ଜଗତସିଂହପୁର, (ସନ୍ଦୀପ ଲେଙ୍କା): ରାଜ୍ୟ ରାଜନୀତିରେ ଜଗତସିଂହପୁର ଜିଲ୍ଲାର ପରିଚୟ ବେଶ୍ ସ୍ବତନ୍ତ୍ର। ଏହି ଜିଲ୍ଲାରୁ ଏକାଧିକ ରାଜନେତା ନିଜର ଦକ୍ଷତାର ପରିଚୟ ଦେଇ ଅନେକ ସମୟରେ ରାଜ୍ୟ ରାଜନୀତିରେ ବେଶ୍ ଦବଦବା ଜାହିର ରଖିଛନ୍ତି। ପଞ୍ଚାୟତ ହେଉ ଅବା ସାଧାରଣ ନିର୍ବାଚନ, ସବୁ ଦଳ ମଧ୍ୟରେ ଏଠାରେ ଲଢ଼େଇ ଜୋରଦାର ହୁଏ। ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଲାଣି। ଚୂଡ଼ା‌ନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏବେ ସବୁ ଦଳରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

Advertisment

ଜଗତସିଂହପୁର ଜିଲ୍ଲାରେ ରହିଛି ୪ଟି ବିଧାନସଭା ଓ ଗୋଟିଏ ନିର୍ବାଚନ ମଣ୍ଡଳୀ, ୮ଟି ପଞ୍ଚାୟତ ସମିତି, ୨ଟି ପୌରପାଳିକା। ୮ଟି ପଞ୍ଚାୟତ ସମିତି ଅଧୀନରେ ରହିଛି ୧୯୮ ପଞ୍ଚାୟତ ଓ ୩୬୯୮ଟି ୱାର୍ଡ। ୧୯୯୭ରେ ପ୍ରଥମ ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା। ବରିଷ୍ଠ କଂଗ୍ରେସ ନେତା ତଥା ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକ ହୋଇଥିଲେ ପ୍ରଥମ ଜିଲ୍ଲା ପରିଷଦ ସଭାପତି। ପରବର୍ତ୍ତି ସମୟରେ ୨୦୦୨, ୨୦୧୨ ଓ ୨୦୧୭ ନିର୍ବାଚନରେ ଜିଲ୍ଲା ପରିଷଦ ବିଜେଡି ହାତକୁ ଯାଇଥିବା ବେଳେ ୨୦୦୭ରେ ଜିଲ୍ଲା ପରିଷଦ ସଭାପତି ହୋଇଥିଲେ କଂଗ୍ରେସର ନଟବର ବାରିକ। ୨୦୦୨ରେ ବିଜେଡିର ସବିତା ମହାପାତ୍ର, ୨୦୧୨ ନିର୍ବାଚନରେ ବିଜେଡିର ଦେବୀଦତ୍ତ ମହାନ୍ତି ଓ ‌୨୦୧୭ ନିର୍ବାଚନରେ ବିଜେଡିର ପ୍ରିୟଦର୍ଶିନୀ ବିଶ୍ବାଳ ଜିଲ୍ଲା ପରିଷଦ ସଭାପତି ହୋଇଥିଲେ। ୫ଟି ନିର୍ବାଚନରୁ ଦୁଇ ଥର ମହିଳା ସଭାପତି ହୋଇ ପାରିଛନ୍ତି। ଏଥର ଜଣେ ଅନୁସୂଚିତ ଜାତି ପାଇଁ ଜିଲ୍ଲା ପରିଷଦ ସଭାପତି ପଦ ସଂରକ୍ଷିତ ରହିଛି।

୨୦୧୭ ନିର୍ବାଚନରେ ବିଜେଡିକୁ ଚ୍ୟାଲେଞ୍ଜ ଦେଇ ବିଜେପି ୨ଟି ଜୋନ୍ ଓ କଂଗ୍ରେସ୍ ଗୋଟିଏ ଜୋନ୍‌ରେ ବିଜୟୀ ହୋଇଥିଲା। ବିଜେଡି ୨୩ଟି ଜୋନରେ ବିଜୟୀ ହୋଇଥିଲା। ଜିଲ୍ଲାର ୪ ବିଧାନସଭା ଆସନ ଓ ଲୋକସଭା ଆସନ ବିଜେଡି ହାତରେ ଅଛି। କିନ୍ତୁ ଜିଲ୍ଲାରେ ଉଭୟ କଂଗ୍ରେସ ଓ ବିଜେପିର ପ୍ରଭାବଶାଳୀ ନେତା ରହିଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲାରେ ବିଜେଡିକୁ ବିଭିନ୍ନ ଜୋନ୍‌ରେ ଉଭୟ ବିଜେପି ଓ କଂଗ୍ରେସ ପଟୁ ଟକ୍କର ମିଳିବା ଏକପ୍ରକାର ଥୟ।