ଡାକ୍ତର ଗିରଫ, ବାପା ଓ ଭାଇ ଥାନାରେ ଅଟକ

ଅଖା ଭିତରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା

ପାରାଦୀପ/ ଜଗତସିଂହପୁର/ଗୋପାଳପୁର : ଜଗତସିଂହପୁର ଧଳତଙ୍ଗଡ଼ ଜଙ୍ଗଲରେ ଏକ ବସ୍ତା ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଥିବା ଯୁବତୀଙ୍କ ପରିଚୟ ମିଳିଛି। ଏଥିସହ ଯୁବତୀଙ୍କ ମୃତ୍ୟୁ ରହସ୍ୟ ଉପରୁ ମଧ୍ୟ ପର୍ଦା ଉଠିଛି। ମୃତ ଯୁବତୀଙ୍କ ନାଁ ସିକୁ ସୂତାର ଓ ତାଙ୍କ ଘର କୁଜଙ୍ଗ ବ୍ଲକ୍‍ ହଂସୁରା ପଞ୍ଚାୟତ ଅନୋଲିପାଟଣା ବୋଲି ଜଣାପଡ଼ିଛି। ପରିବାରର ଇଜ୍ଜତ ପାଇଁ ଯୁବତୀଙ୍କ ବେଆଇନ୍‌ ଗର୍ଭପାତ କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଗର୍ଭପାତ କରାଉଥିବା ଡାକ୍ତର ଏବଂ ପରିବାର ଲୋକ ମୃତଦେହକୁ ଏଭଳି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବୋଲି ପୁଲିସକୁ ସୂଚନା ମିଳିଛି। ଏହି ସୂଚନା ଆଧାରରେ ଆଜି ପୁଲିସ ଜଗତସିଂହପୁର ଚର୍ଚିକା ବଜାରରେ ଥିବା ‘ମମତା କ୍ଲିନିକ୍‌’ରେ ଚଢ଼ଉ କରି ଡାକ୍ତର ହାରାମଣି ମହାରଣା ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। କ୍ଲିନିକ୍‍ର ସମସ୍ତ କାଗଜପତ୍ରକୁ ପୁଲିସ ଯାଞ୍ଚ କରିବା ଆରମ୍ଭ କରିଛି। ସିକୁଙ୍କ ବାପା ଓ ଭାଇଙ୍କୁ ଥାନାରେ ଅଟକ ରଖିଛି। ଅବିବାହିତ ସିକୁଙ୍କୁ ଗର୍ଭବତୀ କରାଇଥିବା ଯୁବକଙ୍କୁ ଏବେ ପୁଲିସ ଖୋଜୁଥିବା ଜଣାପଡ଼ିଛି।

୨୦୧୧ମସିହାରେ ସିକୁ ଯୁକ୍ତ ଦୁଇ ପରୀକ୍ଷାରେ ଫେଲ୍‍ ହେବା ପରେ ଘର ନିକଟରେ ଏକ ଟେଲର ଦୋକାନରେ କାମ କରୁଥିଲେ। ୧୧ତାରିଖରେ ଘର ଛାଡ଼ିବା ଦିନ ସିକୁ ଜଣେ ଯୁବକଙ୍କ ସହ ସାଇକଲରେ ଯାଉଥିବାର ବଜାରରେ କିଛି ଲୋକ ଦେଖିଛନ୍ତି। ସେ ଯୁବକ ଜଣକ କିଏ ବୋଲି ମଧ୍ୟ ପୁଲିସ ତଦନ୍ତ କରୁଛି। ସିକୁ ଉକ୍ତ ଗାଁର ମୁନା ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲା ବୋଲି ତାଙ୍କ ବାପା ଅଜୟ ଓ ଭାଇ ଲିଟୁ ପୁଲିସ ସାମ୍ନାରେ ସ୍ୱୀକାର କରିଛନ୍ତି। ସେମାନେ ମାନିଛନ୍ତି ଯେ, ମୁନା ଓ ସିକୁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା ଯାହା ଫଳରେ ସିକୁ ଗର୍ଭବତୀ ହୋଇଥିଲେ। ଏ ସମ୍ପର୍କରେ ଘର ଲୋକ ଜାଣିବା ପରେ ତାଙ୍କୁ ଜଗତସିଂହପୁରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସିକୁ ଏହାକୁ ତୀବ୍ର ବିରୋଧ କରିଥିଲେ। ଫଳରେ ତାଙ୍କ ହାତ ଓ ଗୋଡ଼ ବାନ୍ଧି ଗର୍ଭପାତ ପାଇଁ ପ୍ରୟାସ କରାଯାଇଥିଲା। ସେହି ସମୟରେ ସିକୁଙ୍କର ମୃତ୍ୟୁ ଘଟିଥିବା ପୁଲିସ ଜାଣିବାକୁ ପାଇଛି।

ଗର୍ଭପାତ ସମୟରେ ସିକୁଙ୍କ ମୃତ୍ୟୁ ହୋଇଯିବାରୁ ସମସ୍ତେ ଅଡ଼ୁଆରେ ପଡ଼ି ଯାଇଥିଲେ। ମୃତ ଯୁବତୀଙ୍କ ବାପା ଓ ଭାଇ ଯେତିକି ଚିନ୍ତିତ ନଥିଲେ ତା’ଠାରୁ ଅଧିକ ଭୟଭୀତ ହୋଇ ଯାଇଥିଲେ ଗର୍ଭପାତ କରାଉଥିବା ଡାକ୍ତର। ଏହି ଘଟଣା ଘଟିବା ପରେ ମୃତ ଦେହଟିକୁ ଧଳତଗଡ଼ ଜଙ୍ଗଲରେ ଫୋପାଡ଼ିବା ପାଇଁ ଏହି ଡାକ୍ତର ଜଣକ ଯୋଜନା କରିଥିଲେ। ପରେ ଯୁବତୀଙ୍କ ହାତ ଗୋଡ଼କୁ ଭଲ ଭାବେ ବାନ୍ଧି ଏକ ବଡ଼ ଅଖାରେ ଭର୍ତ୍ତିି କରାଯାଇଥିଲା। ଏଥିରେ କ୍ଲିନିକ୍‍ର ଅନ୍ୟ କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ। ପରେ ସେମାନେ ଶବଟିକୁ ଜଙ୍ଗଲ ଅଭିମୁଖେ ନେଇଥିଲେ। ମାତ୍ର ରାତି ଅଧିକ ହୋଇଥିବା ଯୋଗୁଁ ଭୟଭୀତ ଅବସ୍ଥାରେ ମୃତ ଦେହଟିକୁ ଜଙ୍ଗଲ ମଧ୍ୟକୁ ନ ନେଇ କିଛି ଦୂରରେ ଫୋପାଡ଼ି ଚାଲି ଆସିଥିଲେ।

ଗତ ୧୧ତାରିଖରୁ ସିକୁ ଘରୁ ନିଖୋଜ ଥିଲେ ବି ପରିବାର ଲୋକେ ଏ ନେଇ ଥାନାରେ କୌଣସି ଅଭିଯୋଗ କରି ନଥିବାରୁ ପୁଲିସର ସନ୍ଦେହ ବଢ଼ିଯାଇଥିଲା। ମୃତଦେହର ଫଟୋ ଆଧାରରେ ପୁଲିସ ନିଜ ସୂତ୍ରରୁ ଠିକଣା ସଂଗ୍ରହ କରି ସିକୁଙ୍କ ଘରେ ପହଞ୍ଚିଥିଲା। ସିକୁଙ୍କ ବାପା ଅଜୟ ସୂତାର ଓ ଭାଇ ଲିଟୁଙ୍କୁ ରଘୁନାଥପୁର ପୁଲିସ ଆଣି ପଚରାଉଚରା କରିବାରୁ ସବୁ କଥା ପଦାକୁ ଆସିଥିଲା।

ସମ୍ବନ୍ଧିତ ଖବର