ଦୁର୍ଘଟଣାରେ ଠିକା ବିଦ୍ୟୁତ୍‌ କର୍ମଚାରୀ ମୃତ

ବାଲିକୁଦା: ଦୈତାରୀ-ପାରାଦୀପ ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣ ଛକ ନିକଟରେ ଗତ ୨୫ ତାରିଖ ଦିନ ଅଜଣା ଗାଡ଼ି ଧକ୍କା ଦେବାରୁ ବଡ଼ଚଣା ବ୍ଲକ୍‌ ସାଉଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତାଳୁଆ ଗ୍ରାମର ରଂଜନ ମହାନ୍ତିଙ୍କ ପୁଅ ଉତ୍ତମ ମହାନ୍ତି (୨୮) ପ୍ରାଣ ହରାଇଛନ୍ତି। ସେସୁ କେନ୍ଦ୍ରାପଡ଼ା ଡିଭିଜନ୍‌ ତଥା ଚାନ୍ଦୋଳ ଦାନପୁର ସେକ୍ସନ୍‌ରେ କାର୍ଯ୍ୟରତ ଏନ୍‌ଜେନ୍‌ ନାମକ ଠିକାସଂସ୍ଥାର ଲାଇନ୍‌ମ୍ୟାନ୍‌ ଭାବେ ଉତ୍ତମ ୬ବର୍ଷ ହେବ କାମ କରୁଥିଲେ। ୨୫ ତାରିଖ ସଂଧ୍ୟାରେ ସେ ପଞ୍ଚୁପାଣ୍ଡବ ଛକକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ମୁମୂର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ଉତ୍ତମଙ୍କୁ ଡେରାବିଶ ପୁଲିସ୍‌ ଛତା ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ମେଡିକାଲକୁ ପଠାଇବା ସହ ଉତ୍ତମଙ୍କ ବାଇକ୍‌ (ଓଡି୦୪ଏଚ୍‌୧୯୯୩) ଜବତ କରିଥିଲା। ପରେ କ୍ଷତିପୂରଣ ଦାବିନେଇ ପରିବାର ପକ୍ଷରୁ ବିଦ୍ୟୁତ୍‌ କାର୍ଯ୍ୟାଳୟ ଆଗରେ ଶବ ରଖି ଦାବି କରାଯାଇଥିବା ଜଣାପଡ଼ିଛି। ବିଦ୍ୟୁତ୍‌ ବିଭାଗ ଅଧିକାରୀ, ସ୍ଥାନୀୟ ଲୋକପ୍ରତିନିଧି, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମଧ୍ୟରେ ଆଲୋଚନା ପରେ ବିଭାଗ ପକ୍ଷରୁ ଅନ୍ତ୍ୟେଷ୍ଟ୍ରିକ୍ରିୟା ପାଇଁ ଅର୍ଥରାଶି ପ୍ରଦାନ ସହ ବୀମା ବାବଦ କ୍ଷତିପୂରଣ ପ୍ରଦାନ ପାଇଁ ସହମତି ପ୍ରକାଶ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଗତକାଲି ରାତିରେ ଗ୍ରାମରେ ମରଶରୀର ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା। ଜିଲ୍ଲା ପରିଷଦ ସଭ୍ୟ ବିପିନ ବିହାରୀ ଜେନା, ସାଉଡ଼ିଆ ସରପଞ୍ଚ ଅନିଲ କୁମାର ପରିଡ଼ା, ସମବାୟ ସମିତି ସଭାପତି ତୁଷାରକାନ୍ତ ଜେନା, ରଇପୁର ବିଜେଡି ସଭାତି ଜ୍ଞାନେନ୍ଦ୍ର ଦାଶ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।

ସମ୍ବନ୍ଧିତ ଖବର