହୋଇଥିଲା। ଶେଷରେ ପଦ ଚାଲିଯାଇଥିବା ଏହି ତିନି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଜିଲ୍ଲା ଉପସଭାପତି ପଦରେ ଥଇଥାନ କରାଯାଇଛି। ଜିଲ୍ଲା ସଭାପତିଙ୍କ ଯୋଗୁଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ଧ୍ୱଂସ ହେବାକୁ ବସିଛି ବୋଲି ରାଜଶ୍ରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର