ଜଗତସିଂହପୁର: ଭୀଷଣରୁ ଅତି ଭୀଷଣ ରୂପ ଧାରଣ କରି ସମ୍ପୂର୍ଣ୍ଣ ଜିଲ୍ଲାକୁ ଛାରଖାର କରି ଦେଇଛି ସାମୁଦ୍ରିକ ବାତ୍ୟା 'ଫନି'। ଇତି ମଧ୍ୟରେ ‘ଫନି’ ବାତ୍ୟା ଓଡ଼ିଶା ଛାଡ଼ି ଚାଲି ଯାଇଥିଲେ ବି ସମଗ୍ର ଜଗତସିଂହପୁର ଜିଲ୍ଲାରେ ନିଜ ପ୍ରଭାବ ଛାଡ଼ି ଯାଇଛି। ଏହି ସାମୁଦ୍ରିକ ବାତ୍ୟା ପ୍ରଭାବରେ ଜିଲ୍ଲାର ୮ଟି ବ୍ଲକ୍ ଓ ଦୁଇଟି ପୌରାଞ୍ଚଳ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ‘ଫନି’ର ସଫଳ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ବାତ୍ୟା ପୂର୍ବରୁ ବହୁ ପଦକ୍ଷେପ ନେଇଥିଲା। ହେଲେ, ବାତ୍ୟା ଯିବା ପରେ ଏବେ ଚାରିଆେଡ଼ ଅସନ୍ତୋଷ ଦେଖା ଦେଇଛି।
ବାତ୍ୟା ଯିବା ପରେ ସମଗ୍ର ଜିଲ୍ଲାରେ ପରିବା ଦର ଆକାଶଛୁଆଁ ହୋଇଛି। ଏମିତିକି ଅତ୍ୟାବଶ୍ୟକ ଆଳୁ ଓ ପିଆଜ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଆଳୁ କିଲୋ ପିଛା ୨୫ ଟଙ୍କା ଓ ପିଆଜ କିଲୋ ୩୦ ଟଙ୍କା ଡେଇଁଲାଣି। ସେପଟେ ଟମାଟର କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଝୁଡ଼ଙ୍ଗ, ଭେଣ୍ତି, ପୋଟଳ ଦର ଆକାଶଛୁଆଁ। ଅନ୍ୟ ଉପାୟ ନ ପାଇ ଲୋକେ ଚଢ଼ା ଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି। ଗ୍ରାହକମାନେ ଏ ନେଇ ଆପତ୍ତି କରିବାରେ ଉତ୍ତର ମିଳୁଛି, ମହାଜନ ସହ ଫୋନରେ ଯୋଗାଯୋଗ ହୋଇପାରୁ ନଥିବାରୁ, ପରିବା ଆସିପାରୁ ନାହିଁ। ସେହି କାରଣରୁ ଏମିତି ଚଢ଼ା ଦରରେ ସବୁ ପରିବା ବିକ୍ରି ହେଉଛି ବୋଲି ବ୍ୟବସାୟୀମାନେ କହୁଛନ୍ତି। ଏହା ଉପରେ ପ୍ରଶାସନ ବର୍ତ୍ତମାନଠାରୁ ଦୃଷ୍ଟି ନ ଦେଲେ ଅବସ୍ଥା ଅଧିକ ସଙ୍ଗୀନ ହେବ ବୋଲି ଚର୍ଚା ହେଲାଣି। ସେହିପରି, ଗତ ତିନିଦିନ ହେଲା ସମଗ୍ର ଜିଲ୍ଲା ଅନ୍ଧାରରେ ରହିଛି। କେବଳ ପାରାଦୀପ ଶିଳ୍ପାଞ୍ଚଳର ଅଳ୍ପ କେତେକ ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ସବୁ ଅଞ୍ଚଳ ଅନ୍ଧାରରେ ଖେଳି ଯାଇଛି। ନାଉଗାଁ, ଏରସମା ଓ ବାଲିକୁଦାରେ କେବଳ ବିଜୁଳି ସେବା ଫେରିବ, ସେ ସମ୍ପର୍କରେ କାହା ପାଖରେ କିଛି ଖବର ନାହିଁ। ବିଜୁଳି ସେବା ବନ୍ଦ ରହୁଥିବାରୁ ଜନସାଧାରଣ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। କେତେକ ଅଞ୍ଚଳରେ ନେଟୱାର୍କ୍ ନଥିବାରୁ ମୋବାଇଲ୍ ମଧ୍ୟ କାମ କରୁନାହିଁ। 'ଫନି' ବିଶେଷ କିଛି କ୍ଷତି କରି ନାହିଁ ବୋଲି ଆଲୋଚନା ହେଉଛଇ ସିନା, ପ୍ରକୃତରେ ଏହା ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ତ ଭାଙ୍ଗି ଦେଇଛି।
ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ଏକାଧିକ ସାମୁଦ୍ରିକ ଝଡ଼ ଯୋଗୁଁ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେଉଛି। ମାତ୍ର ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ସଜାଡ଼ିବା ପ୍ରତି ଜିଲ୍ଲା ପ୍ରଶାସନ ବିଶେଷ ଭାବେ ଦୃଷ୍ଟି ଦେଉନାହାନ୍ତି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ, ସାମୁଦ୍ରିକ ବାତ୍ୟା ‘ଫନି’ ଆସିବାର ପୂର୍ବରାତି ସୁଦ୍ଧା ୯୨,୩୨୬ ଜଣଙ୍କୁ ଆଶ୍ରୟସ୍ଥଳକୁ ଅଣାଯାଇଥିଲା। ତେବେ, ଅନେକ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକ ଠିକ୍ ନଥିବା ଦେଖା ଯାଇଥିଲା। ଅନେକ ସ୍ଥାନରେ ଆଶ୍ରୟସ୍ଥଳ ଏବେ ବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ୩୯୬ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ୭୬,୩୩୧ ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ଯେଉଁମାନଙ୍କ ନିକଟରେ ରନ୍ଧାଖାଦ୍ୟ ପହଞ୍ଚି ପାରି ନଥିଲା, ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏମିତିକି ବହୁ ସ୍ଥାନରେ ଶୁଖିଲା ଖାଦ୍ୟ ମଧ୍ୟ ପହଞ୍ଚି ପାରି ନାହିଁ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
'ଫନି' ମୁକାବିଲା ପ୍ରଶ୍ନ ଘେରରେ:ତିନି ଦିନ ହେଲା ଅନ୍ଧାରରେ ଜଗତସିଂହପୁର
O ପରିବା ଦର ଆକାଶଛୁଆଁ Oବାତ୍ୟା ଆଶ୍ରୟସ୍ଥଳରେ ଅସନ୍ତୋଷ
/sambad/media/post_attachments/wp-content/uploads/2019/05/veg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)