ପାରାଦୀପ : ପାରାଦୀପ ପୁଲିସ୍‌ର ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛି। ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଖସି ଯାଇଥିବା ଜଣାପଡ଼ିଛି।

Advertisment

ଏନ୍‌କାଉଣ୍ଟରର ଶିକାର ହୋଇଥିବା ଅପରାଧୀ ହେଲା କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ଶାଳଗାଁର ସୂର୍ଯ୍ୟକାନ୍ତ ସ୍ୱାଇଁ। ଗତକାଲି ବିଳମ୍ବିତ ରାତିରେ ପାରାଦୀପ ଲକ୍‌ ଥାନା ପକ୍ଷରୁ ଗାଡ଼ି ଯାଞ୍ଚ ବେଳେ ସୂର୍ଯ୍ୟକାନ୍ତ ଓ ତା’ର ୨ ସହଯୋଗୀ ଏକ ବାଇକ୍‌ରେ ସେହି ବାଟ ଦେଇ ଦ୍ରୁତ ଗତିରେ ଯାଉଥିଲେ। ପୁଲିସ୍‌ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ଅଟକି ନ ଥିଲେ। ଫଳରେ, ପୁଲିସ୍‌ର ସନ୍ଦେହ ବଢ଼ିଯାଇଥିଲା। ଲକ୍‌ ଥାନାର ଆଇଆଇସି ଚିନ୍ମୟ ରାଉତଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ସେମାନଙ୍କୁ ପିଛା କରିଥିଲା। ପୁଲିସ୍‌ ପିଛା କରୁଥିବା ଦେଖି ସୂର୍ଯ୍ୟକାନ୍ତ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସ୍‌ ପାଲଟା ଗୁଳିଚାଳନା କରିଥିଲା ଏବଂ ସେହି ଗୁଳି ସୂର୍ଯ୍ୟକାନ୍ତର ଗୋଡ଼ରେ ବାଜିଥିଲା। ଫଳରେ, ସେ ବାଇକ୍‌ରୁ ଖସି ପଡ଼ିଥିଲା। ଆହତ ଅବସ୍ଥାରେ ପୁଲିସ୍‌ ତାକୁ ଧରିଥିବାବେଳେ ଅନ୍ୟ ୨ଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ଅନ୍ୟପକ୍ଷରେ, ଆହତ ସୂର୍ଯ୍ୟକାନ୍ତକୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂର୍ଯ୍ୟକାନ୍ତ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ତା’ ନାଁରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ୮ରୁ ଅଧିକ ମାମଲା ରହିଛି। ଏହାସହ କମିସନରେଟ୍‌ ପୁଲିସ ଅଧୀନରେ କୌଣସି ମାମଲା ଅଛି କି ନାହିଁ ପୁଲିସ ସେ ନେଇ ତଦନ୍ତ ଆରମ୍ଭ କରିଛି। ଗୁରୁତର ଅବସ୍ଥାରେ ତାକୁ ଏସ୍‌ସିବିରେ ଭର୍ତ୍ତିି କରାଯାଇଛି। ଅନ୍ୟପଟେ ସୂର୍ଯ୍ୟକାନ୍ତ ସହ ବାଇକ୍‌ରେ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପୁଲିସ୍‌ ପିଛା କରିଥିଲେ ମଧ୍ୟ ଦୁହିଁଙ୍କୁ ଧରିବା ପାଇଁ ସକ୍ଷମ ହୋଇନଥିଲେ। ‘ସେମାନଙ୍କ ଗତିବିଧି ଉପରେ ପୁଲିସ ନଜର ରଖିଛି। ଖୁବ୍‌ଶୀଘ୍ର ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ’ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ର କହିଛନ୍ତି।