ଗୁଳିମାଡ଼: ଅନୁଗୁଳରେ ଗୁରୁତର ଭାବେ ବ୍ୟବସାୟୀଙ୍କୁ ମେଡିକାଲରେ ଭର୍ତ୍ତି, ଏରସମାରେ ଫାଙ୍କା ଗୁଳି ଚଳାଇଲେ ଦୁର୍ବୃତ୍ତ

ଅନୁଗୁଳ/ଜଗତସିଂହପୁର: ପୁଲିସର ଦୁର୍ବଳତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଶୁକ୍ରବାର ୨ଟି ସ୍ଥାନରେ ଗୁଳିମାଡ଼ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଦାଦାବଟିକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଅନୁଗୁଳ ଫାୟାର ଷ୍ଟେସନ ନିକଟ ଜାତୀୟ ରାଜପଥ ୫୫ ନମ୍ବର ଉପରେ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି। ଏହି ଘଟଣାରେ ବ୍ୟବସାୟୀ ଉପେନ୍ଦ୍ର ସାହୁ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ କିଛି କ୍ଷଣ ପରେ ହିଁ ପହଞ୍ଚି ଥିଲା। ପୁଲିସ କହିଛି ଦାଦାବଟି ଅଥବା ଅନ୍ୟ କୌଣସି ଆର୍ଥିକ କାରବାରକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଏକ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ଉପେନ୍ଦ୍ରଙ୍କ ଉପରକୁ ଲକ୍ଷ୍ୟ କରି ୨ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଉପେନ୍ଦ୍ରଙ୍କ ଶରୀରରେ ଗୋଟିଏ ଗୁଳି ବାଜିଛି। କେଉଁମାନେ ଏହି କାଣ୍ଡ କରିଛନ୍ତି, ସେମାନଙ୍କୁ ଚିହ୍ନି ନାହାନ୍ତି ବୋଲି ସେ ପୁଲିସକୁ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ଅନ୍ୟ ଏକ ଗୁଳିମାଡ଼ ଘଟଣା ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅଞ୍ଚଳରେ ଘଟିଛି। ଦାଦାବଟିକୁ କେନ୍ଦ୍ରକରି ଶିଆଳୀ ଛକ ନିକଟରେ ଥିବା ଅଶୋକ ମଣ୍ଡଳଙ୍କ ମାଛଗଦିରେ ଏହି ଫାଙ୍କା ଗୁଳି ଚାଳନା ହୋଇଛି। ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସି ଫାଙ୍କା ଗୁଳି ଚଳାଇଥିଲେ। ଭାଗ୍ୟ ବଶତଃ ଅଶୋକ ସେଠାରେ ନଥିଲେ। ଆଲୋଚନା ହେଉଛି ଯେ, ଦୁର୍ବୃତ୍ତମାନେ ପୂର୍ବରୁ ଅଶୋକଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ।

ସମ୍ବନ୍ଧିତ ଖବର