ବିଜୁଳି ବିଭ୍ରାଟକୁ ନେଇ ଲୋକେ ଅତିଷ୍ଠ

ଜଗତସିଂହପୁର ଟାଉନ୍‌: ପ୍ରବଳ ଖରା ଓ ଗରମରେ ଅଘୋଷିତ ବିଦ୍ୟୁତ୍‌ କାଟ ହେବା ଯୋଗୁଁ ଜଗତସିଂହପୁରରେ ସାଧାରଣ ଲୋକ ଅତୀଷ୍ଠ ହୋଇ ପଡ଼ିଲେଣି। ଗତକାଲି ଜୟବଡ଼ ଏବଂ କୋର୍ଟଛକ ଟ୍ରାନ୍‌ସଫରମର ପୋଡ଼ିଯିବାରୁ ରାତି ସାରା ବିଦ୍ୟୁତ ନଥିଲା। କର୍ମଚାରୀଙ୍କୁ ଫୋନ୍‌ କରାଗଲେ ବି ସେମାନେ ଅନେକ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମରାମତି ପରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବି ବିଦ୍ୟୁତ୍‌ ଆସିନଥିଲା। ସେହିପରି ସିପି ଛକ ଏଲ୍‌ଟି ଫ୍ୟୁଜ୍‌ ଅପରାହ୍ନ ୨ଟାରେ କଟିଥିଲେ ବି ଏହା ଦେଢ଼ ଘଣ୍ଟା ବିଳମ୍ବରେ ମରାମତି କରାଯାଇଥିଲା। ସେହିପରି ଠାକୁରପାଟଣାରେ ଥିବା ଜିଲ୍ଲାଜଜ୍‌ଙ୍କ ଆବାସ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଦ୍ୟୁତ୍‌ କଟିଥିଲେ ବି ତାହା ବିଳମ୍ବରେ ମରାମତି କରାଯାଇଥିଲା। କେବଳ ଆଜି ଦିନରେ ୪୦ରୁ ଅଧିକ ଥର ବିଜୁଳି କଟିଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅଭିଯୋଗ କଲେ ସେସୁ ଏଞ୍ଜେନ୍‌କୁ ଦୋଷ ଲଦୁଥିବା ବେଳେ ଏଞ୍ଜେନ୍‌ ସେସୁକୁ ଦାଷ ଦେଉଛି। ଏହାକୁ ନେଇ ସାଧାରଣ ଲେଶକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଗଣ ସଂଗ୍ରାମ ପରିଷଦର ସଭାପତି ଆଡଭୋକେଟ ବାସୁଦେବ ମାଇକ୍‌ ଧରି ବଜାରରେ ବୁଲି ବୁଲି ଲୋକଙ୍କୁ ସଚେତନ କରାଇଥିଲେ। ଯଦି ବିଦ୍ୟୁତ୍‌ ଯୋଗାଣ ସମସ୍ୟାର ସମାଧାନ କରାନଦଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଆଡଭୋକେଟ୍‌ ବାସୁଦେବ କହିଛନ୍ତି।

ସମ୍ବନ୍ଧିତ ଖବର