ଟିଟୋ ଲିଙ୍କ୍‌; ପୁଣି ଦୁଇଜଣଙ୍କୁ ଉଠାଇଲା ଏସ୍‌ଟିଏଫ୍‌

ଜଗତସିଂହପୁର : ପାରାଦୀପରେ ଟିଟୋ ଲିଙ୍କ୍‌କୁ ନେଇ ଗତକାଲି ଯୁବ ବ୍ୟବସାୟୀ ତଥା ନିରାକାର ଡମ୍ଫର୍‌ ମାଲିକ ସଂଘ ସଭାପତି ବାପୁ ପରିଡ଼ାଙ୍କୁ ଗିରଫ କରାଯାଇଥିବା ଆଜି ପୁଣି ଏସ୍‌ଟିଏଫ୍‌ ଦୁଇଜଣଙ୍କୁ ଉଠାଇ ନେଇଛି। ସେମାନେ ହେଲେ ଦୀପକ ସ୍ୱାଇଁ ଓରଫ ଚଗଲା ଏବଂ ଆଲୋକ ମଲ୍ଲିକ। ଦୀପକର ଟିଟୋ ସହିତ ସିଧାସଳଖ ସମ୍ପର୍କ ଥିବା ଜଣାପଡ଼ିଛି। ଗୋଆରେ କିଛିଦିନ ପୂର୍ବେ ଟିଟୋ କରିଥିବା ବୈଠକରେ ପାରାଦୀପର ଜଣେ ଶ୍ରମିକ ନେତାଙ୍କ ସହ ଦୀପକ ସେଠାରେ ଉପସ୍ଥିତ ଥିଲା। ଟିଟୋର ଗୋଆ ଲିଙ୍କ୍‌କୁ ଖୋଳତାଡ଼ କରି ଏସ୍‌ଟିଏଫ୍‌ ଦୀପକକୁ ଉଠାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି। ସ୍ଥାନୀୟ ବାଲିଝରା ଅଞ୍ଚଳର ଆଲୋକ ମଧ୍ୟ ପାରାଦୀପରେ ଟିଟୋ ସାମ୍ରାଜ୍ୟର ପ୍ରତିନିଧି ଭାବେ ଦେଖାଶୁଣା କରୁଥିବା ପ୍ରମାଣ ମିଳିଛି। ବର୍ତ୍ତମାନ ସୁଦ୍ଧା ଏମାନଙ୍କୁ ଗିରଫ କରାଯାଇଥିବା ନେଇ ଏସ୍‌ଟିଏଫ୍‌ ସ୍ପଷ୍ଟ କରିନଥିଲେ ବି ଦୁହେଁ ଟିଟୋ ଲିଙ୍କ୍‌ରେ ଥିବାର ଏସ୍‌ଟିଏଫ୍‌କୁ ବଳିଷ୍ଠ ପ୍ରମାଣ ମିଳିଛି। ପାରାଦୀପରୁ ଜଣକ ପରେ ଜଣେ ଟିଟୋ ସହଯୋଗୀ ଗିରଫ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। ଏକାଧିକ ଯୁବ ବ୍ୟବସାୟୀ ଟିଟୋ ଲିଙ୍କ୍‌ରେ ଥିବା ପ୍ରମାଣିତ ହେଉଥିବାରୁ ଏସ୍‌ଟିଏଫ୍‌ର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର