ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ଡାକବଙ୍ଗଳାରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ତେବେ, ଏହି ପାଣି ପଞ୍ଚାୟତ ପକ୍ଷ ପାଳନ ପ୍ରହସନ ପାଲଟିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପକ୍ଷ ପାଳନ କରାଯାଉଛି ସିନା ଚାଷୀମାନେ ଅଭିଯୋଗ ପୂର୍ବରୁ କରିଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକାରୀ ହେଉନାହିଁ ବୋଲି ଦର୍ଶାଇ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଉପରେ ବର୍ଷିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ୧୫୦ରୁ ଅଧିକ ପାଣି ପଞ୍ଚାୟତର ସଭାପତି ସମ୍ପାଦକ ଓ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାଳନ୍ଦୀ ବସ୍ତିଆ, ନିକୁଞ୍ଜ କୁମାର ଶତପଥି, ସୁର ପାଣି, ବାବୁଲି ସାହୁ, ଦେବେନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ୨୦୧୨ ମସିହାରେ ଏହାକୁ ଏନ୍ଜିଓ ସଂସ୍ଥାକୁ ଦିଆଯାଇ ହରିଲୁଟ୍ ହୋଇଥିବା ଚାଷୀମାନେ ଅଭିଯୋଗ କରିଥିଲେ। ବିଭାଗ ତରଫରୁ ପଞ୍ଚାୟତରେ ଥିବା ଏଲଆଇ ପଏଣ୍ଟଗୁଡ଼ିକ ଅଚଳ ହୋଇ ପଡ଼ିଥିଲେ ମଧ୍ୟ ସେଥିପ୍ରତି କାହାରି ନଜର ପଡୁନଥିବା କହିଥିଲେ। ଏହା ସହିତ କେନାଲରୁ ଯାଉଥିବା ପାଣି ଶାଖା କେନାଲରେ ଅଟକି ରହିବା ଯୋଗୁଁ ଚାଷ କାର୍ଯ୍ୟରେ ବାଧା ଉପୁଜୁଛି। ବିଭାଗୀୟ କର୍ତ୍ତୃପକ୍ଷ ଠିକ୍ ସମୟରେ ନାଳ ସଫା ନ କରିବା ଓ ମୁଖ୍ୟ କେନାଲରେ ପାଣି ନ ଛାଡ଼ିବା ଯୋଗୁଁ ଚାଷ କାର୍ଯ୍ୟରେ ବାଧା ଉପୁଜୁଛି। ଚାଷୀଙ୍କ ଅଗୋଚରରେ ବିଭାଗୀୟ କର୍ମକର୍ତ୍ତା ଠିକାଦାରଙ୍କ ସହିତ ମିଶି ପାଣି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଲୁଟୁଥିବା ଅଭିଯୋଗ ହୋଇଥିଲା। କାଡ଼ା ବିଭାଗ ଦ୍ୱାରା କାଡ଼ା କେନାଲ ନିର୍ମାଣରେ ସୋଠ ସଦସ୍ୟଙ୍କ ଅଗୋଚରରେ ନିମ୍ମମାନର କାର୍ଯ୍ୟ କରାଯାଇ ଅର୍ଥ ହରିଲୁଟ୍ କରିବା, ଚାଷୀଙ୍କ ବଦଳରେ ଠିକାଦାରଙ୍କ ଜରିଆରେ କେନାଲ ସଫେଇ କରାଯିବା ଓ ଏନ୍ଜିଓ ମାଧ୍ୟମରେ ଚାଷୀଙ୍କ ଟଙ୍କାକୁ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି। ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଥିବା ନେଇ ଏହି ସଭାରେ ଚାଷୀମାନେ ବିଭାଗୀୟ ଅଧିକାରୀନଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ଜଳସେଚନ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଲୋକସଭା ସାଂସଦ ଡା. କୁଳମଣି ସାମଲ, ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଯୁବ ସଂଗଠକ ଅମର ଜ୍ୟୋତି ସାହୁ ମଞ୍ଚ ସଂଞ୍ଚାଳନ କରିଥିଲେ। ଏଥିରେ ଜଗତସିଂହପୁର ଜିଲ୍ଲାର ପାଣି ପଞ୍ଚାୟତର ସମସ୍ତ କର୍ମକର୍ତ୍ତା, ପ୍ରତିନିଧି, କୃଷି, ପ୍ରାଣୀ ସମ୍ପଦ, ଶସ୍ୟ ସଂରକ୍ଷଣ ଓ ମତ୍ସ୍ୟ ସମ୍ପଦ ବିଭାଗର ଅଧିକାରୀଙ୍କ ସମେତ ଲାଇନ୍ ଡିପାର୍ଟମେଣ୍ଟ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଶେଷରେ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଉମାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରହସନ ପାଲଟିଛି ପାଣି ପଞ୍ଚାୟତ ପକ୍ଷ ପାଳନ:ଚାଷୀଙ୍କ ଅଭିଯୋଗ
/sambad/media/post_attachments/wp-content/uploads/2018/01/committee-meating-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)