ନାଉଗାଁ: ନାଉଗାଁ ବ୍ଳକର ଚାଷୀମାନେ ବର୍ଷ ବଷ ଧରି ଜଳସେଚନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳରେ ଜଳସେଚନ ପାଇଁ ଯେତେସବୁ ଯୋଜନା କରାଯାଉଛି ସେଗୁଡ଼ିକ ଭିତରୁ ଗୋଟିଏ ବି ଯୋଜନା ଠିକ୍ ଭାବେ କାର୍ଯ୍ୟ କରୁନାହିଁ। ଅଗଭୀର ନଳକୂପଠାରୁ ଆରମ୍ଭ କରି ଉଠା ଜଳସେଚନ ପ୍ରକଳ୍ପ ପର୍ଯ୍ୟନ୍ତ; ସବୁ ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ରହିଛି ଅଥବା ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଯେଉଁ କେତୋଟି ପ୍ରକଳ୍ପ ଶେଷ ହୋଇଛି ସେଗୁଡ଼ିକ ମଧ୍ୟ ଚାଷକାମରେ ଆସୁନଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷଜମିକୁ ଜଳସେଚନ ପାଇଁ ନାଉଗାଁ ବ୍ଲକ୍ର ବିଭିନ୍ନ ସ୍ଥାନରେ ଗୋବରୀ ନଦୀରେ ଚେକ ଡ୍ୟାମ ନିର୍ମାଣ କରାଯାଇଛି। ସେଗୁଡ଼ିକ ଭିତରୁ ଗଜରାଜପୁର ପଞ୍ଚାୟତର ଭାତପଡ଼ା ବିଶ୍ୱାନାଥ ମନ୍ଦିର ଓ ମଠସାହି ଠାରେ ୨ ଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯିବାକୁ ଜଳସେଚନ ବିଭାଗ ପକ୍ଷରୁ ୨୨ ଲକ୍ଷ ଟଙ୍କାର ଟେଣ୍ଡର୍ କରାଯାଇଥିଲା। ଏହି ଦୁଇ ଡ୍ୟାମ ମାଧ୍ୟମରେ ନାଉଗାଁ ଓ ଜଗତସିଂହପୁର ବ୍ଳକ୍ର ୩ ଶହ ହେକ୍ଟର୍ରୁ ଅଧିକ ଚାଷଜମିରେ ପାଣି ମଡ଼ାଯିବା ସହିତ ଉଦ୍ବୃତ୍ତ ବର୍ଷାଜଳକୁ ସଂରକ୍ଷିତ କରି ରଖିବାର ବ୍ୟବସ୍ଥା ରହିଥିଲା। ହେଲେ, ମୋଟାଅଙ୍କର ଅର୍ଥ ବ୍ୟୟ କରାଯାଇ ଏହି ଦୁଇଟି ଡ୍ୟାମ୍ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଚାଷୀଙ୍କ କାମରେ ଆସୁନଥିବା ଜଣାପଡ଼ିଛି।
ଯେଉଁ ପତନରେ ଚେକ୍ ଡ୍ୟାମ୍ ନିର୍ମାଣ କରାଯିବା କଥା ତା’ଠାରୁ କମ ଉଚ୍ଚତା ଥିବାରୁ ଏଥିରେ ଜଳ ସଂରକ୍ଷିତ ହୋଇ ନ ରହି ଡ୍ୟାମ୍ ଉପର ଦେଇ ପ୍ରବାହିତ ହେଉଛି। ଏ ନେଇ ବିଭାଗ ଭଲ ଭାବେ ଅବଗତ ରହିଛି ବୋଲି ପୂର୍ବତନ ସରପଞ୍ଚ ଆର୍ତତ୍ରାଣ ଦାସ ଓ ଯୁବ ନେତା ତୁଷାର ମହାନ୍ତି ପ୍ରମୁଖ ଅଭିଯେଗା କରିଛନ୍ତି। ସେହିପରି ଓଷକଣା ପଞ୍ଚାୟତର ୩୭୫ ହେକ୍ଟର ଚାଷଜମି ପାଇଁ ଦୀର୍ଘ ୫ ବର୍ଷ ହେଲା କୃଷି ଓ ଶିଳ୍ପ ନଗମ, ଉଠା ଜଳସେଚନ ନିଗମ ଓ ପଞ୍ଚାୟତ ସମିତି ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ଖର୍ଚ୍ଚ କରାଯାଇ ପ୍ରକଳ୍ପଗୁଡ଼ିକ ନିର୍ମାଣ କରାଯାଇଛି। ୨୦୧୩-୧୪ ଆର୍ଥକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ପଞ୍ଚାୟତରେ ୩ ଟି ଚେକ୍ଡ୍ୟାମ୍ ନିର୍ମାଣ କରାଯାଇଥିଲା। ତା’ଭିତରୁ ଗୋଟିଏ ଚେକ୍ଡ୍ୟାମ୍ କାମ କରୁନଥିବା ବେଳେ ଅନ୍ୟ ୨ ଟି କେଉଁଠି କରାଯାଇଛି ତାହା ବି ଦେଖିବାକୁ ମିଳୁନାହିଁ। ଏହା ଫଳରେ ଜମିର ଉଦ୍ବୃତ ଜଳ ସଂରକ୍ଷିତ ହୋଇ ନପାରି ନଦୀରେ ମିଶୁଛି। ଏହି ଚେକ୍ଡ୍ୟାମ୍ଗୁଡ଼ିକ ନିର୍ମାଣ କରାଯିବାରେ କେବଳ ଠିକାଦାରମାନେ ଲାଭବାନ ହୋଇଛନ୍ତି ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି। ତୁରନ୍ତ ସେଗୁଡ଼ିକର ମରାମତି କରିବା ସହ ଚାଷ ଉପଯୋଗୀ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/jgtsghpr-1.jpg)