ଜଗତସିଂହପୁର: ଜଗତସିଂହପୁର ବିଡିଓଙ୍କ ବିରୋଧରେ ବିଜେପି କର୍ମୀ ଏତଲା ଦେଇଛନ୍ତି। ଜଗତସିଂହପୁର ବ୍ଲକ କାର୍ଯ୍ୟାଳୟରେ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ଆବଣ୍ଟନ କାର୍ଯ୍ୟକ୍ରମରେ ସାଂସଦଙ୍କୁ କାହିଁକି ଡକା ଯାଇ ନ ଥିଲା ବୋଲି ସେମାନଙ୍କ ପ୍ରତିନିଧି ଓ ବିଜେପି କର୍ମୀମାନେ ବିଡିଓ ଆଶୁତୋଷ ମିଶ୍ରଙ୍କୁ ପଚାରିବାରୁ ସେ ଉତକ୍ଷିପ୍ତ ହୋଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ବିଡିଓଙ୍କ ଭଡ଼ାଟିଆ ଗୁଣ୍ଡାମାନେ ଜୀବନରୁ ମାରିଦେବାକୁ ଧମକଚମକ ଦେବା ସହ କେତେକ ଠେଲି ଠେଲି ବାହାରକୁ ବିଦା କରି ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟରେ ବିଡିଓଙ୍କ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି।

Advertisment

ସାଂସଦଙ୍କ ପ୍ରତିନିଧି ତଥା ବିଜେପି କର୍ମୀ ଶିଶିର ପାତ୍ର ଏନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୮୧୩/୨୫ ଏବଂ ଭାରତୀୟ ନ୍ୟାୟ ସଂହିତା ଆଇନର ଧାରା- ୧୧୫(୨), ୨୯୬, ୩(୫), ୩୫୧(୩)ରେ ମାମଲା ରୁଜୁ କରିଛି। ଶିଶିର ପାତ୍ର ଅଭିଯୋଗରେ ଦର୍ଶାଇଛନ୍ତି ସେ ମଣ୍ଡଳ ସଭାପତି ପବିତ୍ର ଜେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁମିତ୍ରା ଜେନା, ମଣ୍ଡଳ ପ୍ରଭାରି ନିହାର ରଞ୍ଜନ ପତି, ଯୁବ ମୋର୍ଚ୍ଚା ସଭାପତି ନିହାର ରଞ୍ଜନ ମହାପାତ୍ର, ମଣ୍ଡଳ ସମ୍ପାଦକ ରମେଶ ରାୟ, ସାଧାରଣ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ମଣ୍ଡଳ ସଭାପତି ବିଜୟ କୁମାର ସ୍ବାଇଁ, କୃଷକ ମୋର୍ଚ୍ଚାର ବିଜୟ କୁମାର ମହାନ୍ତି, ତ୍ରିଲୋଚନ ମଲ୍ଲିକ, ବିଜେପି କାର୍ଯ୍ୟକର୍ତ୍ତାମାନେ ବିଡିଓଙ୍କ ପାଖକୁ ଯାଇଥିଲେ। ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ଆବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ, ସରପଞ୍ଚ, ପଞ୍ଚାୟତ ପ୍ରତିନିଧି ଓ ଅନ୍ୟ କେତେକଙ୍କୁ ଡକା ଯାଇଥିଲେ ମଧ୍ୟ ସାଂସଦଙ୍କୁ କାହିଁକି ଡକାଯାଇ ନ ଥିଲା ସେ ନେଇ ପଚାରିଥିଲେ। ଏହାପରେ ବିଡିଓ ଆଶୁତୋଷ ମିଶ୍ରୀ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ସେହିପରି ଭଡ଼ାଟିଆ ଗୁଣ୍ଡାମାନେ ତଣ୍ଟିଆ ମାରି ବାହାରକୁ ବାହର କରି ଦେଇଥିଲେ।

ଅନ୍ୟପକ୍ଷରେ ବିଡିଓ ଆଶୁତୋଷ ମିଶ୍ର ଶିଶିର ପାତ୍ର ଓ ଅନ୍ୟମାନଙ୍କ ନାଁରେ ପାଲଟା ଏତଲା ଦେଇଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି ଭିସି ରୁମରେ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବସି ଆଲୋଚନା କରୁଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଶିଶିର ପାତ୍ର ଓ ତାଙ୍କ ସହଯୋଗୀମାନେ ଭିତରକୁ ପଶିବା ସହ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିଥିଲେ। ଜୀବନରୁ ମାରି ଦେବାକୁ ଧମକଚମକ ଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ, ଯାହାକି ମାନ, ପ୍ରତିଷ୍ଠାକୁ ହାନି କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ସେହିପରି ପ୍ରତିନିଧିମାନଙ୍କ ସହ ଆଲୋଚନା ଚାଲିଥିବା ବେଳେ ଶିଶିର ପାତ୍ର ଓ ଅନ୍ୟମାନେ ଡ୍ୟୁଟିରେ ବାଧା ଦେଇଥିଲେ। ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଅଭିଯୋଗରେ ଦର୍ଶାଇଛନ୍ତି। ବିଡିଓଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନଂ-୮୧୪/୨୫ ଏବଂ ଭାରତୀୟ ନ୍ୟାୟ ସଂହିତା ଆଇନର ଧାରା- ୨୯୬, ୩୫୬(୨), ୩୫୧(୨), ୨୨୧, ୧୩୨, ୩(୫)ରେ ମାମଲା ରୁଜୁ କରିଛି। ଦୁଇଟି ଯାକ ଘଟଣାର ତଦନ୍ତ ଚଳାଇଛି ପୁଲିସ।

Jagatsinghpur

ରିପୋର୍ଟ: ଶୁଭକାନ୍ତ ପଢ଼ିଆରୀ