୭ରେ ଦାମ ଗଢ଼ିବେ ନୂଆ ଦଳ : ବାରିପଦାରେ ପ୍ରଥମ ସମାବେଶ

ସାମିଲ ‌ ହେବେ ପ୍ରଫୁଲ୍ଲ-ବୈଜୟନ୍ତ-ରାମକୃଷ୍ଣ-ସୁରେନ୍ଦ୍ର

ଜଗତସିଂହପୁର/କୁଜଙ୍ଗ : ଆସନ୍ତା ୭ ତାରିଖ ଦିନ ଏକ ନୂଆ ରାଜନୈତିକ ଦଳ ଗଠନ କରାଯିବ। ନୂତନ ଦଳର ପ୍ରଥମ ସମାବେଶ ବାରିପଦାଠାରେ ହେବ। ଏହାପରେ କଟକ ଓ କୁଜଙ୍ଗଠାରେ ସମାବେଶ ଆୟୋଜନ କରାଯିବ। ନିଜର ସମର୍ଥକମାନଙ୍କୁ ଆଜି ଏହିଭଳି ସୂଚନା ଦେଇଛନ୍ତି ବିଜେଡିରୁ ବହିଷ୍କୃତ ନେତା ତଥା ପାରାଦୀପର ବିଧାୟକ ଡା. ଦାମୋଦର ରାଉତ।

ଗତକାଲି ନିଜ ନିର୍ବାଚନମଣ୍ଡଳୀରେ ବି‌େଜଡି ପକ୍ଷରୁ ବିଶାଳ ମହିଳା ସମାବେଶର ଆୟୋଜନ ପରେ ବିଧାୟକ ଡା. ରାଉତ ଆଜି କୁଜଙ୍ଗଠାରେ ନିଜ ସମର୍ଥକଙ୍କୁ ଭେଟିଥିଲେ। ବୈଠକରେ ତାଙ୍କର ଏକାନ୍ତ ଅନୁଗତମାନେ ଏକାଠି ହୋଇଥିଲେ। ସେଠାରେ ସେ ନୂତନ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଥିଲେ। ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ ନୂତନ ଦଳର ପ୍ରଥମ ସମାବେଶ ବାରିପଦା, ଦ୍ବିତୀୟ କଟକ ଓ ତୃତୀୟ କୁଜଙ୍ଗରେ ଆୟୋଜନ କରାଯିବ। ବିଜେଡିରୁ ବହିଷ୍କୃତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ରାମକୃଷ୍ଣ ପଟ୍ଟନାୟକ, ସୁରେନ୍ଦ୍ର ନାୟକଙ୍କ ଭଳି ନେତାଙ୍କୁ ଏଥିରେ ସାମିଲ କରାଯିବ। ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ, ନୂତନ ଦଳ ଗଠନ ସମ୍ପର୍କରେ ସୂଚନା ପରେ ଡା. ରାଉତଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଯେଉଁମାନେ ଗତକାଲି ବିଜେଡିର ମହିଳା ସମାବେଶରେ ଦାମ ବିରୋଧୀ ମନ୍ତବ୍ୟକୁ ହଜମ କରିପାରିନାହାନ୍ତି, ଆଜି ସେମ‌ାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ସେମାନଙ୍କ ମନ୍ତବ୍ୟରେ ବି ବିଧାୟକ ଡା. ରାଉତ ଉତ୍ତେଜିତ ହୋଇପଡ଼ିବା ଦେଖିବାକୁ ମିଳିଛି। ସେ ବୈଠକରେ ତତ୍‌କ୍ଷଣାତ ଘୋଷଣା କରିଥିଲେ ଯେ, ଗତକାଲିର ସମାବେଶରେ ତାଙ୍କ ବିରୋଧରେ କଟୁ ମନ୍ତବ୍ୟ ରଖିଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ସମୀର ଦାସଙ୍କ ବିରୋଧରେ କାର୍ଯ୍ୟକ୍ରମ ଆରମ୍ଭ କରିବେ। ପ୍ରଥମେ ମନ୍ତ୍ରୀ ପ୍ରତାପ ଜେନାଙ୍କ ମୁଖା ଖୋଲିବା ପାଇଁ ଆସନ୍ତାକାଲି ମାହାଙ୍ଗା ଯିବେ। ତା’ ପରେ ପ୍ରଫୁଲ୍ଲଙ୍କ ନିର୍ବାଚନମଣ୍ଡଳୀ ଭଣ୍ଡାରପୋଖରୀ ଓ ସମୀର ଦାସଙ୍କ ନିର୍ବାଚନମଣ୍ଡଳୀ ନିମପଡ଼ା ଗସ୍ତ କରିବେ ଏବଂ ଏଥିପାଇଁ ସମସ୍ତ ଯୋଜନା ପ୍ର୍ରସ୍ତୁତ କରିଛନ୍ତି ବୋଲି କହିଥିଲେ।

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ଅଧ୍ୟକ୍ଷ ସ୍ମୃତିରଂଜନ ବେହେରା, ଉପାଧ୍ୟକ୍ଷା ପୁଷ୍ପଲତା ବେହେରା, ସରପଞ୍ଚ ଭାରତ ଭୂଷଣ ନାୟକ, ନୃସିଂହ ସାହୁ, ପ୍ରମୋଦ ସ୍ବାଇଁ, ସମିତି ସଭ୍ୟ ଶାରଦା ପ୍ରସନ୍ନ ଦାସ, ପ୍ରଭାତୀ ଦାସ, ପଦ୍ମନାଭ ସାହୁ, ସୁରେନ୍ଦ୍ର ସ୍ବାଇଁ, ଯୋଗେନ୍ଦ୍ର ସ୍ବାଇଁ ଓ ପୂର୍ବତନ ସଭ୍ୟ କୈଳାସ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର