ବାଲିକୁଦା: ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ର ୨୦୨୫-୨୬ ଆର୍ଥିକ ବର୍ଷର ସାମାଜିକ ସମୀକ୍ଷା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୨୦୨୪-୨୫ ବର୍ଷର ୨ୟ ଅର୍ଦ୍ଧ, ୧ ଅକ୍ଟୋବର ୨୦୨୪ରୁ ୩୧ ମାର୍ଚ୍ଚ ୨୦୨୫ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ସମସ୍ତ ପ୍ରକଳ୍ପ ଓ କାର୍ଯ୍ୟକ୍ରମର କରାଯାଇଥିବା ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିରରେ ଜିଲ୍ଲାପରିଷଦ, ଜଗତସିଂହପୁରର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠି ସଭାପତିତ୍ୱ କରିଥିବା ବେଳେ ସମସ୍ୟାଗୁଡିକର ସମାଧାନ କରିଥିଲେ ଓ ବିଡ଼ିଓ ସାଗର କୁମାର ନନ୍ଦ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଜିପିଡ଼ିଓ ରୋଜାଲିନ ତ୍ରିପାଠୀ ଉପସ୍ଥିତ ଥିଲେ।
ବ୍ଲକ ସାମାଜିକ ସମୀକ୍ଷକ ରମେଶ ଚନ୍ଦ୍ର ବହିରା ସମସ୍ୟା ବିବରଣୀ ପାଠ କରିବା ସହ ସାମାଜିକ ସମୀକ୍ଷାର ଆଭିମୁଖ୍ୟ ବିଷୟରେ କହିଥିଲେ। କାର୍ଯ୍ୟକ୍ରମରେ ଉଦ୍ୟାନ ଓ କୃଷି ବିଭାଗର ଏଏଚଓ ଶୁଭଲକ୍ଷ୍ମୀ ବାରିକ, ଏଚଇଡବ୍ଲ୍ୟୁ ସୌଭାଗ୍ୟ ସ୍ଵାଇଁ, ପଞ୍ଚାୟତର ଜନ ପ୍ରତିନିଧି, ବ୍ଲକ କର୍ମଚାରୀ, ବିଭିନ୍ନ ବିଭାଗର ଅଧିକାରୀ, ଜେଇ,ଏଡିଇଓ, ଜିଆରଏସ, ଭିଆର୍ପି ଓ ଜନ ସାଧାରଣ ଉପସ୍ଥିତଥିଲେ । ଏହି ଆର୍ଥିକ ବର୍ଷରେ ୨୭୯୬୯୩ଟି କାର୍ଯ୍ୟ ଦିବସ ଧାର୍ଯ୍ୟ ଥିବାବେଳେ ୨୨୪୮୨୦ଟି କାର୍ଯ୍ୟ ଦିବସ ସମାପନ ହୋଇଥିବା କୁହାଯାଇଥିଲା। ମୋଟ ୯୨୭୯ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୬୬୭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଓ ୫୦୧ଟି କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦିଆଯାଇଥିଲା। ବ୍ଲକରେ ମୋଟ ପିଏଚଏଚ କାର୍ଡ ୩୫୨୮୫ରେ ୧୨୫୫୮୬ ଜଣ, ଏଏୱାଇ କାର୍ଡ ୩୪୫୦ରେ ୧୦୪୫୯ଜଣ ଓ ଏସଏଫଏସଏସ କାର୍ଡ ୩୯୫ରେ ୯୫୫ଜଣ ହିତାଧିକାରୀ ସୁବିଧା ପାଉଥିବାର କୁହାଯାଇଥିଲା।
ଏମଜିଏନଆରଜିଏ ଅଧୀନରେ ମୋଟ ୨୦ଟି ସମସ୍ୟା ଓ ପଞ୍ଚଦଶ ଅର୍ଥ କମିଶନ ଅନୁଦାନର ୨୯୪ଟି ସମସ୍ୟା ଓ ଉପସ୍ଥିତ ଜନସାଧାରଣଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇ ସମାଧାନ କରାଯାଇଥିଲା । ବାଲିକୁଦା ପଞ୍ଚାୟତର ସରପଞ୍ଚ ଭିଆର୍ପିଙ୍କ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ । କୃଷ୍ଣଦାସପୁର, ବୋରିକିନା, ଆମ୍ବଶାଳ,ତିତିରା, ଗରାମ, ବାହାରଣା ଓ ଅଳାଭର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଜେଇମାନଙ୍କ ବଦଳି ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟା ତଥା ପ୍ରକଳ୍ପ କାର୍ଯ୍ୟ ହୋଇ ବି ପାରିଶ୍ରମିକ ନ ପାଇଥିବା ଅଭିଯୋଗ କରିଥିଲେ ।
ରାସନକାର୍ଡ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ହିତାଧିକାରୀମାନେ ରଖିଥିଲେ । ଏମଆଇ ବିଶ୍ୱଜିତ ମଲ୍ଲିକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଟିପିଡିଏସ ଓ ଏଫପିଏସର ତଥ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଏପିଓ ଜ୍ୟୋତିର୍ମୟ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏନଆରଜିଏ ସହାୟକ ସମୀର କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।