କୁଜଙ୍ଗ: ଗତକାଲି କଟକ-ପାରାଦୀପ ରାଜ୍ୟ ରାଜପଥର କୁଜଙ୍ଗ ବଳରାମପୁର ଗ୍ରାମର କେନାଲ ପଡାର ଯୁବକ ଗୁଗୁଲା ଦାସଙ୍କୁ  ଗତକାଲି ଏକ ଟ୍ରକ ଧକ୍କା ଦେବା ଫଳରେ ତାଙ୍କର ଦୁଇ ଗୋଡ କ୍ଷତିଗ୍ରସ୍ଥ ହୋଇଥିଲା। ଏଥିସହିତ ତାଙ୍କର ଛାତିରେ ମଧ୍ୟ ଆଘାତ ଲାଗିଥିଲା l ତାଙ୍କୁ ତୁରନ୍ତ କୁଜଙ୍ଗ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା l ସେହିପରି ଭାବେ ତଙ୍କର ଅବସ୍ଥାରେ କୌଣସି ସୁଧାର ନଆସିବାକୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିଲା l ମାତ୍ର ସେଠାରେ ତାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ମୃତଦେହ ବ୍ୟବଛେଦ ହୋଇ ଘରକୁ ଫେରିବା ପରେ ସମ୍ପୃକ୍ତ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଲୋକମାନେ କଟକ-ପାରାଦୀପ ରାଜ୍ୟ ରାଜପଥର ବଳରାମପୁର ପେଟ୍ରୋଲ ଆଗକୁ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଥିବା ଜଣାପଡିଛି।

Advertisment

ମୃତ ଯୁବକ ଗୁଗୁଲାଙ୍କର ବାପା ଗତ ଦେଢବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ପରପାରିକୁ ଚ‌ାଲି ଯାଇଥିଲେ। ଘରେ ତିନି ଭଉଣୀ ଓ ମାଆ ଥିଲେ l ଏବେ ଯୁବକଙ୍କ ମୃତ୍ୟ ଖବର ଶୁଣି ଏହାକୁ ସହ୍ୟ କରିନପାରି ତାଙ୍କ ମାଆ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ତାଙ୍କୁ କୁଜଙ୍ଗ ମେଡିକାଲରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି l

ଏହି ଘଟଣାରେ ଉତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଛନ୍ତି । ପ୍ରାୟ ଅପରାହ୍ନ ୫ଟାଠାରୁ ରାସ୍ତାରୋକ ଆରମ୍ଭ ହୋଇଛି l ଫଳରେ କଟକ-ପାରାଦୀପ ରାଜ୍ୟ ରାଜପଥରେ ହଜାର ହଜାର ଗାଡିମଟର ଛିଡା ହୋଇ ରହିଥିବା ଜଣାପଡିଛି l ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ୍ନ ହେଉଛନ୍ତି l ପୁଲିସ ଘଟଣାସ୍ଥଳରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଛିଡାହୋଇ ସ୍ଥିତିକୁ ଅନୁଧ୍ୟାନ କରିବା ଛଡା ଆଉ କିଛି କରିପାରିନାହିଁ।

ଘଟଣାରୁ ପ୍ରକାଶ ଯେ, ଗତକାଲି ଏକ ଟ୍ରକ କଟକରୁ ପାରାଦୀପ ଆସୁଥିବା ବେଳେ ଗୁଗୁଲା ରାସ୍ତା ପାର୍ଶ୍ୱରେ ଥିବା  ନିଜ ଘରୁ  କୁଜଙ୍ଗ ଆଡକୁ ଯାଉଥିଲେ l ମାତ୍ର ଟ୍ରକଟି ତାଙ୍କର ଦୁଇ ଗୋଡ ଉପରେ ଚଢି ଯାଇଥିଲା l ଫଳରେ ସେ ଅଚେତ ଭାବେ ରାସ୍ତା କଡରେ ବହୁତ ସମୟ ଧରି ପଡି ରହିଥିଲେ । ତାଙ୍କର ଭୀଷଣ ରକ୍ତସ୍ରାବ ହୋଇଥିଲା l ପରେ ତାଙ୍କୁ ପ୍ରଥମେ କୁଜଙ୍ଗ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।