ପାରାଦୀପ ଜଳ ଭଣ୍ତାର ବନ୍ଧ ଦବିଲା; ଭୁଶୁଡ଼ିଲା ବିଦ୍ୟୁତ ଖୁଣ୍ଟ, ତାରିଣୀଗଡ଼ାବାସୀ ଆତଙ୍କିତ

ଜଗତସିଂହପୁର: ପାରାଦୀପ ବନ୍ଦର ଜଳଭଣ୍ତାର ବନ୍ଧ ଫାଟି ଆଁ କରିଛି। ଫଳରେ ବନ୍ଧ ଉପରେ ଥିବା ବିଜୁଳି ଖୁଣ୍ଟଟି ମଧ୍ୟ  ଢ଼ଳି ପଡ଼ିଛି। ଏଣୁ ସେହି ଅଂଚଳରେ ବିଜୁଳି କାଟି ଦିଆଯାଇଛି। ହଠାତ୍ ଜଳଭଣ୍ତାର ବନ୍ଧ ଭାଙ୍ଗିଯିବା ଯୋଗୁଁ ତାରିଣୀଗଡ଼ାବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବର୍ତମାନ ତାଳଦଣ୍ତା କେନାଲରେ ଭରପୂର ପାଣି ଆସୁଥିବାରୁ ବନ୍ଧ ପ୍ରତି ବିପଦ ରହିଛି। ଏ ନେଇ ଅଭିଯୋଗ ହେବା ପରେ ପାରାଦୀପ ବନ୍ଦର ପକ୍ଷରୁ ସେଠାରେ ସ୍ଥିତି ପରଖିବା ସହ ଆଜି ରାତି ଭିତରେ କିପରି ଯୁଦ୍ଧକାଳୀନ ଭିତ୍ତିରେ ଏହି ବନ୍ଧ ମରାମତି ପାଇଁ ପଦକ୍ଷେପ ନିଆଯାଇଛି। ପାରାଦୀପ ବନ୍ଦର ଓ ଏହାର ଆଖପାଖରେ ଛୋଟ ବଡ଼ ପ୍ରାୟ ୨୬ଟି ବସ୍ତି ରହିଛି। ପୌରପାଳିକାରେ ୮୫ ହଜାର ଲୋକ ବସବାସ କରୁଛନ୍ତି। ପାରାଦୀପ ବନ୍ଦର ପ୍ରଶାସନର ୨୬୦୦ କର୍ମଚାରୀ ମଧ୍ୟରେ ଏଠାରେ ରହୁଛନ୍ତି। କେବଳ ସେତିକି ନୁହେଁ ବନ୍ଦର ମଧ୍ୟରେ ପଣ୍ୟ କାରବାର ପାଇଁ ପହଞ୍ଚୁଥିବା ସ୍ଥାନରେ ୩ଟି ଜଳାଶୟ ରହିଛି।

ଏହି ତିନୋଟି ଜଳାଶୟରେ ୯.୫ ଫୁଟ୍ ଉଚ୍ଚତାରେ ପାଣି ସଂରକ୍ଷିତ ହୋଇ ରହିପାରିବ। ଜଳାଶୟରେ ଏହି ଉଚ୍ଚତାର ପାଣି ସଂରକ୍ଷିତ ହୋଇ ରହିଲେ ଯୋବ୍ରା ବ୍ୟାରେଜର ପାଣି ନ ଆସିଲେ ମଧ୍ୟ ପାଖାପାଖି ୫୦ ଦିନ ପର୍ଯ୍ୟନ୍ତ ବନ୍ଦର ନଗରୀକୁ ପାଣି ଯୋଗାଇ ହେବ। ଡିସେମ୍ବରରୁ ଜୁନ୍ ପର୍ଯ୍ୟନ୍ତ କେନାଲରେ ପାଣି ଆସିବ ନାହିଁ। ସେଥିପାଇଁ ଜଳସେଚନବିଭାଗ ବର୍ତମାନ ତାଳଦଣ୍ତା କେନାଲରେ ପ୍ରଚୁର ପାଣି ଛାଡ଼ୁଛି। ତେବେ ବନ୍ଧର ଏବେ ଯେଉଁ ପରିସ୍ଥିତି, ସେଥିରେ ଘାଈ ହେବା ଆଶଙ୍କା ରହିଛି। ତେଣୁ ତାରିଣୀଗଡ଼ାର ତଳିଆ ଅଂଚଳରେ ରହୁଥିବା ଲୋକ ଓ ବସ୍ତିବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି। କେତେବେଳେ ଯେ କେଉଁ ପରିସ୍ଥିତି ସୃଷ୍ଟି ହେବ, ତାହା କହିହେଉନାହିଁ। ଯାହା ଜଣାପଡ଼ିଛି ବର୍ତମାନ ୨୫ ଫୁଟ୍ ଲମ୍ବ ଓ ୨ ଫୁଟ୍ ଚଉଡ଼ାର ବନ୍ଧ ଦବିଛି। ଆସି ସକାଳୁ ଏହା ପାଖରେ ଥିବା ବିଜୁଳି ଖୁଂଟଟି ଝୁଲି ପଡ଼ିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସନ୍ଦେହ ହୋଇଥିଲା। ଏଣୁ ସେମାନେ ଯାଂଚ ବେଳେ ବନ୍ଧ ଦବି ଯାଇଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଏହି ଘଟଣାରେ ଆତଙ୍କିତ ନ ହେବାକୁ ବନ୍ଦର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ କୁହାଯାଉଛି। ସଙ୍ଗେ ସଙ୍ଗେ ବନ୍ଧ ଦବିଥିବା ଅଂଚଳରେ ବାଲି ବସ୍ତା ପକାଇ ଆଜି ରାତି ସୁଦ୍ଧା କାମ ଶେଷ କରିବା ଯୋଜନା କରାଯାଇଛି। ଯଦି ଏହି ବନ୍ଧ ଭାଙ୍ଗେ ପରିସ୍ଥିତି ଅତ୍ୟନ୍ତ ଅସମ୍ଭାଳ ହୋଇପଡ଼ିବ। ସମ୍ପୂର୍ଣ୍ଣ ତାରିଣୀଗଡ଼ା ବୁଡ଼ିଯିବାର ଆଶଙ୍କା ରହିଥିବା ବେଳେ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯିବ। ବନ୍ଧ କେମିତି ଦବିଲା ସେନେଇ ତର୍ଜମା ଆରମ୍ଭ ହୋଇଛି। ଶୁଣିବାକୁ ମିଳୁଛି ଯେ, କେତେକ ସ୍ଥାନୀୟ ଲୋକ ଏଠାରୁ ଟ୍ରାକ୍ଟର ଟ୍ରାକ୍ଟର ମାଟି ତାଡ଼ି ନେବାରୁ ବନ୍ଧ ଦୁର୍ବଳ ହୋଇ ଏପରି ଦବି ଯାଇଛି। ବେଳହୁଁ ସାବଧାନ ରହି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଗଲେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିବ।

ସମ୍ବନ୍ଧିତ ଖବର