ଜଗତସିଂହପୁର: ପୂର୍ବ ଶତ୍ରୁତାକୁ ନେଇ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଯୋର ନିକଟରେ ଶନିବାର ସନ୍ଧ୍ୟାରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ରବୀନ୍ଦ୍ର ନାଥ ବେଉରାଙ୍କ ପୁଅ ବିଶ୍ୱଜିତ ବେଉରା ଓରଫ ଲିପୁନ ଯୋର ନିକଟରେ ବସିଥିବା ବେଳ ୪ଟି ବାଇକରେ ଦୁର୍ବୃତ୍ତମାନେ ଆସି ଗୁଳି କରଥିଲେ। ସେମାନେ ବିଶ୍ୱଜିତ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ବିଶ୍ୱଜିତର ଦୁଇ ଗୋଡ ଓ ହାତରେ ଗୁଳି ବାଜିଛି। ଏତିକିରେ ମନ ଶାନ୍ତି ନ ହେବାରୁ ଦୁର୍ବୃତ୍ତମାନେ ବିଶ୍ୱଜିତର ମୁଣ୍ଡକୁ ଧାରୁଆ ଅସ୍ତ୍ର ଓ ବନ୍ଧୁକ ସାହାଯ୍ୟରେ ଛେଚିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱଜିତର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରିବା ସହିତ ଆତଙ୍କ ସୃଷ୍ଟି କରିଥିଲେ। ସୂଚନା ପାଇ ଜଗତସିଂହପୁର ଏସଡିପିଓ ସୁଯୋଗ୍ୟ ମିଶ୍ର, ଆଇଆଇସି ରଜନୀକାନ୍ତ ମିଶ୍ର ଓ ତିର୍ତ୍ତୋଲ ଥାନା ଅଧିକାରୀ ବଳରାମ ନାଏକ ପୁଲିସ ଟିମ ସହିତ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ପରେ ଗୁରୁତର ବିଶ୍ୱଜିତଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ବିଶ୍ୱଜିତର ଅବସ୍ଥା ସଙ୍କଟାପନ୍ନ ରହିଛି।
ରବୀନ୍ଦ୍ରଙ୍କ ଅଭିଯୋଗ ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଓ ହତ୍ୟା ପାଇଁ ଆକ୍ରମଣ ହୋଇଛି। ଗତ ୬ ମାସ ତଳେ କଟରା ମଦ ଦୋକାନ ପୋଡାରେ ବିଶ୍ୱଜିତ ସଂପୃକ୍ତ ଥିବା ସନ୍ଦେହ କରି ଦୁର୍ବୃତ୍ତମାନେ ଆଜି ଆକ୍ରମଣ କରିଥାଇ ପାରନ୍ତି ବୋଲି ସନ୍ଦେହ ହୋଇଛି।
ମଦ ଦୋକାନ ନିକଟରେ ଜଣେ ଲୋକ ମଦ ପିଇ ଜଣେ ସ୍ତ୍ରୀଲୋକଙ୍କ ଉପରେ ବାଇକ ଚଢ଼ାଇ ଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସେମାନେ ମଦ ଦେକାନକୁ ଭାଙ୍ଗିବା ସହିତ ଦୋକାନରେ ନିଅାଁ ଲଗାଇ ଦେଇଥିଲେ।