ଏରସମା: ‘କାଳିଆ’ ଯୋଜନାରେ ଆବେଦନ ଫର୍ମ ନେବା ବେଳେ ସୋମବାର ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ ଗୋଡ଼ା ପଂଚାୟତ ଠାରେ ଗଣ୍ଡଗୋଳ ଓ ଛୁରାମାଡ଼ ହୋଇଛି। ରିପୋର୍ଟ ଅନୁସାରେ ଆଜି ଅପରାହ୍ନରେ ଏହି ପଂଚାୟତର ବିଶ୍ୱନାଥପୁର ନିବାସୀ ଦିଗାମ୍ବର ଆବେଦନ ଫର୍ମ ନେବା ପାଇଁ ଲାଇନ୍ରେ ଛିଡ଼ା ହୋଇଥିଲେ। ତାଙ୍କ ପଛପଟରେ ମୁରଲିପୁର ଗାଁର ସଚିକାନ୍ତ ବିଶ୍ୱାଳ ଛିଡ଼ା ହୋଇଥିଲେ। ପ୍ରଥମେ ଫର୍ମ ନେବାକୁ କେନ୍ଦ୍ର କରି ଦିଗାମ୍ବର ଓ ସଚିକାନ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ଉଭୟଙ୍କ ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳ ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। ଦିଗାମ୍ବରଙ୍କୁ ଛୁରାମାଡ଼ କରି ସଚିକାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋଡ଼ା ପଂଚାୟତ ଠାରୁ ୩୦ କିଲୋମିଟର ଦୂର ଏରସମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରୁଛି।
କାଳିଆ ଯୋଜନା:
ଆର୍ଥିକ ସହାୟତା ଯୋଗାଇବା ପାଇଁ ‘କାଳିଆ’ ଯୋଜନାର ସରକାରୀ ଘୋଷଣା ହେବା ପରେ ଚାଷୀମାନେ ଉତ୍ସାହିତ ଦେଖାଯାଇଛନ୍ତି। ଏହି ଯୋଜନାରୁ ଲାଭ ଉଠାଇବା ପାଇଁ ଚାଷୀମାନେ ଏବେ ଆବେଦନ କରୁଛନ୍ତି। ଗ୍ରାମାଞ୍ଚଳରେ ‘କାଳିଆ’ ଯୋଜନାରେ ରାଜ୍ୟ ସରକାର ପଂଚାୟତ କାର୍ଯ୍ୟାଳୟ ମାଧ୍ୟମରେ ଚାଷୀମାନଙ୍କ ପାଇଁ ଫର୍ମ ଉପଲବ୍ଧ କରାଉଛନ୍ତି। ଆବେଦନ କରିବାର ଅନ୍ତିମ ତାରିଖ ଆଉ ୩ ଦିନ ବାକିଥିବା ବେଳେ ଏହି ଫର୍ମ ନେବା ପାଇଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ, ହିଂସା ଆଦି ଗତିବିଧି ଦେଖିବାକୁ ମିଳୁଛି।