ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ପୀଡ଼ିତା, ପରିବାର

Advertisment

ବାଲିକୁଦା : ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ଜଣେ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏମିତିକି ପୀଡ଼ିତା ଓ ପରିବାର ଲୋକେ ନ୍ୟାୟ ପାଇଁ ଆଜି ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ମାତ୍ର ଗ୍ରାମବାସୀ ସେଠାରେ ପହଞ୍ଚ ଗେଟ୍‌ରେ କାହିଁକି ତାଲା ପକାଇଛ ବୋଲି ପଚାରିବାରୁ ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୀଡ଼ିତା ଓ ତାଙ୍କ ପରିବାର ଲୋକେ ବାଲିଚନ୍ଦ୍ରପୁର ଥାନାକୁ ଯାଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଏତଲା ଦେଇଛନ୍ତି।

ସୂଚନାନୁସାରେ ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନସ୍ଥ ବରପଦା ନୋଡାଲ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଲିଲି (ଛଦ୍ମନାମ)କୁ ଉକ୍ତ ବିଦ୍ୟାଳୟ ସହକାରୀ ଶିକ୍ଷକ ସଂଜୟ କୁମାର ତ୍ରିପାଠୀ ଶ୍ରେଣୀ ଗୃହରେ ଶନିବାର ଅସଦାଚରଣ କରିଥିଲେ। ପୀଡ଼ିତାଙ୍କ କହିବାନୁସାରେ ଗତ ୨୭ତାରିଖ ଶନିବାର ଚାବି ଆଣିବାପାଇଁ ସେ ଶ୍ରେଣୀ ଗୃହକୁ ଯାଇଥିବା ବେଳେ ସଂପୃକ୍ତ ସହକାରୀ ଶିକ୍ଷକଙ୍କ ତାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିଲେ। ଘଟଣା ପରେ ଏକଥା କାହାକୁ ନ କହିବା ପାଇଁ ଛାତ୍ରୀଙ୍କୁ ଧମକ ଦେଇଥିବା ପୀଡ଼ିତା ପ୍ରକାଶ କରିଛନ୍ତି।

ପରେ ଛାତ୍ରୀ ଜଣଙ୍କ କାନ୍ଦି କାନ୍ଦି ଘରେ ତାଙ୍କ ମା’ଙ୍କୁ ସବୁକଥା କହିଥିଲେ ଓ ଶନିବାର ଥିବାରୁ ବିଦ୍ୟାଳୟ ଛୁଟି ହୋଇ ଯାଇଥିଲା। ସୋମବାର ଦିନ ପୀଡ଼ିତାଙ୍କ ବାପା ବିଦ୍ୟାଳୟକୁ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏ ବିଷୟରେ ଅବଗତ କରିଥିଲେ ମଧ୍ୟ ସେ କିଛି ବୁଝି ନଥିଲେ। ପରିଚାଳନା କମିଟି ନିକଟରେ ମଧ୍ୟ ଏନେଇ ଅଭିଯୋଗ କରିଥିଲେ। ମାତ୍ର କିଛି ଫଳ ମିଳି ନଥିବାରୁ ପୀଡ଼ିତା ଓ ତାଙ୍କ ପରିବାର ବାଧ୍ୟ ହୋଇ ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇ ଅନଶନରେ ବସି ନ୍ୟାୟଭିକ୍ଷା କରିଥିଲେ। ପୀଡ଼ିତା ଓ ପରିବାର ସଦସ୍ୟ ଅନଶନରେ ଥିବା ବେଳେ ଶିକ୍ଷକଙ୍କୁ ସମର୍ଥନ କରୁଥିବା ଗ୍ରାମର କିଛି ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଏମିତିକି ପୀଡ଼ିତା ଓ ତାଙ୍କ ପରିବାରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।

ଅନ୍ୟପଟେ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ପକ୍ଷରୁ ବିନା ଅନୁମତିରେ ବିଦ୍ୟାଳୟରେ ତାଲା ପକାଇ ଛୋଟ ଛୋଟ ପିଲାଙ୍କୁ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଯିବା ଆସିବା ମନା କରିଥିବା ନେଇ ପୃଥକ ପୃଥକ ମାମଲା ମଧ୍ୟ ରୁଜୁ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଭିତ୍ତିରେ ବାଲିଚନ୍ଦ୍ରପୁର ଥାନା ପକ୍ଷରୁ କେସ୍‌ ନଂ ୧୪/୧୮ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି। ଅସଦାଚରଣର ଶିକାର ହୋଇଥିବା ନାବାଳିକା ଛାତ୍ରୀକୁ ନ୍ୟାୟ ପ୍ରଦାନ ସହ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ପୀଡ଼ିତା ଓ ପରିବାର।