ଗାରୋଇ: ନାଉଗାଁ ବ୍ଲକ୍ ତିରୁଣା ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ର ନିର୍ମାଣ ଶେଷ ହେବାପରେ ୪ ବର୍ଷ ବି ଲୋକଙ୍କ ସେବାରେ ଲାଗିଲାନି। ନିର୍ମାଣ ହେବାର ୪ ବର୍ଷ ପରେ ଏହି କୋଠାକୁ ବିପଦସଙ୍କୁଳ ଘୋଷଣା କରାଯାଇଥିଲା। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସେବା କେନ୍ଦ୍ର ନିର୍ମାଣ ସମୟରେ କିଭଳି ଦୁର୍ନୀତି ହୋଇଛି। ମିଳିଥିବା ସୂଚନାନୁସାରେ ୨୦୦୭ ରୁ ୨୦୧୨ ମସିହାରେ ତତ୍କାଳୀନ ସରପଞ୍ଚ ବିମ୍ବାଧର ପରିଡ଼ାଙ୍କ କାର୍ଯ୍ୟକାଳରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୩-୨୦୧୪ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ସମୟରେ ଅନନ୍ତ ପ୍ରସାଦ ସ୍ବାଇଁ ସରପଞ୍ଚ ପଦବିରେ ଥିଲେ। ନିର୍ମାଣ ଶେଷ ହେବାର ବର୍ଷେ ନପୂରୁଣୁ ଏହି ଗୃହର ଝରକା, କବାଟ ନଷ୍ଟ ହୋଇଯାଇଥିଲା। କାନ୍ଥରୁ ପ୍ଲାଷ୍ଟର୍ ଖସି ଛାତରୁ ରଡ୍ ଦୃଶ୍ୟମାନ ହେବାରୁ ୨୦୧୫-୨୦୧୬ ଆର୍ଥିକ ବର୍ଷରେ ୧ଲକ୍ଷ ୫୦ ହଜାର ଟଙ୍କା ବିନିଯୋଗରେ ମରାମତି କରାଯାଇଥିଲା।
ଏହାପରେ ବାହାରୁ ତ ସୁନ୍ଦର ଦିଶିଲା, କିନ୍ତୁ ଭିତରେ ଫମ୍ପା ଥିଲା। ଏଭଳି ଚର୍ଚ୍ଚା ସେତେବେଳେ ସତ ହେଲା ଯେତେବେଳେ ୨୦୧୮ ମସିହାରେ ଏହି କୋଠକୁ ବିଡିଓ ବିପଦସଙ୍କୁଳ ଭାବେ ଘୋଷଣା କଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଦୁର୍ନୀତ ସମ୍ପର୍କରେ ନା’ ଲୋକପ୍ରତିନିଧି ଖୋଳତାଡ଼ କଲେ ନା’ ବିଭାଗୀୟ ଅଧିକାରୀ ତଦନ୍ତ କଲେ। ଅନ୍ୟପକ୍ଷେ ବ୍ଲକ୍ ପ୍ରଶାସନ ୪ ବର୍ଷ ହେବ ଏହି ଘୋଷଣା କରି ନିଜ କାମ ସାରିଦେଇ ଚୁପ୍ ହୋଇ ବସିଛି। ଏଭଳିସ୍ଥିତିରେ ପଞ୍ଚାୟତର ଅଧିବାସୀ ନିଗମାନନ୍ଦ ପରିଡ଼ା, ଗୌତମ ସାହୁ, ଭିକାରି ସ୍ବାଇଁ, ପରମେଶ୍ବର ପରିଡ଼ା, ପ୍ରତାପ ପରିଡ଼ା ପ୍ରମୁଖ ଦୁର୍ନୀତିର ତଦନ୍ତ ସହ ନୂତନ କୋଠା ନିର୍ମାଣ ପାଇଁ ଦାବି ରଖିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ; ସେ ଏହି ବିଷୟରେ ବିଡିଓଙ୍କ ସହ କଥା ହୋଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଉତ୍ତର ଦେଇଥିଲେ।