କଟରା ଗୁଳିମାଡ଼ ଘଟଣା: ୪ ଅଭିଯୁକ୍ତ ଗିରଫ, ଜଣେ ଫେରାର୍‌

ଗୁଳିକାଣ୍ଡର ଭିନ୍ନ କାରଣ ଦର୍ଶାଇଲା ପୁଲିସ୍‌

ଜଗତସିଂହପୁର ଟାଉନ୍‌/ ତିର୍ତ୍ତୋଲ: ଗତ ୯ତାରିଖ ଦିନ ତିର୍ତ୍ତୋଲ ଥାନା କଟରା ପଞ୍ଚାୟତ କଢ଼ାଙ୍ଗ ଗ୍ରାମର ରବୀନ୍ଦ୍ର ନାଥ ବେଉରାଙ୍କ ପୁଅ ବିଶ୍ୱଜିତ ଓରଫ ଲିପୁନ(୩୫)ଙ୍କୁ ଗୁଳିମାଡ଼ କରାଯିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ତେବେ, ମଦ ଦୋକାନକୁ ବିରୋଧ କରିବାରୁ ଏହି ଗୁଳିକାଣ୍ଡ କରିଛି ବୋଲି ଆରମ୍ଭରୁ ସନ୍ଦେହ କରାଯାଉଥିବା ବେଳେ ଏହା ଭିନ୍ନ କାରଣରୁ ଘଟିଛି ବୋଲି ପୁଲିସ କହିଛି। ଲିପୁନଙ୍କ ବିରୁଦ୍ଧରେ ଦାଦା ବଟି ନେଇ ଥାନାରେ କୌଣସି ଅଭିଯୋଗ ନଥିବା ବେଳେ ଏବେ ତାଙ୍କୁ ପୁଲିସ ସେଥିରେ ଛନ୍ଦିବାକୁ ବସିଛି। ମଦ ବ୍ୟବସାୟ ଉପରୁ ନଜର ହଟାଇବା ପାଇଁ ଠିକା କାମ ଓ ବଟି ପ୍ରସଙ୍ଗକୁ ଟଣାଯାଉଛି ବୋଲି ଚର୍ଚା ହେଉଛି।
ଆଜି ତିର୍ତ୍ତୋଲ ଏସ୍‌ଡିପିଓ ଏବଂ ତିର୍ତ୍ତୋଲ ଥାନା ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଯେ, ଜଳସେଚନ ବିଭାଗର ୨୨ଲକ୍ଷ ଟଙ୍କାର ଏକ କାମ ଠିକାଦର ଆର୍ତ୍ତଚରଣ ଦାସଙ୍କ ନାମରେ ରହିଛି। ଗୁଳିକାଣ୍ଡରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତ ପେଟି କଣ୍ଟ୍ରାକ୍ଟର ଭାବେ ଶ୍ରୀ ଦାସଙ୍କଠାରୁ କାମ ଆଣି କରୁଥିଲେ। ଲିପୁନ ଏବଂ ତାଙ୍କ ସାଙ୍ଗ କାଳିଆ ମହାରଣା କାମ ନିକଟକୁ ଯାଇ ଟଙ୍କା ଦେବା ପାଇଁ ଦାବି କରିଥିଲେ। ଟଙ୍କା ନଦେବାରୁ ବିଲ୍‌ ବନ୍ଦ କରିବା ପାଇଁ ବିଭାଗୀୟ କାର୍ଯ୍ୟାଳୟକୁ କିଛି ଲୋକଙ୍କୁ ଆଣି ବିକ୍ଷୋଭ ମଧ୍ୟ କରିଥିଲେ। ଏଥିପାଇଁ ଲିପୁନଙ୍କୁ ଟାର୍ଗେଟ କରାଯାଇଥିଲା। ଗୁଳିକାଣ୍ଡ ଦିନ ସକାଳେ ଲିପୁନ ଗାଡ଼ିରେ ଶାରଳା ମନ୍ଦିରକୁ ଯିବା ସମୟରେ ହାପୁଙ୍କୁ ସାଇଡ୍‌ ମାରିବାରୁ ହାପୁ ପଡ଼ିଯାଇ ଆହତ ହୋଇଥିଲେ। ହାପୁ ରାଗିଯାଇ ନିଜ ସାଙ୍ଗ ଦୀପୁ, ଜଗା, ଟୁବୁରା ଓ ବାପିଙ୍କ ସହ ମିଶି କୁରାଢ଼ି ବେଣ୍ଟ କିଣିଥିଲେ। ୨୦ରୁ ଅଧିକ ମାମଲାର ଅଭିଯୁକ୍ତ ଟୁବୁରା ନିକଟରେ ପୂର୍ବରୁ ବନ୍ଧୁକ ଥିଲା। ବନ୍ଧୁକ ଓ କାଠ ଫାଳିଆ ଧରି ସେମାନେ ସେଦିନ ଲିପୁନଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତ ୪ଜଣଙ୍କୁ ପୁଲିସ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ମାଟି ରକ୍ତ ଭିଜା କପଡ଼ା, ଠେଙ୍ଗା, କାଠ ଫାଳିଆ ଜବତ କରିଛି ବୋଲି ସୂଚନା ଦିଆଯାଇଛି।
ତେବେ ପୁଲିସର ଏହି ସୂଚନାକୁ ନେଇ ସନ୍ଦେହ ଉପୁଜିଛି। କଟରା ମଦ ଦୋକାନ ନିକଟରେ ୧୧ ମେ ୨୦୧୭ରେ କଢ଼଼ାଙ୍ଗ ଗ୍ରାମର କଳ୍ପନା ବେଉରାଙ୍କ ଉପରେ ଗାଡ଼ି ଚଢ଼ାଇ ମାରି ଦେବା ପରେ ମଦ ଦୋକାନ ଓ ମଦ ବିରୋଧୀ ଆନ୍ଦୋଳନ ଜୋର ଧରିଥିଲା। ଏଥିରେ ନେତୃତ୍ଵ ନେଇଥିଲେ ଲିପୁନ। ମହିଳାମାନେ ଉତ୍ତେଜିତ ହୋଇ ମଦ ଦୋକାନ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଥିଲେ। ଏହାକୁ ନେଇ ପୁଲିସ ଦୁଇଟା ମାମଲା (୧୬୯/୧୭ ଏବଂ ୧୭୧/୧୭) ରୁଜୁ କରି କାଳିଆ ମହରାଣା, ଅଭୟ କାନୁନଗୋ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଲିପୁନ୍‌ ଫେରାର୍‌ ହୋଇ ଯାଇଥିଲେ। ସେମାନେ ପୁଣି ମଦ ବିରୋଧୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜାଣି ଲିପୁନଙ୍କୁ ଗୁଳିମାଡ଼ କରାଯାଇଛି ବୋଲି ତାଙ୍କ ବାପା କହିଛନ୍ତି। ଏହି ଘଟଣାକୁ ମଧ୍ୟ ସ୍ଥାନୀୟ ଲୋକେ ମଧ୍ୟ ସ୍ୱୀକାର କରୁଛନ୍ତି। ଅଥଚ, ପୁଲିସ ଏହାକୁ ଭିନ୍ନ କାରଣ ଦର୍ଶାଉଛି। ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ଲିପୁନ ଏବଂ କାଳିଆ ଯାଇ ଠିକାଦାରୀ କାମରେ ବଟି ମାଗୁଥିଲେ ଠିକାଦାର କାହିଁକି ଲିପୁନଙ୍କ ନାମରେ ଥାନାରେ ମାମଲା ଦେଲେ ନାହ? ତା’ଛଡ଼ା, ଲିପୁନଙ୍କ ନାମରେ ପୂର୍ବରୁ କୌଣସି ଦାବାବଟି ମାଗିବା ନଥିବା ବେଳେ ପୁଲିସ ରାତାରାତି ଦାଦାବଟି ଆଦାୟ କରୁଥିବା ଗୁଣ୍ଡା ବୋଲି ତାଙ୍କୁ କିପରି ଚିତ୍ରଣ କରୁଛି? ଏହି ଘଟଣାରେ ପୂର୍ବରୁ ପୁଲିସର କାର୍ଯ୍ୟକଳାପକୁ ସାଧାରଣରେ ସନ୍ଦେହ କରାଯାଉଥିବାରୁ ବାଧ୍ୟ ହୋଇ ପୁଲିସ ୪ଜଣକୁ ଗିରଫ କରିଥିବା କୁହାଯାଉଛି। ମଦ ବିରୋଧୀ ଆନ୍ଦୋଳନକୁ ବନ୍ଦ କରାଇବା ପାଇଁ ପୁଲିସ ଏହା କରିଥିବାର ମଧ୍ୟ ଚର୍ଚା ହେଉଛି। ଆଜି ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତମାନେ ପୂର୍ବରୁ ଘୋଷିବା ଭଳି ଘଟଣାକ୍ରମ ବର୍ଣ୍ଣନା କରିଦେବା ଏହାକୁ ଅଧିକ ସନ୍ଦେହାସ୍ପଦ କରିଦେଇଛି।

ସମ୍ବନ୍ଧିତ ଖବର