ଆମ ସହର ଆମ ସମସ୍ୟା; ଦବିଲାଣି ଦଶ ନମ୍ବର-ହାଟପୋଲ ରାସ୍ତା; ର-ଠ କାମ କରି ୭୪ ଲକ୍ଷ ଲୁଟ୍!

ଜଗତସିଂହପୁର ଟାଉନ୍: ମାସେ ନପୂରୁଣୁ ଦଶ ନମ୍ବର କଲେଜ ଛକଠାରୁ ହାଟବଜାର ଯାଇଥିବା ଢଳେଇ ରାସ୍ତା ଦବି ଗଲାଣି। ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ରାସ୍ତାକୁ ୭୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟୟରେ କରାଯାଇଛି। ହେଲେ ର–ଠ କାମ କରି ଠିକାଦାର ଓ ଅଧିକାରୀ ଟଙ୍କା ଲୁଟି ନେଇଥିବା ନେଇ ସ୍ଥାନୀୟ ଲୋକ ସ୍ବର ଉଠାଇଲେଣି। ଦୀର୍ଘ ଦିନର ଦାବି ପରେ ରାସ୍ତା କରାଯାଇଛି। ହେଲେ ନିମ୍ନ ମାନର କାମ ଯୋଗୁଁ ଏବେ ଏହାର ସ୍ଥାୟୀତ୍ବକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

Sambad

ଜଗତସିଂହପୁର କଲେଜଛକ ଠାରୁ ସୋମନାଥ ହାଟ–ଚାଟରା ଦେଇ ଗଉଡଉଣି ପଡ଼ିଆକୁ ଯାଇଥିବା ରାସ୍ତାର ଦାବି ଦୀର୍ଘ ଦିନର। ଏହି ରାସ୍ତା ଦେଇ ସୋମମାଥ ହାଟକୁ ଶତାଧିକ ଟ୍ରକ୍ ଓ ଅନ୍ୟ ଛୋଟ ଗାଡ଼ି ଯାତାୟତ କରନ୍ତି। ହାଟ ବଜାର ଠାରୁ ପୋଷ୍ଟ ଅଫିସ ଛକ ମୁଖ୍ୟ ରାସ୍ତା ଭିଡ଼ ରହୁଥିବାରୁ ବାଲି ଗାଡ଼ି ଠାରୁ ଆରମ୍ଭ କରି ଅନ୍ୟ ମାଲ୍ ବାହୀ ଗାଡ଼ି ଏହି ରାସ୍ତା ଉପରେ ନିର୍ଭର କରନ୍ତି।

Sambad

ଏମିତିକି ଜଗତସିଂହପୁର ଜିଲ୍ଲାରୁ ଆଳିପିଙ୍ଗଳ ଦେଇ କଟକ ଓ ପୁରୀ ଜିଲ୍ଲାକୁ ବିଭିନ୍ନ ସାମଗ୍ରୀ ପରିବହନ ହୋଇଥାଏ। ଏହାଛଡ଼ା ଚାଟରା ଓ ଆଖପାଖ ଗାଁ ଲୋକ କେନାଲ ବନ୍ଧ ଉପରେ ନିର୍ଭର କରନ୍ତି। ସ୍ଥାନୀୟ ଲୋକମାନେ ବିଡ଼ିଓ, ଜଳସମ୍ପଦ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରମ୍ବାର ଯାଇ ରାସ୍ତା କରିବାକୁ ଗୁହାରି କରିଛନ୍ତି। ହେଲେ ଜଳ ସମ୍ପଦ ବିଭାଗ ନିକଟରେ ଅର୍ଥର ସମସ୍ୟା ଥିବାରୁ ଏହା ହୋଇ ପାରୁ ନଥିଲା। ପ୍ରଶାନ୍ତ ମୁଦୁଲି ଜଗତସିଂହପୁର ବିଧାୟକ ହେବା ପରେ ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହଯୋଗରେ କ୍ରିଟିକାଲ କେନାଲ ସ୍କିମ୍‌ରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇ ୭୪ ଲକ୍ଷ ୮୩ ହଜାର ୧୯୭ ଟଙ୍କା ମଂଜୁର କରାଯାଇଥିଲା। ଉଭୟ ଜିଲ୍ଲାପାଳ ଓ ବିଧାୟକଙ୍କ ଉପସ୍ଥିତିରେ ଏହି ରାସ୍ତାର ଶୁଭ ଦିଆଯାଇଥିଲା।

Sambad

ସୂଚନା ଫଳରେ ଠିକାଦାର ପ୍ରିୟଦର୍ଶିନୀ ସାନି ଏହି କାମ କରୁଥିବା ବେଳେ ୨୭ ମାର୍ଚ୍ଚ ୨୦୨୦ ଠାରୁ ଆରମ୍ଭ ହୋଇ ୨୬ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟ ଶେଷର ଅବଧି ଉଲ୍ଲେଖ ରହିଛି। କିନ୍ତୁ କାର୍ଯ୍ୟର ସବିଶେଷ ବିବରଣୀ ଉଲ୍ଳେଖ କରାଯାଇନାହିଁ। ତେବେ ସେଠାରେ ସମସ୍ତଙ୍କୁ ଅନ୍ଧାରରେ ରଖି ସଂପୃକ୍ତ ଠିକାଦାର ନିମ୍ନମାନର କାମ କରିଛନ୍ତି। ଫଳରେ ମା ତାରାଦେଇ ମନ୍ଦିର ନିକଟ ଓ ଏହାଠାରୁ ୨ ଶହ ମିଟର ଆଗରେ ଦୁଇଟି ବଡ଼ ଅଂଶ ଦବି ଯାଇଥିଲା। ତେବେ ଏହାକୁ ରାତାରାତି ମରାମତି କରି ଦିଆଯାଇଛି। ଏହା ବାଦ୍‌ ପୁଣି ଏକାଧିକ ସ୍ଥାନରେ କଂକ୍ରିଟ୍ ଦବି ଗଲାଣି। ଜଣେ ଯନ୍ତ୍ରୀଙ୍କ କହିବା ଅନୁସାରେ ରାସ୍ତା ତିଆରି ବେଳେ ଭାଗ ମାପରେ ଗଫଲତି କରାଯାଇଛି ଏବଂ ଭାଇବ୍ରେଟର ଠିକ୍ ଭାବେ ମରାଯାଇ ନାହିଁ। ଯେଉଁଥିପାଇଁ ଏହି ସମସ୍ୟା ଦେଖା ଦେଇଛି। ଅସମତୁଲ ହୋଇଛି।

ଅଧକୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ହେଲା, କିନ୍ତୁ ଏହାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠିଛି। ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଶତପଥୀ କାମ ଠିକ୍ ହୋଇଥିବା ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି ଆମ ଜାଣିବାରେ କାମ ଠିକ୍ ହୋଇଛି। ନିର୍ଦ୍ଧାରିତ ଲମ୍ବା ଓ ଓସାର ରାସ୍ତାରୁ ଗୋଡି ଉଠି ନାହିଁ କହିଥିଲେ ହେଁ ସୂଚନା ଫଳରେ ସମ୍ପୂର୍ଣ୍ଣ ବିବରଣୀ ଉଲ୍ଲେଖ ହୋଇ ନଥିବାରୁ ସେ ଠିକାଦାରଙ୍କୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର