ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସମର୍ଥକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଶୋଭାଯାତ୍ରା କରି ଦଳୀୟ ପ୍ରାର୍ଥୀ ରାଜ କିଶୋର ବେହେରାଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ଧର୍ମେନ୍ଦ୍ର ଆଜି ତିର୍ତ୍ତୋଲ ନିର୍ବାନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପହଞ୍ଚି ଭୋଟରଙ୍କୁ ଭେଟୁଛନ୍ତି। ଏକ ଖୋଲା କାରରେ ସେ ସମର୍ଥକମାନଙ୍କ ଗହଣରେ  ଶୋଭାଯାତ୍ରା କରିବା ସହ ରାସ୍ତାପାର୍ଶ୍ବରେ ଏକତ୍ରିତ ହୋଇଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ।

Advertisment

ଆଜି ସକାଳ ୧୦ଟାରେ ତିର୍ତ୍ତୋଲରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିଲେ। ପ୍ରଥମେ ଶଙ୍ଖେଶ୍ବର ହାଟପଡ଼ିଆ ଓ ପରେ ତିର୍ତ୍ତୋଲ ବଜାର, ରଘୁନାଥପୁର, ବିରିଡି , ବସନ୍ଦରା ଓ ମଙ୍ଗୁଳିଠାରେ ରାଲି ଓ ସଭା କରିଛନ୍ତି ଧର୍ମେନ୍ଦ୍ର। ଏହି ପ୍ରଚାର ସମୟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ସେ । ୨୦ ବର୍ଷ ଶାସନରେ ରହିଥିଲେ ମଧ୍ୟ ରାଜ୍ୟ ସରକାର ବିକାଶ କରାଇ ନଥିବାରୁ ଏହି ଅଞ୍ଚଳର ଲୋକେ ରୋଜଗାର ଲାଗିୁ ବାହାରକୁ ଯିବାକୁ ବାଧ୍ୟ ହୋଇଛନ୍ତି। ରାଜ୍ୟରେ ଏକ ଅପାରଗ ଓ ସମ୍ବେଦନାହୀନ ସରକାର ଚାଲିଛି। ଅନ୍ୟ ପକ୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଲୋକଙ୍କର ବିକାଶ ଲାଗି ବିଭନ୍ନ କାର୍ଯ୍ୟ କରି ସଫଳତା ପାଉଛି। ସେ କୋଭିଡ୍ ପରିଚାଳନା ‌କ୍ଷେତ୍ରରେ ସଫଳତା ହେଉ ଅଥବା ଆତ୍ମନିର୍ଭର ଭାରତ ମାଧ୍ୟମରେ ଲୋକଙ୍କର ଆର୍ଥିକ ଉନ୍ନତି, ଆଜି ମୋଦୀ ସରକାର ଉପରେ ଲୋକଙ୍କର ଆସ୍ଥା ରହିଛି। ଏହି ଆସ୍ଥାକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ନିର୍ବାଚନକୁ ଓହ୍ଲାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ।