ଜଗତସିଂହପୁର, (ସଂଦୀପ ଲେଙ୍କା): ୬୫ ବର୍ଷର ପୁରୁଣା ହିସାବରେ ଚାଲିଛି ନଈର ବିପଦସଙ୍କେତ ହିସାବ। ସେହି ହିସାବ ଶୁଣି ଲୋକେ ଭୟଭୀତ ହେଉଛନ୍ତି। କିନ୍ତୁ ବାସ୍ତବରେ ତାର ବର୍ତ୍ତମାନ ସ୍ଥିତିରେ କୌଣସି ଗୁରୁତ୍ବ ନାହିଁ। ବନ୍ୟା ବିପଦ ଜଗତସିଂହପୁରରେ ଆପତତଃ ଟଳିଯିବା ପରେ ଏଭଳି ଚିତ୍ର ସାମନାକୁ ଆସିଛି।
ଜଗତସିଂହପୁର ଜିଲ୍ଲାକୁ ପ୍ରତ୍ୟେକ ବର୍ଷ ବନ୍ୟା ଭୟ ଘାରୁଛି। କିନ୍ତୁ ବନ୍ୟା ମୁକାବିଲା ବ୍ୟବସ୍ଥାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ନଦୀବନ୍ଧ ଉଚ୍ଚତା ବୃଦ୍ଧି ସହିତ ଏହାକୁ ଦୃଢ କରିବାକୁ ପଦକ୍ଷେପ ନିଆଯାଉଛି ସତ ହେଲେ ୬୫ ବର୍ଷର ପୁରୁଣା ମାପଦଣ୍ଡ ଏଯାଏ ବି ବଦଳା ଯାଇପାରିନାହିଁ। ଫଳରେ ସେଥିରେ ଯେଉଁ ତଥ୍ୟ ଆସୁଛି, ତାହା ବାସ୍ତବ ସ୍ଥିତି ଆକଳନରେ ସମସ୍ୟା ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତିର ମୁକାବିଲା କରିବା ଓ ନଦୀ ବନ୍ଧର ମରାମତି ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ନଦୀବନ୍ଧର ସୁରକ୍ଷା ପାଇଁ ସରକାର ବହୁ ସ୍ଥାନରେ କଂକ୍ରିଟ୍ ବନ୍ଧ ନିର୍ମାଣ କରିବା ସହ ପଥର ପ୍ୟାକିଂ କରାଯାଇଛି। କିନ୍ତୁ ୧୯୫୫ ମସିହାରେ ଦେବୀ ନଦୀରେ ପ୍ରବଳ ବନ୍ୟା ଆସିଥିବା ସମୟରେ ସରକାର ଯେଉଁ ବିପଦସଙ୍କେତ ସ୍ତର ନିର୍ଦ୍ଧାରଣ କରିଥିଲେ ତାହା ଏବେ ବି ବ୍ୟବହାର କରାଯାଉଛି। ଏହି ସମୟ ଭିତରେ ନଦୀବନ୍ଧ ଗୁଡ଼ିକର ଉଚ୍ଚତା ହାରାହାରି ଭାବେ ୧୦ରୁ ୧୨ ଫୁଟ ବୃଦ୍ଧି ପାଇଲାଣି। ମାତ୍ର ବିପଦସଙ୍କେତ ସ୍ତର ସେହି ୬୫ ବର୍ଷ ପୁରୁଣା ରହିଛି। ୧୯୫୫ରେ ଦେବୀ ନଦୀରେ ପ୍ରବଳ ବନ୍ୟା ଆସିବା ପରେ ସରକାର ଦଳେଇ ଘାଈର ସ୍ତର ନିର୍ଦ୍ଧାରଣ କରି ଏହା ବିପଦ ସଙ୍କେତସ୍ତର ୫୭ ଫୁଟ୍ ବୋଲି ଧାର୍ଯ୍ୟ କରିଥିଲେ। ୧୯୮୨ରେ ହୋଇଥିବା ବନ୍ୟାରେ ଏଠାରେ ବିପଦ ସଙ୍କେତ ଟପି ଜଳସ୍ତର ୬୦ ଫୁଟ୍ ରହିଥିଲା। ୨୦୦୮ରେ ନଦୀ ଜଳସ୍ତର ୬୩.୮୦ ଫୁଟ୍ ରହିଥିଲା। ବର୍ତ୍ତମାନ ଦଳେଇ ଘାଈର ଉଚ୍ଚତା ୬୬ ଫୁଟ୍ ରହିଥିବା ବେଳେ ନଦୀର ସୁରକ୍ଷା ପାଇଁ କାଠଯୋଡ଼ିର ବାମ ପଟେ ଜଳ ନିଷ୍କାସନ ପାଇଁ ୬ଟି ବଡ଼ ଓ ୪ଟି ଛୋଟ ଗେଟ୍ ନିର୍ମାଣ କରାଯାଇଛି। ଏହାସହ ନଦୀ ବନ୍ଧକୁ ୫ ମିଟର ଯାଏ ପ୍ରଶସ୍ତ କରାଯାଇଛି।
ନିୟମ ଅନୁଯାୟୀ, ନଦୀ ବନ୍ଧର ସର୍ବୋଚ୍ଚ ଉଚ୍ଚତା ଠାରୁ ବିପଦ ସଙ୍କେତ ଜଳସ୍ତର ୩ ଫୁଟ୍ ତଳକୁ ରହିବା କଥା। ଏହି ନିୟମକୁ ଦେଖିଲେ ଦଳେଇଘାଈର ବିପଦ ସଙ୍କେତ ଜଳସ୍ତର ୬୩ ଫୁଟ୍ ରହିବା କଥା। କିନ୍ତୁ ବିପଦ ସଙ୍କେତକୁ ଏବେ ବି ୫୭ ଫୁଟ୍ ଧରି ସ୍ଥିତି ଆକଳନ କରାଯାଉଛି। ବିପଦସଙ୍କେତ ଟପିଲା ଖବର ଶୁଣି ନଦୀ କୂଳିଆବାସୀ ଆତଙ୍କିତ ହୋଇପଡ଼ୁଛନ୍ତି। ଏହାସହିତ ତାରପୁରରେ ଜଳପତ୍ତନ ୯.୧୦ ମିଟର, ତାର୍ତୋଲରେ ୪.୯୩ ମିଟର, ଚୌଧୁରୀଗଡ଼ାରେ ୪.୧୦ ମିଟର ଓ ପାଇକା ନଦୀର ଶଙ୍ଖେଶ୍ବରଠାରେ ଜଳ ପତନ ୨୨.୭୫ ଫୁଟ୍ ନିର୍ଦ୍ଧାରଣ କରାଯାଇଛି। ଏ ସବୁ ନଦୀ ବନ୍ଧର ଉଚ୍ଚତା ୧୦ରୁ ୧୨ ଫୁଟ ବୃଦ୍ଧି କରାଯାଇଥିବାରୁ ପୁରୁଣା ବିପଦ ସଙ୍କେତ ସ୍ତର ଅବାସ୍ତବ ହୋଇ ପଡିଛି। ଏ ସଂପର୍କରେ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀ କହିଛନ୍ତି ଯେ ବିପଦ ସଙ୍କେତ ସ୍ତର ପୁନଃ ନିର୍ଦ୍ଧାରଣର ଆବଶ୍ୟକତା ରହିଛି। ମାତ୍ର ଏହା ଜିଲ୍ଲା ପ୍ରଶାସନ ଅଧୀନରେ ନାହିଁ। ଏ ନେଇ ଏସ୍ଆରସିଙ୍କୁ ଚିଠି ଲେଖି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରାଯିବ।