ଭିତ୍ତିପ୍ରସ୍ତରକୁ ୨୬ ବର୍ଷ ପୂରିବ; ସ୍ବପ୍ନରେ ରହିଗଲା ଡେରିକି ମିନିଷ୍ଟାଡିଅମ୍‌

ଗାରୋଇ: କ୍ରୀଡ଼ାର ବିକାଶ ଓ ଗ୍ରାମାଞ୍ଚଳରେ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ତଥା କ୍ରୀଡ଼ା ପ୍ରତିଭାର ଉନ୍ମେଷସାଧନ ପାଇଁ ରାଜ୍ୟ ସରକାର ପ୍ରତି ବ୍ଲକ୍‌ରେ ମିନି ଷ୍ଟାଡିଅମ ନିର୍ମାଣ ପ୍ରସ୍ତାବ ରଖିଛନ୍ତି। କିନ୍ତୁ ପ୍ରାୟ ୨୬ ବର୍ଷ ପୂର୍ବେ ୧୯୯୭ ମସିହାରେ ନାଉଗାଁ ବ୍ଲକ ଡେରିକ ନେତାଜୀ ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ହେଁ ଅଞ୍ଚଳବାସୀଙ୍କ ପାଇଁ ତାହା ସ୍ବପ୍ନରେ ରହିଯାଇଛି। ତତ୍କାଳୀନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଓ ସାଂସଦ ରଂଜୀବ ବିଶ୍ବାଳ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଭିତ୍ତି ପ୍ରସ୍ତର ସ୍ଥାପନର କିଛି ବର୍ଷ ପରେ ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ଷ୍ଟାଡିୟମ ପାଇଁ ୧ ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ଏହି ଅର୍ଥରେ ନେତାଜୀ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଏକ ଆଜବେଷ୍ଟସ୍‌ ଘର ନିର୍ମାଣ କରାଯାଇଥିଲା। ୧୯୯୯ ମସିହା ମହାବାତ୍ୟାରେ ସେହି ଗୃହଟି ଭୁଶୁଡି ପଡିଥିଲା।

କିନ୍ତୁ ଷ୍ଟାଡିୟମ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ସ୍ଥାନୀୟ କେତେକ ଯୁବ କ୍ରୀଡାପ୍ରେମୀଙ୍କ ଉଦ୍ୟମରେ ବଖରାଏ ଛାତ ଘର ନିର୍ମାଣ ହୋଇଛି। ଷ୍ଟାଡିୟମ ପାଇଁ ଉଦ୍ଦିଷ୍ଟ ଏକରରୁ ଊର୍ଦ୍ଧ୍ବ ଜମିରେ ଗଢି ଉଠିଛି ଧାନ ମଣ୍ତି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସହିତ ବିଦ୍ୟୁତ ଷ୍ଟ୍ରକଚରର ନିର୍ମାଣ କାର୍ଯ୍ୟ ଫଳରେ ଷ୍ଟାଡିୟମ ପାଇଁ ଜାଗା ସଂଙ୍କୁଚିତ ହୋଇଯାଇଛି। ଏହି ଷ୍ଟାଡିୟମଟି ନିର୍ମାଣ ହେଲେ ଡେରିକ ପଂଚାୟତ ସହ ଓଷକଣା, କୋରୁଅ, ତିରୁଣା, ଶିଖର ପ୍ରଭୃତି ପଂଚାୟତର ଯୁବ ଗୋଷ୍ଠୀଙ୍କୁ ବିଭିନ୍ନ କ୍ରୀଡା ପାଇଁ ପ୍ରଶିକ୍ଷଣର ସୁଯୋଗ ମିଳିପାରନ୍ତା। ଏହା ଛଡା ଷ୍ଟାଡିୟମକୁ ବିଭିନ୍ନ ସଭା ସମିତି ଓ କ୍ରୀଡା ପ୍ରତିଯୋଗିତା ପାଇଁ ବ୍ୟବହାର କରାଯାଇ ପାରନ୍ତା। ଏ ଦିଗରେ ପ୍ରାଶାସନିକ ସ୍ତରରେ ଆନ୍ତରିକତାର ଅଭାବ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହିଁ ମୁଖ୍ୟ ଅନ୍ତରାୟ ହୋଇଛି। ଏପରିକି ଜିଲ୍ଲା ଯୋଜନା ଖସଡ଼ାର ଅଂଶବିଶେଷ ଭାବେ ଏହି ପ୍ରସଙ୍ଗକୁ ନିଆନଯିବା ଦୁର୍ଭାଗ୍ୟଜନକ।

ଏଠାରେ ଏକ ଉନ୍ନତ ଷ୍ଟାଡିୟମ ନିର୍ମାଣ ପାଇଁ ନେତାଜୀ ସ୍ପୋର୍ଟିଙ୍ଗ କ୍ଲବର ସଭାପତି ବିରଂଚି ବିଶ୍ବାଳ, କ୍ଲବର ସମ୍ପାଦକ ପ୍ରଶାନ୍ତ ଜେନା, ମାନସ ବେହୁରା, ଦିଲିପ ଜେନା, ହେମନ୍ତ ସ୍ବାଇଁ, ବର୍ତମାନ ଜିଲ୍ଲା କ୍ରିକେଟ ୧୬ ବର୍ଷରୁ କମ୍‌ ଖେଳାଳି ରାକେଶ ସେଠୀ ପ୍ରମୁଖ ଦାବି କରିଛନ୍ତି। ଅନ୍ୟପଟରେ ଷ୍ଟାଡିୟମ ନିର୍ମାଣ ବିଳମ୍ବ ସମ୍ପର୍କରେ ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ବ ବିଜୟିନୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ କେବଳ ଦେଖିବା କହି କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇ ନଥିଲେ। ଅନ୍ୟପଟରେ କ୍ଲବର କୋଷାଧ୍ୟକ୍ଷ ମାନସ ବେହୁରାଙ୍କ କହିବା ଅଣୁଯାୟୀ ୨ ବର୍ଷ ହେବ ସ୍ଥାନ ନିରୁପଣ କରିବା ପାଇଁ ରାଜସ୍ବ ବିଭାଗକୁ ଜିଲ୍ଲା କ୍ରୀଡ଼ାବିାଭଗକୁ ନିର୍ଦ୍ଦେଶ ଆସିଥିଲେ ହେଁ ରାଜସ୍ବ ବିଭାଗ ଏଦିଗରେ ମୁଣ୍ଡ ପୂରାଉ ନାହିଁ।

ଗ୍ରାମାଂଚଳର ଯୁବ ଗୋଷ୍ଠୀଙ୍କୁ କ୍ରୀଡା ପ୍ରତି ଆକୃଷ୍ଠ କରିବା ଓ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ସାଧନ ପାଇଁ ସରକାର ବିଭିନ୍ନ ଯୋଜନା, ଯୁବ କ୍ରୀଡା ନୀତି ପ୍ରଣୟନ ସହ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏଠାରେ ଏକ ଷ୍ଟାଡିୟମ ନିର୍ମାଣ ପ୍ରହସନରେ ପରିଣତ ହୋଇଛି। ରାଜ୍ୟ କ୍ରୀଡାମନ୍ତ୍ରୀ ଓ ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେଇ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ କ୍ରୀଡାପ୍ରେମୀ ଦାବି କରିଛନ୍ତି। ଏହି ଷ୍ଟାଡିଅମର ସ୍ଥାନ ନିରୁପଣ ବିଷୟରେ ନାଉଗାଁ ତହସିଲଦାର ଜେ କଳ୍ପନାଙ୍କୁ ପଚାରିବାରୁ ସେ କହିଥିଲେ କୋଭିଡ ପାଇଁ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି ହୋଇଛି। ଅଳ୍ପ କିଛି ଦିନ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ତେବେ ଅଞ୍ଚଳବାସୀଙ୍କ ଷ୍ଟାଡିଅମ ସ୍ବପ୍ନ କେବେ ସାର୍ଥକ ହେବ ତାହା ହିଁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର