ଫଳକ ଭାଙ୍ଗିଲେ ଅସନ୍ତୁଷ୍ଟ ବିଜେଡି କର୍ମୀ

ବିରିଡି : ତିର୍ତ୍ତୋଲ ନିର୍ବାଚନମଣ୍ତଳୀ ବିଜେଡି ମଧ୍ୟରେ ତୀବ୍ର ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଏଥିରୁ ବିରିଡ଼ି ବ୍ଲକ ମଧ୍ୟ ବାଦ ପଡିନାହିଁ। ଏହି ଗୋଷ୍ଠୀ କନ୍ଦଳ ବ୍ଲକର କୁଳକଇଜଙ୍ଗା ପଞ୍ଚାୟତର ମହାତୋଳ ଗ୍ରାମରେ ଦେଖିବାକୁ ମିଳିଛି। ବୁଧବାର ତିର୍ତ୍ତୋଲ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ ବ୍ଲକର ବିଭିନ୍ନ ସ୍ଥାନରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ କୁଳକଇଜଙ୍ଗା ପଞ୍ଚାୟତର ମହାତୋଳ ଗ୍ରାମରେ ଏକ ଗୋଷ୍ଠୀକେନ୍ଦ୍ର ଓ ମିଶନ ଶକ୍ତି ଗୃହ ନିର୍ମାଣ ଶିଳାନ୍ୟାସ ହେବାର ଥିଲା। ମାତ୍ର ଶିଳାନ୍ୟାସ ପୂର୍ବରୁ ଅପରାହ୍ନ ପ୍ରାୟ ୨ଟା ବେଳେ କେତେକ ଅସନ୍ତୁଷ୍ଟ ବିଜେଡି କର୍ମୀ ଫଳକକୁ ଭାଙ୍ଗିରୁଜି ଖିନଭିନ କରିଦେଇଥିଲେ। ଫଳକ ଲଗା କାର୍ଯ୍ୟରେ ନିୟୋଜିତ ରାଜମିସ୍ତ୍ରୀ ଭୟରେ ଘଟଣାସ୍ଥଳ ଛାଡି ପଳାଇଥିଲେ। ଏହାକୁ ନେଇ ମହାତୋଳ ଗ୍ରାମରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ବିଧାୟିକା ଡା. ମଲ୍ଲିକ ଶିଳାନ୍ୟାସ ସ୍ଥଳକୁ ନ ଆସି ଫେରିଯାଇଥିଲେ। ଏହି ଘଟଣା ବିଧାୟିକା ଓ ତାଙ୍କ ସମର୍ଥନମାନଙ୍କ ପ୍ରତି ଏକ ଶକ୍ତ ଧକ୍କା ଲାଗିଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ପଞ୍ଚାୟତ ବିଜେଡି ସଭାପତିଙ୍କ ଅଜ୍ଞାତରେ ଏହି ଶିଳାନ୍ୟାସ ଉତ୍ସବ ହୋଇଥିବାରୁ ଅସନ୍ତୁଷ୍ଟ ବିଜେଡି କର୍ମୀମାନେ ଏହାକୁ ବିରୋଧ କରି ଏଭଳି କାଣ୍ତ ଘଟାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର