ଭେଜାଲ ମଦ କାରବାର: ଆଠଗଡ଼ରୁ ଜଗତସିଂହପୁର

ସବୁ ଜାଣି ଅଜଣା ଅବକାରୀ ବିଭାଗ

ଜଗତସିଂହପୁର: ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଅପେକ୍ଷା ଜିଲ୍ଳାରେ ଲୁଚାଛପାରେ ଅଧିକ ମଦ ବିକ୍ରି କରାଯାଉଛି। ଚୋରା ମଦ କାରବାର ବଢି ଚାଲିଛି। ଏହି କାରବାରର ଚେର ଆଠଗଡ଼ରୁ ଏହି ଜିଲ୍ଲାକୁ ଲମ୍ବିଛି। ଅବକାରୀ ଅଧିକାରୀ ସବୁ ଜାଣି ଅଜଣା ପାଲଟିଛି। ବର୍ଷକ ଟାଗେର୍ଟ ପୂରଣ ପାଇଁ ଅବକାରୀ ଓ ପୁଲିସ ହାତଗଣତି ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରି କାମ ସାରି ଦେଉଛନ୍ତି। ହେଲେ ଚୋରା ମଦ କେଉଁଠାରୁ ଆସୁଛି? କିଏ ଆଣୁଛି? କେମିତି ଆସୁଛି ଏବଂ କେଉଁଠି କେଉଁଠି ବିକ୍ରି କରାଯାଉଛି ତାର ତଦନ୍ତ ପାଇଁ କାହାରି ଆଗ୍ରହ ନାହିଁ।

ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାରେ ୧୮ଟି ବିଦେଶୀ, ୧୧ଟି ଦେଶୀ ଏବଂ ୨୮ଟି ଠିପି ଖୋଲା ମଦ ଦୋକାନ ରହିଛି। ଧାର୍ଯ୍ୟଠାରୁ ପ୍ରତ୍ୟେକ ଦୋକାନ ଯଥେଷ୍ଟ ଅଧିକ ମଦ ଉଠାଉଛନ୍ତି। ଏଥିରେ ସରକାର ରାଜସ୍ବ ପାଉଛନ୍ତି। ହେଲେ ଏହା ପଛରେ ଏକ ବିରାଟ ରୢାକେଟ୍ କାମ କରୁଛି। ବିଶେଷ କରି ଚେରୋ ମଦ ମାଫିଆଙ୍କ ସହ ହାତ ମିଳାଇ ଜଗତସିଂହପୁରର କିଛି ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ ଜିଲ୍ଳାରେ ଚୋରା ମଦ ବ୍ୟବସାୟ କରୁଛନ୍ତି। ରାତାରାତି କୋଟିକୋଟି ଟଙ୍କାର ଲାଳସାରେ ଏହି ମାଫିଆମାନେ ଉଭୟ ପୁଲିସ ଓ ଅବକାରୀ ବିଭାଗର କିଛି ଅଧିକାରୀଙ୍କୁ ହାତରେ ରଖି ବେପାର ଚଳାଇଛନ୍ତି। ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କ ନିକଟରେ ସାହସ ନାହିଁ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଢେ଼ଙ୍କାନାଳ ଓ ନୟାଗଡ଼ରୁ ପୋଚ୍‌ କଟକ ଆଠଗଡ ଆସୁଛି। ଆଠଗଡ଼ରେ ରନ୍ଧା ମଦ ତିଆରି କରାଯାଉଛି।

ଖାଲି ସେତିକି ନୁହେଁ ସ୍ପିରିଟ୍ ଓ ରଙ୍ଗ ମିଶାଇ ଭେଜାଲ ମଦ ତିଆରି କରାଯାଉଛି। ବିଶେଷ କରି ଦାମୀ ବ୍ରାଣ୍ଡର ମଦକୁ ଭେଜାଲ କରାଯାଉଛି। ଆଠଗଡ଼ରେ ତିଆରି ଏହି ଭେଜାଲ ମଦ କେନ୍ଦ୍ରପଡ଼ା, କଟକ ସମେତ ଜଗତସିଂହପୁରକୁ ରବର ବ୍ଲାଡରରେ ଯୋଗାଣ କରାଯାଉଛି। ରାତିରେ ମାରୁତି ୮୦୦, ଟ୍ରକ୍, ଆଇଚରରେ ମଦ ଜଗତସିଂହପୁରକୁ ଆସୁଛି। ବଡ଼ କଥା ହେଲା କିଛି ଲାଇସେନ୍ସପ୍ରପ୍ତ ମଦ ବ୍ୟବସାୟୀ ଏହି ମଦକୁ ନିଜ ହେପାଜତରେ ରଖୁଛନ୍ତି। ସ୍କୁଟରରେ ଗାଁଗାଁରେ ପହଞ୍ଚି ଯାଉଛି। ଜଗତସିଂହପୁର କେତେକ କାଉଣ୍ଟରରେ ମଧ୍ୟ ଚୋରା ମଦ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଭେଜାଲ ମଦରେ ଗୋଟେ ନିବ୍ ବୋତଲରେ ଅଧାରୁ ଅଧିକ ଟଙ୍କା ଲାଭ ପାଉଛନ୍ତି ବ୍ୟବସାୟୀ।

ପୁଲିସ ଓ ଅବକାରୀ ବିଭାଗ ଟାଗେର୍ଟ ଅନୁସାରେ ମଦ ବ୍ୟବସାୟୀଙ୍କୁ ଧରୁଛନ୍ତି। କିନ୍ତୁ କିଭଳି ଖସି ଯାଇ ପାରିବ ତାର ବ୍ୟବସ୍ଥା କରାଯାଉଛି। ଦୁଇ ଦିନ ପରେ ବେଲ୍‌ରେ ଯାଇ ପୁଣି ମଦ ବ୍ୟବସାୟ ଆରମ୍ଭ କରାଯାଉଛି। ଜଗତସିଂହପୁର ଏସ୍‌ପିଙ୍କ କାର୍ଯ୍ୟାଳୟର ନାକ ତଳେ ବି ଚୋରା ମଦ କାରବାର ହେଉଛି। ପୁଲିସ ଏଠାରୁ ମାସେ ତଳେ ଦୁଇ ଜଣଙ୍କୁ ବାନ୍ଧିଥିଲା। ହେଲେ ବେଲ୍‌ରେ ଆସି ପୁଣି ମଦ ବ୍ୟବସାୟ କରୁଛନ୍ତି। ଏ ନେଇ ଅବକାରୀ ଇନ୍‌ସପେକ୍ଟର ପ୍ରତାପ ଦାସଙ୍କୁ ପଚାରିବାରୁ ଭେଜାଲ ମଦ ଓ ଚୋରା ମଦ କାରବାର ହେଉ ନ ଥିବା ସଫେଇ ଦେଇଛନ୍ତି। ଅବକାରୀ ଟିମ୍ ପ୍ରତି ମାସରେ ଲାଇସେନ୍ସ ଦୋକାନକୁ ଯାଇ ତନଖି କରୁଥିବା କଥା ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର