ଜଗତସିଂହପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼, ଅଟୋ ଚାଳକ ଆହତ

ଜଗତସିଂହପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଛପଡ଼ା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣାର ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ। ସୂଚନା ଅନୁସାରେ ରଘୁନାଥପୁର ଗାଁର ଅଟୋଚାଳକ ସମୀର ଦାସ ଗୁଳିକାଣ୍ଡର ଶିକାର ହୋଇଛନ୍ତି। ସମୀର ଆଜି ସନ୍ଧ୍ୟାରେ ଜଗତସିଂହପୁର ଠାରୁ ନିଜ ଗାଁ ରଘୁନାଥପୁରକୁ ଫେରୁଥିଲେ। ଏହି ସମୟରେ ସେ ଛପଡ଼ା ନିକଟରେ ଗୁଳିର ଶିକାର ହୋଇଥିଲେ। ଆହତ ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ତିର୍ତ୍ତୋଳ ଅଞ୍ଚଳରେ ଆଜି ସକାଳୁ ଅନ୍ୟ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ପାରାଦୀପ ଇଫକୋ ଛକରେ ଶୁକ୍ରବାର ଅପରାହ୍ନରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ କରି ଦୁର୍ବୃତ୍ତ ୭ଲକ୍ଷ ଟଙ୍କା ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଗୁଳିକାଣ୍ଡରେ ତିର୍ତ୍ତୋଲ ଥାନା ପରୁଡି ଗ୍ରାମର ସଞ୍ଜୟ ଦାଶ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କର ଡାହାଣ ଗୋଡରେ ଗୁଳି ବାଜିଥିବାରୁ ସେ ଆହତ ହୋଇ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ଗୁଳିକାଣ୍ଡରେ ଆହତ ହୋଇଥିବା ସଞ୍ଜୟ ଦାଶ ଦୀର୍ଘଦିନ ହେବ ଏଟିଏମ୍‌ରେ ଟଙ୍କା ଭର୍ତ୍ତୀ କରାଇବା ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଆଜି ସେ ଇଫକୋ ଛକସ୍ଥିତ ସାହୁ କପ୍ଲେକ୍ସର ମୁଥଡ ଫାଇନାସ୍‌କୁ ଯାଉଥିବା ବେଳେ ପ୍ରଥମେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ପଛପଟୁ କାବୁ କରି ଟଙ୍କା ଭର୍ତ୍ତୀ ବ୍ୟାଗକୁ ଛଡାଇବାକୁ ଚେଷ୍ଟା କରିଥିଲେ। ଗୁଳି କରି ତାଙ୍କଠାରୁ ବ୍ୟାଗ ଲୁଟି ନେଇଥିଲେ। ସଞ୍ଚୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାରଦୀପ ପୋର୍ଟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର