ଗ୍ରାଉଣ୍ତ ଜିରୋ: ମଇଳା ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍‌ ପାଇଁ ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ

ଜଗତସିଂହପୁର ଟାଉନ୍: ପରିବେଶ ପ୍ରଦୂଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂତନ ଜ୍ଞାନ କୌଶଳ ସାହାଯ୍ୟରେ ସରକାର ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ଉଦ୍ୟମ କରୁଛନ୍ତି। ସହରାଞ୍ଚଳର ମଇଳା ଓ ବର୍ଜ୍ୟବସ୍ତୁ ଟ୍ରିଟ୍‌‌ମେଣ୍ଟ୍‌ ପ୍ଲାଣ୍ଟ୍‌  କରାଯାଇ ପ୍ରଦୂଷଣର ମାତ୍ରାକୁ କମ୍ କରାଯିବାକୁ ପଦକ୍ଷେପ ନିଆଯାଉଛି। କିନ୍ତୁ ବିକାଶ ପଥେ ଆଗଉଥିବା ଜଗତସିଂହପୁର ପୌରାଞ୍ଚଳରେ ଏକ ମଇଳା ଟ୍ରିଟ୍‌‌ମେଣ୍ଟ୍‌ ପ୍ଲାଣ୍ଟ୍‌କୁ ଆରମ୍ଭରୁ ବିରୋଧ କରାଯିବା ଘଟଣା ଏବେ ନୂଆ ବିବାଦ ଠିଆ କରାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା ପାଇଁ ସ୍ବପ୍ନ ଦେଖାଇଥିବା ବେଳେ ଜଗତସିଂହପୁରରେ ଏହା ଫେଲ୍ ମାରିବ ଆଶଙ୍କା ନେଇ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି।

ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟରେ ଘନଜନବସତି ଠାରୁ ଦୂରରେ ଏହି ପ୍ଲାଣ୍ଟ୍‌ ନିର୍ମାଣ ବେଳେ ଆରମ୍ଭ ହୋଇଛି ବିରୋଧ। ପ୍ରକଳ୍ପ ପାଇଁ ନିର୍ମିତ ଅସ୍ଥାୟୀ କାର୍ଯ୍ୟାଳୟକୁ ଗତ ୧୬ ତାରିଖରେ କେତେକ ଲୋକ ବିରୋଧ କରି ଭାଙ୍ଗିରୁଜି ଦେଇଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ ପୁଲିସ୍‌ କାହାକୁ ଗିରଫ କରିନାହିଁ। ଏଣେ ଜିଲ୍ଲା ପ୍ରଶାସନ ମଧ୍ୟ ସ୍ପଷ୍ଟ କରିଛି କୌଣସି ହାଲତରେ ପ୍ରକଳ୍ପ ସେଠାରୁ ହଟିବ ନାହିଁ। ଭୁବନେଶ୍ବର ଭଳି ସହରର ଘନଜନବସତି ସ୍ଥାନରେ ଏପରି ଏକାଧିକ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ନିର୍ମାଣ ଦ୍ବାରା ଲୋକଙ୍କର କୌଣସି କ୍ଷତି ହୋଇ ନାହିଁ। ଏମିତିକି ବର୍ଜ୍ୟବସ୍ତୁ ସୁପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶରେ ସଫଳତା ହାସଲ କରିଥିବା ଏକମାତ୍ର ରାଜ୍ୟ ଭାବେ ଗଣାଯାଉଛି। ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ମଧ୍ୟ ପ୍ରଶଂସା କରିଛି। ଏଭଳି ସ୍ଥିତିରେ ଜଗତସିଂହପୁରରେ କାହିଁକି ଏହାକୁ ବିରୋଧ କରାଯାଉଛି ଓ କିଏ ଏହାକୁ କରୁଛି ବିରୋଧ ? ଏ ବିଷୟରେ ଜାଣିବା ପାଇଁ ଆଜି ଗ୍ରାଉଣ୍ଡ୍‌ ଜିରୋରୁ ପ୍ରସ୍ତୁତ ସୋମନାଥ ପରିଡ଼ାଙ୍କ ରିପୋର୍ଟ-

Sambad

ଜଗତସିଂହପୁର ପୌରାଞ୍ଚଳର ୱାର୍ଡ ନମ୍ବର ୧ କଣ୍ଟାବଲ୍ଲଭପୁରରେ ନିର୍ମାଣାଧୀନ ଏହି ପ୍ଲାଣ୍ଟ୍‌କୁ ଗାଁର କିଛି ଲୋକ ବିରୋଧ କରିଛନ୍ତି। ତେବେ ଅଧିକାଂଶ ଗାଁ ଲୋକ ଓ ସହରର ବୁଦ୍ଧିଜୀବୀ ଏହି ପ୍ଲାଣ୍ଟ୍‌ ପ୍ରତିଷ୍ଠା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଗତ ୧୬ ତାରିଖରେ କେତେକ ଗ୍ରାମବାସୀ ବିରୋଧ କରି ଠିକାଦାରର ଅସ୍ଥାୟୀ ଘରକୁ ଭାଙ୍ଗି ଦେଲେ। ପ୍ରାଶାସନିକ ଅଧିକାରୀ, ଠିକାଦାର ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଯାଇ ହଟହଟା ହୋଇ ଫେରିଲେ। ୧୮ ତାରିଖରେ ଉପ–ଜିଲ୍ଲାପାଳ ଧମେନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅଧିକାରୀ, ପୁଲିସଙ୍କ ସମେତ କଣ୍ଟାବଲ୍ଲଭପୁର ଗ୍ରାମବାସୀଙ୍କୁ ନେଇ ଅନୁଷ୍ଠିତ ବୈଠକ ମଧ୍ୟ ବିଫଳ ହେଲା। ତେବେ ଆଉ ଥରେ ଗ୍ରାମବାସୀଙ୍କ ସହ ଆଲୋଚନା ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ। ବାହାରୁ ବିଶେଷଜ୍ଞମାନଙ୍କୁ ଆଣି ପ୍ଲାଣ୍ଟ୍‌ ନିର୍ମାଣ ସମ୍ପର୍କରେ ପ୍ରଶାସନ ଲୋକଙ୍କୁ ବୁଝାଇବ। ଆବଶ୍ୟକ ପଡ଼ିଲେ ଅନ୍ୟ ସହରକୁ ନେଇ ଏପରି ପ୍ରକଳ୍ପ ଦେଖାଇବ।

ଅନ୍ୟପଟେ ନିର୍ମାଣ ସ୍ଥଳରେ ଠିକଦାର ଗଦା କରିଥିବା ବାଲି ଗୋଡି ସେମିତି ପଡ଼ିଛି। ପାଚେରି ପାଇଁ ଖୋଳା ଯାଇଥିବା ୩୦ରୁ ଅଧିକ ସ୍ଥାନ ସେମିତି ମାଟି ଖୋଳା ହୋଇ ରହିଛି। ଅସ୍ଥାୟୀ ଘରକୁ ଠିକାଦାର ଉଠାଇ ଦେଇଛନ୍ତି। ଏବେ ପଡ଼ିଆରେ ପିଲାମାନେ ଖେଳୁଛନ୍ତି। ଗ୍ରାମବାସୀ ଦିନ ରାତି ପଡ଼ିଆ ଉପରେ କଡ଼ା ନଜର ରଖିଛନ୍ତି। ଠିକାଦାର କାମ ଆରମ୍ଭ କଲେ ବିରୋଧ ପାଇଁ ସଜବାଜ ହୋଇ ରହିଛନ୍ତି। ଫଳରେ ଏକ ପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟିହେବାକୁ ଯାଉଛି। ଏମିତିକି ଗ୍ରାମବାସୀ ପ୍ରଶାସନକୁ ଚ୍ୟାଲେଞ୍ଜ କରି କୋର୍ଟର ଦ୍ବାରସ୍ଥ ହେବାକୁ ପ୍ରସ୍ତୁତ ହେଉଛନ୍ତି। ଆସନ୍ତାକାଲି ବୈଠକରେ ଗ୍ରାମବାସୀ କୋର୍ଟର ଦ୍ବାରସ୍ଥ ହେବେ ବୋଲି ଜଣାପଡ଼ିଛି। ତେବେ କୋର୍ଟକଚେରିକୁ ମାମଲା ଗଲେ ପ୍ରକଳ୍ପ ଭାଗ୍ୟ ଅନିଶ୍ଚିତା ଭିତରେ ଲଟକି ରହିବ।

ସମ୍ବନ୍ଧିତ ଖବର